ଜିଏସଟି ହ୍ରାସର ଲାଭ ସାଧାରଣ ଖାଉଟିଙ୍କ ନିକଟରେ ପହଞ୍ଚାଇବାକୁ ମୋଦିଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଜିଏସଟିର ସୁଫଳ ଯେପରି ସାଧାରଣ ଲୋକଙ୍କ ପାଖରେ ପହଞ୍ଚେ ତାହା ନିଶ୍ଚିତ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଉଟି ବ୍ୟାପାର ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାର ଜିଏସଟି ହାରକୁ କମାଇବା ସତ୍ତ୍ୱେ କେତେକ ବ୍ୟବସାୟ ପ୍ରତିଷ୍ଠାନ, ହୋଟେଲ ଓ ରେସ୍ତୋରାଁ ତାହାର ଲାଭ ଖାଉଟିଙ୍କୁ ଦେଉ ନ ଥିବା ଅଭିଯୋଗ ଆସିବା ପରେ ପ୍ରଧାନମନ୍ତ୍ରୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ଗତ ସପ୍ତାହରେ ଅନୁଷ୍ଠିତ ବିଭିନ୍ନ ରାଜ୍ୟର ମୁଖ୍ୟଶାସନ ସଚିବ ଓ ସଚିବମାନଙ୍କ ସହ ମାସିକ େଓ୍ଵବ ଭିତ୍ତିକ ସମୀକ୍ଷା ବୈଠକରେ ମୋଦି ଏହି ନିର୍ଦ୍ଦେଶ ଦେଇଥିବା ଜଣାଯାଇଛି ।

Business Line

ଜିଏସଟି କାଉନ୍‌ସିଲର ସୁପାରିଶ କ୍ରମେ ସରକାର ଗତ ୧୮ ତାରିଖରେ ୧୭୮ଟି ସାମଗ୍ରୀ ଉପରେ ଜିଏସଟି ହାରକୁ ୨୮ ପ୍ରତିଶତରୁ ହ୍ରାସ କରି ୧୮ ପ୍ରତିଶତ କରିଥିଲେ । ଏହା ସହିତ ଏସି ଓ ନନ୍‌-ଏସି ସବୁ ରେସ୍ତୋରାଁ ଉପରେ ସମାନ ଭାବରେ ୫ ପ୍ରତିଶତ ଜିଏସଟି ଲାଗୁ କରାଯାଇଥିଲା ।

ସରକାରଙ୍କ ଏହି ନିଷ୍ପତ୍ତି ପରେ କେନ୍ଦ୍ର ଖାଉଟି ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ଏକ ସର୍କୁଲାର ଜାରି କରାଯାଇ ସବୁ ପ୍ୟାକେଜଡ୍‌ ସାମଗ୍ରୀରେ ଯେପରି ଏହି ହ୍ରାସ ପାଇଥିବା ଜିଏସଟି ମୂଲ୍ୟ ଲେଖା ରହେ ତାହା ନିଶ୍ଚିତ କରିବାକୁ କୁହାଯାଇଥିଲା ।
ଅନ୍ୟପକ୍ଷରେ ଜିଏସଟି ସମ୍ପର୍କିତ ଅଭିଯୋଗର ଶୁଣାଣି ପାଇଁ ସରକାରଙ୍କ ପକ୍ଷରୁ ଏକ ଆଣ୍ଟି-ପ୍ରଫିଟରିଂ ବା ଲାଭଖୋର ନିରୋଧୀ ସଂସ୍ଥା ଗଠନ କରାଯାଇଥିଲା ।

ସମ୍ବନ୍ଧିତ ଖବର