ରାଜ୍ୟରେ ଆଉ ଦୁଇଟି ଖଣିର ନିଲାମ ଶେଷ

ଭୁବନେଶ୍ବର : ଆଜି ରାଜ୍ୟ ସରକାର ଆଉ ଦୁଇଟି ଖଣିର ନିଲାମ ଶେଷ କରିଛନ୍ତି। ବିଶାଲ ଏଲ୍‌ପିଜି ଫୁଏଲସ୍‌ ପ୍ରାଇଭେଟ୍ ଲିମିଟେଡ୍‌ ସୁନ୍ଦରଗଡ଼ ଜିଲ୍ଲାରେ ଥିବା ନଦୀଡ଼ିହ ଲୁହାପଥର ଓ ମାଙ୍ଗାନିଜ ଖଣିକୁ ହାସଲ କରିଛି। ରାଜ୍ୟ ସରକାର ଧାର୍ଯ୍ୟ କରିଥିବା ବିକ୍ରି ମୂଲ୍ୟ ଉପରେ ୧୪୨.୩୫ ପ୍ରତିଶତ ପ୍ରିମିୟମ୍ ପ୍ରଦାନ କରି କଂପାନି ଏହି ଖଣିକୁ ହାସଲ କରିଛି। ସେହିପରି, ୟାଜଦାନି ଇଣ୍ଟରନ୍ୟାସନାଲ୍ ପ୍ରାଇଭେଟ୍ ଲିମିଟେଡ୍ କାଲ୍‌ମୋଙ୍ଗ୍‌ ଲୁହାପଥର ଓ ମାଙ୍ଗାନିଜ ଖଣିକୁ ହାସଲ କରିଛି। ରାଜ୍ୟ ସରକାରଙ୍କ ଦ୍ବାରା ଧାର୍ଯ୍ୟ ମୂଲ୍ୟ ଉପରେ ୧୦୦% ପ୍ରିମିୟମ୍‌ରେ କଂପାନି ଏହି ଖଣିକୁ ହାସଲ କରିଛି। ଆଜି ନିଲାମ ହୋଇଥିବା ଦୁଇଟି ଖଣିକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୩ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଛି। ରାଜ୍ୟ ସରକାର ଏ‌ଥର ମୋଟ ୧୯ଟି ଖଣି ନିଲାମ କରୁଛନ୍ତି।

ନଦୀଡ଼ିହ କମ୍ପୋଜିଟ୍ ମାଇନ୍ସ ପୂର୍ବରୁ ଫ୍ରିଗ୍ରେଡ୍‌ ଆଣ୍ଡ୍ କୋ. ପ୍ରାଇଭେଟ୍ ଲିମିଟେଡ୍‌ ପାଖରେ ଥିଲା। ଏହି ଖଣିରେ ୧୫.୦୬ ନିୟୁତ ଟନ୍ ଲୁହାପଥର ଓ ୦.୦୫୯ ନିୟୁତ ଟନ୍ ମାଙ୍ଗାନିଜ ଗଚ୍ଛିତ ରହିଛି। ଚଳିତ ନିଲାମରେ ଏହି ଖଣିକୁ ପାଇବା ଲାଗି ଫ୍ରିଗ୍ରେଡ୍ ସମେତ ବିଶାଲ ଏଲ୍‌ପିଜି, ଜେଏସ୍‌ପିଏଲ୍‌, ଟିପି ସାଓ ଆଣ୍ଡ ସନ୍ସ, ଲାଲ୍ ଟ୍ରେଡସ୍‌ ଆଣ୍ଡ୍ ଏଜେନ୍ସିଜ୍, ଆର୍ସେଲର୍‌ ମିତ୍ତଲ ଓ ୟାଜଦାନି ଇଣ୍ଟରନ୍ୟାସନାଲ୍ ଦୌଡ଼ରେ ଥିଲେ।

କାଲମୋଙ୍ଗ ଲୁହାପଥର ଓ ମାଙ୍ଗାନିଜ ଖଣି ପୂର୍ବରୁ ରୁଙ୍ଗଟା ମାଇନ୍ସ ପାଖରେ ଥିଲା। ଏହି ଖଣିକୁ ପାଇବା ଲାଗି ରୁଙ୍ଗଟା ମାଇନ୍ସ ସମେତ ୟାଜଦାନି, ଲାଲ୍ ଟ୍ରେଡସ୍‌ ଆଣ୍ଡ୍‌ ଏଜେନ୍ସିଜ୍, ଜିଭି ମାଇନ୍ସ ମିନେରାଲ୍ସ ଆଣ୍ଡ୍ ମେଟାଲ୍ସ ପ୍ରାଇଭେଟ୍ ଲିମିଟେଡ୍ ଓ ଗୋପାଳ ସ୍ପଞ୍ଜ ଆଣ୍ଡ୍‌ ପାୱାର ପ୍ରାଇଭେଟ୍ ଲିମିଟେଡ୍‌ ଦୌଡ଼ରେ ଥିଲେ। ସୁନ୍ଦରଗଡ଼ରେ ଥିବା ଏହି ଖଣିରେ ୧.୪୦ ନିୟୁତ ଟନ୍ ଲୁହାପଥର ଓ ୩.୬୯୬ ନିୟୁତ ଟନ୍ ମାଙ୍ଗାନିଜ୍ ଗଚ୍ଛିତ ରହିଛି।

ପୂର୍ବରୁ ନିଲାମ ହୋଇଥିବା ଖଣି ମଧ୍ୟରୁ ନଦୀଡ଼ିହ ଖଣିକୁ ଗୋଆର କଂପାନି ଫୋମେଣ୍ଟୋ, ମହୁଲଶୁଖା ଲୁହାପଥର ଓ ମାଙ୍ଗାନିଜ ଖଣିକୁ ପଟ୍ଟନାୟକ ମିନେରାଲସ୍‌ ପ୍ରାଇଭେଟ୍ ଲିମିଟେଡ୍, ରୋଇଡା-୨କୁ କେ. ନର୍‌ଭେରାମ୍, ଜିଲିଙ୍ଗ୍‌-ଲାଙ୍ଗ୍‌ଲୋଟାକୁ ଶ୍ୟାମ୍ ଓର୍‌, ବାଲ୍‌ଦା ଲୁହାପଥର ଖଣିକୁ ସିରାଜୁଦ୍ଦିନ୍ ଓ ଠାକୁରାଣୀ ଖଣିକୁ ଆର୍ସେଲର୍‌ ମିତ୍ତଲ୍‌ ଓ ଗୋରୁମହିଷାଣୀ ଖଣିକୁ ଜିଏସ୍‌ ମିଶ୍ର ଆଣ୍ଡ୍‌ ସନ୍ସ ହାସଲ କରିଛି। ଜେଏସ୍‌ଡବ୍ଲୁ ସର୍ବାଧିକ ଚାରିଟି ଖଣି ପାଇବାରେ ସଫଳ ହୋଇଛି।

ସମ୍ବନ୍ଧିତ ଖବର