ବେଆଇନ ଋଣ ଆପ୍ ହଟାଇବାକୁ ଗୁଗୁଲ୍ ଉପରେ ଚାପ

ନୂଆଦିଲ୍ଲୀ: ବେଆଇନ ଋଣ ଆପ୍ ଜାଲରେ ଛନ୍ଦି ହୋଇ ବହୁ ଲୋକ ଅପମାନିତ ଓ ବିଶାଦଗ୍ରସ୍ତ ହୋଇ ଆତ୍ମହତ୍ୟା କରିବା ଘଟଣାକୁ ସରକାର ଗମ୍ଭୀରତାର ସହ ନେଇଛନ୍ତି। ସେଭଳି ମାରାତ୍ମକ ଆପ୍‌ଗୁଡ଼ିକୁ ଚିହ୍ନଟ କରି ହଟାଇବା ଲାଗି ସରକାର ଗୁଗୁଲ୍‌ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ କଂପାନିର ପ୍ରତିନିଧିଙ୍କ ସହ ଏନେଇ ଏକାଧିକ ଥର ଆଲୋଚନା କରିଛି। କିଭଳି ଭାବେ ଏହି ସମସ୍ୟାର ସମ୍ପୂର୍ଣ୍ଣ ସମାଧାନ ହୋଇପାରିବ ତାହା ଜଣାଇବା ଲାଗି କଂପାନିକୁ କୁହାଯାଇଛି। କେବଳ ପ୍ଲେ ଷ୍ଟୋର ନୁହେଁ ଅନ୍ୟ ଯେକୌଣସି ମାଧ୍ୟମ ଯଥା ୱେବସାଇଟ୍ ଆଦି ଯେଉଁ ସବୁ ମାଧ୍ୟମରେ ସେଗୁଡ଼ିକ ଡାଉନ୍‌ଲୋଡ୍ ପାଇଁ ଉପଲବ୍ଧ ରହିଛି ସେ ବିଷୟରେ ସୂଚନା ଦେବା ଲାଗି କଂପାନିକୁ ସରକାର କହିଛନ୍ତି।

ଆର୍ଥିକ ସେବା ଆପ୍‌ଗୁଡ଼ିକ ପାଇଁ ଗୁଗୁଲ ଏହାର ପ୍ଲେ ଷ୍ଟୋର ନୀତିକୁ ସଂଶୋଧନ କରି ଋଣ ଆପ୍‌ ଲାଗି ତାହାକୁ ୨୦୨୧ ସେପ୍ଟେମ୍ବରରୁ ଲାଗୁ କରିଛି। ସେହି ନିୟମ ଉଲ୍ଲଂଘନ କରିଥିବା ୨,୦୦୦ରୁ ଅଧିକ ଆପ୍‌କୁ ପ୍ଲେ ଷ୍ଟୋରରୁ ହଟାଇ ଦିଆଯାଇଛି। ଏ ସମ୍ପର୍କ‌େର ଗୁଗୁଲ୍‌ର ପ୍ରବକ୍ତା କହିଛନ୍ତି ଯେ ବେଆଇନ ଋଣ ଆପ୍ ସମସ୍ୟାର ସମାଧାନ ଲାଗି ଆମେ ଆଇନ ପ୍ରଣୟନକାରୀ ସଂସ୍ଥାଗୁଡ଼ିକ ସହ ମିଶି କାମ କରୁଛୁ। ଯେଉଁ ଆପ୍ ବିରୋଧରେ ଅଭିଯୋଗ ଆସୁଛି ତାହାର ତର୍ଜମା କରାଯାଉଛି। ଏହି ସମସ୍ୟାର ସମାଧାନ ଲାଗି ରିଜର୍ଭ ବ୍ୟାଙ୍କ ମଧ୍ୟ ନିଜ ଆଡ଼ୁ ଉଦ୍ୟମ କରୁଛି। ଯେଉଁ ଆପ୍‌ଗୁଡ଼ିକ ନିୟନ୍ତ୍ରିତ ସଂସ୍ଥା ଅଧୀନରେ ପରିଚାଳିତ ହେଉଛନ୍ତି କେବଳ ସେହି ଆପ୍‌ଗୁଡ଼ିକୁ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ କରାଇବା ଲାଗି ରିଜର୍ଭ ବ୍ୟାଙ୍କ ଗୁଗୁଲ୍‌କୁ କହିଛି। ଯେହେତୁ ରିଜର୍ଭ ବ୍ୟାଙ୍କ ଅଧୀନରେ ଗୁଗୁଲ୍ ପରିଚାଳିତ ହେଉନାହିଁ, ତେଣୁ ଏହି ନିର୍ଦେଶଗୁଡ଼ିକୁ ପାଳନ କରିବା କିମ୍ବା ନକରିବା ସମ୍ପୂର୍ଣ୍ଣ ରୂପେ କଂପାନି ଉପରେ ନିର୍ଭର କରୁଛି। ଲୋକମାନଙ୍କୁ ଅସଲି ଋଣ ଆପ୍‌ଗୁଡ଼ିକ ବିଷୟରେ ଅବଗତ କରାଇବା ଲାଗି ଅନୁମୋଦିତ ଆପ୍‌ଗୁଡ଼ିକର ଏକ ଶ୍ବେତ ତାଲିକା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କକୁ କହିଛନ୍ତି।

ସମ୍ବନ୍ଧିତ ଖବର