୩ ବର୍ଷରେ ଦୂର ହେବ ବିଦ୍ୟୁତ ବିଭ୍ରାଟ: ମନ୍ତ୍ରୀ

ଓଡ଼ିଶା ମଡେଲ୍‌ ଅନୁସରଣ କରିବାକୁ ବହୁ ରାଜ୍ୟ ଆଗ୍ରହୀ, ୩୦୦ କିମି ବେଗର ପବନକୁ ସମ୍ଭାଳିବା ବିଦ୍ୟୁତ ଖୁଣ୍ଟ ଲାଗିବ

ଭୁବନେଶ୍ବର: ଆସନ୍ତା ୩ ବର୍ଷ ଭିତରେ ବିଦ୍ୟୁତ ବିଭ୍ରାଟ ସମସ୍ୟାର ସମାଧାନ ହୋଇଯିବ ବୋଲି ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଛନ୍ତି। ଆଜି ଇଣ୍ଡିଆ ସ୍ମାର୍ଟ ଗ୍ରିଡ୍‌ ଫୋରମ୍ (ଆଇଏସ୍‌ଜିଏଫ୍‌) ପକ୍ଷରୁ ଆୟୋଜନ କରାଯାଇଥିବା ଡିଷ୍ଟ୍ରିବ୍ୟୁସନ ୟୁଟିଲିଟି ମିଟ୍‌ ୨୦୨୨କୁ ସମ୍ବୋଧିତ ସେ କହିଛନ୍ତି ଯେ ଫ୍ୟୁଜ୍, ଟ୍ରାନ୍ସଫରମର ଆଦିରେ ରହିଥିବା ସମସ୍ୟା ଯୋଗୁ ରାଜ୍ୟର କିଛି ସ୍ଥାନରେ ବିଦ୍ୟୁତ ବିଭ୍ରାଟ ଘଟୁଛି। କେବଳ ବୈଷୟିକ କାରଣ ପାଇଁ ଏଭଳି ସମସ୍ୟା ଦେଖାଦେଉଛି। ରାଜ୍ୟର ଚାରି ବିଦ୍ୟୁତ ବଣ୍ଟନ କଂପାନି (ଡିସ୍‌କମ୍‌)କୁ ଅଧିଗ୍ରହଣ କରିଥିବା ଟାଟା ପାୱାର ପକ୍ଷରୁ ରାଜ୍ୟ ସରକାରଙ୍କ ସହଯୋଗରେ ବିଦ୍ୟୁତ ନେଟ୍‌ୱର୍କର ସୁଦୃଢ଼ୀକରଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି। ଆସନ୍ତା ତିନି ବର୍ଷ ଭିତରେ ସବୁ କାର୍ଯ୍ୟ ଶେଷ ହୋଇଯିବ। ଏହା ପରେ ଆଉ ବିଦ୍ୟୁତ ବିଭ୍ରାଟ ଦେଖାଦେବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଏହି ଅବସରରେ ଟାଟା ପାୱାରର ଏମ୍‌ଡି ଡକ୍ଟର ପ୍ରବୀର ସିହ୍ନା ମଧ୍ୟ ରାଜ୍ୟର ବିଦ୍ୟୁତ ନେଟ୍‌ୱର୍କକୁ ସୁଦୃଢ଼ କରାଯାଉଥିବା କଥା କହିଛନ୍ତି। ସେ କହିଲେ, ଓଡ଼ିଶା‌ରେ ଆମେ ୫ ବର୍ଷରେ ୫୦୦୦ କୋଟି ଟଙ୍କାର ନିବେଶ କରିବୁ। ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ସିଷ୍ଟମ୍ ଷ୍ଟ୍ରେନ୍‌‌ଦେନିଂ ପ୍ରୋଗ୍ରାମ (ଓଡିଏସ୍‌ଏସ୍‌ପି) ଅଧୀନରେ ୨୦୦୦ କୋଟି ଟଙ୍କା ନିବେଶ କରିବାକୁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏହି ନିବେଶ ଦ୍ବାରା ଆସନ୍ତା ୨-୩ ବର୍ଷ ଭିତରେ ରାଜ୍ୟର ବିଦ୍ୟୁତ ନେଟ୍‌ୱର୍କ ସୁଦୃଢ଼ ହୋଇଯିବ ବୋଲି ସେ କହିଛନ୍ତି। ଗତ ଦୁଇ ବର୍ଷରୁ ଅଧିକ ସମୟ ଭିତରେ ରାଜ୍ୟର ବିଦ୍ୟୁତ ବଣ୍ଟନ ବ୍ୟବସ୍ଥାରେ କରାଯାଇଥିବା ନିବେଶ ଯୋଗୁ ଭରସାଯୋଗ୍ୟତା ହାର ସାଢ଼େ ୨୩ ଘଣ୍ଟାକୁ ବୃଦ୍ଧି ପାଇଛି। ପୂର୍ବରୁ ଏହି ହାର ଦୈନିକ ୧୮-୨୧ ଘଣ୍ଟା ମଧ୍ୟରେ ରହୁଥିଲା ବୋଲି ସେ କହିଛନ୍ତି। ଆସନ୍ତା ଦୁଇ ବର୍ଷରେ ରାଜ୍ୟରେ ୯୯ଟି ପ୍ରାଥମିକ ସବ୍‌-ଷ୍ଟେସନ ସ୍ଥାପନ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।

