ମହାମାରୀ ସତ୍ତ୍ବେ କିଟ୍‌ରେ ରେକର୍ଡ ପ୍ଲେସ୍‌ମେଣ୍ଟ୍‌

ଭୁବନେଶ୍ବର: କରୋନା ମହାମାରୀ ସତ୍ତ୍ବେ କିଟ୍ ବିଶ୍ୱବିଦ୍ୟାଳୟ ତାର ୨୦୨୦-୨୧ ବ୍ୟାଚ୍‌ର ଉତ୍ତୀର୍ଣ୍ଣ ହେବାକୁ ଥିବା ଛାତ୍ରଛାତ୍ରୀଙ୍କୁ ରେକର୍ଡ଼ ସଂଖ୍ୟକ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ଯୋଗାଇ ଦେଇ ପୂର୍ବ ଧାରାକୁ ବଜାୟ ରଖିବାରେ ସଫଳ ହୋଇଛି। ଜୁଲାଇ ୧ରୁ ଅନ୍‌ଲାଇନ୍ ମାଧ୍ୟମରେ କିଟ୍‌ରେ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଏବେ ସୁଦ୍ଧା କିଟ୍ ସ୍କୁଲ୍ ଅଫ୍ ଟେକ୍‌ନୋଲୋଜିର ୮୦ ପ୍ରତିଶତ ଛାତ୍ରଛାତ୍ରୀ ନିଯୁକ୍ତି ସୁଯୋଗ ପାଇ ସାରିଲେଣି। ମହାମାରୀ ସମୟରେ ପାଖାପାଖି ୯୦ଟି କମ୍ପାନି ଅନ୍‌ଲାଇନ୍ କ୍ୟାମ୍ପସ୍ ପ୍ଲେସମେଣ୍ଟ୍‌ରେ ଯୋଗଦେଇ ୨୦୨୧ରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ୪ହଜାରରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ ଯୋଗାଇ ଦେଇଛନ୍ତି ।

ସ୍କୁଲ୍ ଅଫ୍ ଟେକ୍‌ନୋଲୋଜିର୨୫୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତିକ କମ୍ପାନିରେ ନିଯୁକ୍ତି ପାଇସାରିଲେଣି । ପ୍ରାୟ ୧୬୦୦ ଛାତ୍ରଛାତ୍ରୀଙ୍କ ହାତରେ ରହିଛି ଏକାଧିକ ନିଯୁକ୍ତି ସୁଯୋଗ । କିଟ୍‌ର ଛାତ୍ରଛାତ୍ରୀମାନେ ସର୍ବାଧିକ ବାର୍ଷିକ ୩୦ଲକ୍ଷ, ୨୪ଲକ୍ଷ ଏବଂ ୧୯ଲକ୍ଷ ଟଙ୍କା ପ୍ୟାକେଜ୍‌ରେ ନିଯୁକ୍ତି ସୁଯୋଗ ପାଇପାରିଛନ୍ତି । ହାରାହାରି ବାର୍ଷିକ ପ୍ୟାକେଜ ୬ଲକ୍ଷ ଟଙ୍କା ରହିଛି । ‘ଡେ ଜିରୋ’ରେ କିଟ୍‌ର ୩୫ ପ୍ରତିଶତ ଛାତ୍ରଛାତ୍ରୀ ଏମ୍‌ଏନ୍‌ସି କମ୍ପାନି ଦ୍ୱାରା ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ। ସେହିପରି ‘ଡେ ୱାନ୍‌’ରେ ୧୮ଶହ ଛାତ୍ରଛାତ୍ରୀ ଆସେନ୍‌ଚର, କଗ୍‌ନିଜାନ୍‌ଟ, କ୍ୟାପ୍‌ଜେମିନି ଓ ଉଇପ୍ରୋ ଭଳି ୪ଟି କମ୍ପାନିରୁ ନିଯୁକ୍ତି ଅଫର ପାଇଥିଲେ। କମ୍ପାନିଗୁଡ଼ିକର ପ୍ରତିଶ୍ରୁତି ଅନୁସାରେ ୨୦୨୧ ଏପ୍ରିଲ୍ ସୁଦ୍ଧା ବାକି ଛାତ୍ରଛାତ୍ରୀ ନିଯୁକ୍ତ ସୁଯୋଗ ପାଇବାକୁ ଯାଉଛନ୍ତି।

ବର୍ତ୍ତମାନ କିଟ୍ ମ୍ୟାନେଜମେଣ୍ଟ ସ୍କୁଲ ଏବଂ କିଟ୍ ଲ ସ୍କୁଲରେ କ୍ୟାମ୍ପସ୍ ପ୍ଲେସ୍‌ମେଣ୍ଟ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଦୁଇ ସ୍କୁଲ୍ ମଧ୍ୟରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ରେକର୍ଡ଼ ଶତପ୍ରତିଶତ ସଫଳତା ହାସଲ କରିବ ବୋଲି ଆଶା କରାଯାଉଛି ବୋଲି ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର