ସୁନା ଦାମ୍ ୫୦ ହଜାର ଟଙ୍କା ଟପିଲା

ନୂଆଦିଲ୍ଲୀ : ୟୁକ୍ରେନ ଓ ରୁଷିଆ ମଧ୍ୟରେ ଯୁଦ୍ଧ ଆଶଙ୍କା ରହିଥିବାରୁ ସୁନା ମହଙ୍ଗା ହୋଇଛି। ବର୍ଷକ ପରେ ପ୍ରଥମ ଥର ଲାଗି ୧୦ ଗ୍ରାମ ସୁନାର ମୂଲ୍ୟ ୫୦ ହଜାର ଟଙ୍କାରୁ ଅଧିକ ହୋଇଛି। ବିଶ୍ବରେ ସଙ୍କଟ ଦେଖାଦେଲେ ନିବେଶକମାନେ ମୁଖ୍ୟତଃ ସୁନା ଭଳି ସୁରକ୍ଷିତ ସମ୍ପତ୍ତି‌ରେ ନିବେଶ କରିବାକୁ ଆଗେଇ ଆସନ୍ତି। ସେଥିପାଇଁ ଏହିଭଳି ସମୟରେ ସୁନା ଦାମ୍ ବୃଦ୍ଧି ପାଏ। ଭାରତରେ ସୁନା ମୂଲ୍ୟ ୫୦,୩୨୩ ଟଙ୍କା ହୋଇଛି। ଏହା ପଛର ଅନ୍ୟ ଏକ କାରଣ ହେଉଛି ଡଲାର ତୁଳନାରେ ଟଙ୍କାର ଅବମୂଲ୍ୟାୟନ। ଏକ ଡଲାର ମୂଲ୍ୟ ୭୫ ଟଙ୍କା ୬୬ ପଇସା ହୋଇଯାଇଛି। ସେଥିପାଇଁ ସମାନ ପରିମାଣର ସୁନା କିଣିବା ଲାଗି ପୂର୍ବାପେକ୍ଷା ଅଧିକ ଟଙ୍କା ଗଣିବାକୁ ପଡ଼ୁଛି। ସୁନା ଦାମ୍ ୧୩ ମାସର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି। ଆନ୍ତର୍ଜାତିକ ବଜାରରେ ସୁନାର ଆଉନ୍ସ ପିଛା ଦାମ୍ ୧୮୭୬.୭୧ ଡଲାରକୁ ବୃଦ୍ଧି ପାଇଛି। ଗତବର୍ଷ ଜୁନ୍ ୧୧ ତାରିଖ ପରେ ପ୍ରଥମ ଥର ଲାଗି ସୁନା ଦାମ୍‌କୁ ଏଭଳି ସ୍ତରରେ ଦେଖିବାକୁ ମିଳିଛି। ଆମେରିକାରେ ସୁନାର ଆଉନ୍ସ ପିଛା ଦାମ୍ ୧୮୭୯ ଡଲାର ରହିଛି।

ସମ୍ବନ୍ଧିତ ଖବର