ଗ୍ରାହକମାନଙ୍କୁ ଦିଆଯାଉଥିବା ବିଦ୍ୟୁତ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ବଢ଼ାଇବା ଲାଗି ମଧ୍ୟ ଟାଟା ପାୱାର କାର୍ଯ୍ୟ କରୁଛି। ଜଳ ବିଦ୍ୟୁତ ପ୍ରକଳ୍ପରୁ ମିଳୁଥିବା ଶକ୍ତିକୁ ମିଶାଇ ବର୍ତ୍ତମାନ ମୋଟ ବିଦ୍ୟୁତ ଶକ୍ତିରେ ଅକ୍ଷୟ ଶକ୍ତିର ଭାଗ ୩୦ ପ୍ରତିଶତ ରହିଛି। ଆସନ୍ତା ୮-୧୦ ବର୍ଷ ଭିତରେ ସେହି ହାରକୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସିହ୍ନା କହିଛନ୍ତି। ଓଡ଼ିଶାରେ ଘରୋଇ ସରକାରୀ ସହଭାଗିତା (ପିପିପି) ମଡେଲ୍‌ରେ ବିଦ୍ୟୁତ ବଣ୍ଟନ କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ବେଶ ଉତ୍ସାହଜନକ ରହିଛି ବୋଲି ଶ୍ରୀ ସିହ୍ନା କହିଛନ୍ତି। ଏହି ମଡେଲ୍‌କୁ ଅନୁସରଣ କରିବା ଲାଗି ବହୁ ରାଜ୍ୟ ଆଗ୍ରହ ଦେଖାଇଥିବା ସେ ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ସାରା ଦେଶରୁ ୪୦ରୁ ଅଧିକ ଡିସ୍‌କମ୍‌ର ପ୍ରତିନିଧି, ବିଦ୍ୟୁତ କ୍ଷେତ୍ରର ନିୟାମକ ସଂସ୍ଥାର ଅଧିକାରୀ ଅଂଶଗ୍ରହଣ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଟାଟା ପାୱାରର ସଭାପତି (ଟିଆଣ୍ଡ୍‌ଡି) ସଞ୍ଜୟ ବାଙ୍ଗା ଏବଂ ଆଇଏସ୍‌ଜିଏଫ୍‌ର ସଭାପତି ରେଜି କୁମାର ପିଲ୍ଲାଇ ଉପସ୍ଥିତ ଥିଲେ।

୩୦୦ କିମି ବେଗର ପବନକୁ ସମ୍ଭାଳିବା ବିଦ୍ୟୁତ ଖୁଣ୍ଟ ଲାଗିବ
ବାତ୍ୟା ଭଳି ପ୍ରାକୃତିକ ଦୁର୍ବିପାକକୁ ସାମ୍ନା କରୁଥିବା ଉପକୂଳ ଓଡ଼ିଶା ଲାଗି ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ (ଟିପିସିଓଡିଏଲ୍‌) ପକ୍ଷରୁ ଏକ ଡିଜାଇନ୍ ଷ୍ଟଡି କରାଯାଇଛି। ସେହି ଅନୁସାରେ ବାତ୍ୟାକୁ ସହ୍ୟ କରିପାରୁଥିବା ନେଟ୍‌ୱର୍କ ବିକାଶ କରାଯିବ ବୋଲି ଟିପିସିଓଡିଏଲ୍‌ର ସିଇଓ ଏମ୍‌ ସେନବାଗମ କହିଛନ୍ତି। ସେ କହିଲେ, ଉପକୂଳରେ କଂପାନି ୨୦୦ କୋଟି ଟଙ୍କା ନିବେଶ କରିସାରିଛି। ଅତ୍ୟାଧୁନିକ ପ୍ରଯୁକ୍ତି ଓ କୌଶଳ ବ୍ୟବହାର କରିବା ଉପରେ ଜୋର ଦିଆଯାଉଛି। ବାତ୍ୟା ଦ୍ବାରା ପ୍ରଭାବିତ ଅଞ୍ଚଳରେ ସ୍ବତନ୍ତ୍ର ପ୍ରକାର ବିଦ୍ୟୁତ ଖୁଣ୍ଟ ବ୍ୟବହାର କରିବା ଉପରେ ବିଚାର କରାଯାଉଛି। ଏହି ଖୁଣ୍ଟର ଦାମ୍ ବର୍ତ୍ତମାନ ବ୍ୟବହାର ହେଉଥିବା ବିଦ୍ୟୁତ ଖୁଣ୍ଟ ତୁଳନାରେ କମ୍ ଦାମ୍‌ରେ ଉପଲବ୍ଧ ହେଉଥିବା ବେଳେ ତାହା ୩୦୦ କିମି ବେଗର ପବନକୁ ମଧ୍ୟ ସହଜରେ ମୁକାବିଲା କରିପାରୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର