ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ସରକାର ଦୁଇଜଣ ବ୍ୟକ୍ତିଙ୍କୁ ସାମୟିକ ଏବଂ ନନ୍ ଅଫିସିଆଲ୍ ନିର୍ଦେଶକଭାବେ ନିଯୁକ୍ତି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଲେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍) ଅନୁବନ୍ଧିତ ସଂସ୍ଥା ସ୍ୱଦେଶୀ ଜାଗରଣ ମଞ୍ଚର ସହ-ଆବାହକ ସ୍ୱାମୀନାଥନ୍ ଗୁରୁମୂର୍ତି ଏବଂ ଅନ୍ୟ ଜଣେ ହେଲେ ବ୍ୟବସାୟୀ ସତୀଶ କାଶୀନାଥ ମରାଠେ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ୍ କମିଟି ଏହି ନିଯୁକ୍ତିକୁ ନିକଟରେ ମଞ୍ଜୁରି ଦେଇଛି। ଏମାନଙ୍କୁ ସାମୟିକ ଏବଂ ନନ୍-ଅଫିସିଆଲ୍ ନିର୍ଦେଶକଭାବେ ୪ ବର୍ଷ ପାଇଁ ନିଯୁକ୍ତି ମିଳିଛି। ଏହି ଦୁଇ ବ୍ୟକ୍ତିଙ୍କୁ ନିଯୁକ୍ତି ମିଳିବା ପରେ ରିଜର୍ଭ ବ୍ୟାଙ୍କର କେନ୍ଦ୍ରୀୟ ବୋର୍ଡରେ ନିର୍ଦେଶକଙ୍କ ସଂଖ୍ୟା ୧୦ରେ ପହଞ୍ଚିଛି। ତେବେ ପେସାରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ଥିବା ସ୍ୱାମୀନାଥନ ଗୁରୁମୂର୍ତିଙ୍କ ନିଯୁକ୍ତି ଏବେ ଦେଶରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ସରକାର ରିଜର୍ଭ ବ୍ୟାଙ୍କ ଭଳି ସଂସ୍ଥାରେ ଆର୍ଏସ୍ଏସ୍ ଚିନ୍ତାଧାରର ଜଣେ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। ଶ୍ରୀ ଗୁରୁମୂର୍ତି ସଂଘ ପରିବାର ମଧ୍ୟରେ ଜଣେ ବିଚକ୍ଷଣ ଅର୍ଥନୀତିଜ୍ଞ ଭାବେ ଯଦିଓ ଖ୍ୟାତିଲାଭ କରିଛନ୍ତି ତେବେ ଆର୍ଥିକ ଉଦାରୀକରଣ ନୀତିକୁ ଆପଣାଇ ଭାରତୀୟ ଅର୍ଥନୀତିକୁ ଆଗକୁ ନେଉଥିବା ଅର୍ଥନୀତିଜ୍ଞଙ୍କ ମଧ୍ୟରେ ତାଙ୍କର ଗ୍ରହଣୀୟତା ସେତେଟା ନାହିଁ। ତାମିଲ ଭାଷାରେ ପ୍ରକାଶ ପାଉଥିବା ତୁଗଲକ୍ ନାମକ ଏକ ମାଗାଜିନ୍ର ସମ୍ପାଦକ ମଧ୍ୟ ଶ୍ରୀ ଗୁରୁମୂର୍ତି ରହିଛନ୍ତି। ମୋଦୀ ସରକାରଙ୍କ ବିମୁଦ୍ରାକରଣ ଭଳି ପଦକ୍ଷେପର ସେ ଦୃଢ଼ ପ୍ରଶଂସକ।