ନୂଆଦିଲ୍ଲୀ: ୨୦୧୬ ନଭେମ୍ବର ୮ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେତେବେଳେ ପ୍ରଚଳନରେ ଥିବା ୧୦୦୦ ଓ ୫୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରିଥିଲେ। ତେବେ ପେଟ୍ରୋଲ ପମ୍ପ, ଟୋଲ୍ ଗେଟ୍, ବିଜୁଳି, ପାଣି ବିଲ ପୈଠ, ଔଷଧ, କ୍ଷୀର, ମେଟ୍ରୋ ରେଳ ଟିକଟ କ୍ରୟ ଭଳି ୨୩ଟି ସେବା ଲାଗି କିଛିଦିନ ନିମନ୍ତେ ପୁରୁଣା ୧୦୦୦ ଓ ୫୦୦ ଟଙ୍କିଆ ନୋଟ କାରବାର ଅନୁମତି ଦେଇଥିଲେ। ୨୦୧୬ ନଭେମ୍ବର ୨୫ରେ ଅଚଳ ନୋଟ୍ ବିନିମୟକୁ ବନ୍ଦ କରିଦେଲେ। କିନ୍ତୁ ୨୦୧୬ ଡିସେମ୍ବର ୧୫ ପର୍ଯ୍ୟନ୍ତ କେବଳ ପୁରୁଣା ୫୦୦ ଟଙ୍କିଆ ନୋଟ୍ର ବ୍ୟବହାର ଉପରୋକ୍ତ ୟୁଟିଲିଟି ସେବା ପାଇଁ ଅନୁମତି ଦେଲେ। ତବେ ସରକାର ପେଟ୍ରୋଲ ପମ୍ପ ଓ ବିମାନ ଟିକଟ କ୍ରୟ ଲାଗି ମଧ୍ୟ ୫୦୦ ଟଙ୍କିଆ ନୋଟର ବ୍ୟବହାରକୁ ୨୦୧୬ ଡିସେମ୍ବର ୨ ତାରିଖରେ ହଠାତ୍ ବନ୍ଦ କରିଦେଲେ। ପୁରୁଣା ନୋଟକୁ ଏସବୁ ସ୍ଥାନରେ ବଦଳାଇବା ସୁବିଧା ମିଳୁଥିବାରୁ କଳାଟଙ୍କାକୁ ଧଳା କରିବା ଲାଗି ଏଗୁଡ଼ିକ କେନ୍ଦ୍ରସ୍ଥଳ ପାଲଟିଛି ବୋଲି ଅଭିଯୋଗ ଆସିବା ପରେ ଏଭଳି ନିଷ୍ପତ୍ତି ସରକାର ନେଇଥିଲେ। ବ୍ୟାଙ୍କିଂ ବ୍ୟବସ୍ଥାକୁ ଏସବୁ ମାଧ୍ୟମରେ ବିପୁଳ ପରିମାଣର ଅଚଳ ନୋଟ୍ ଫେରିଥିଲେ ମଧ୍ୟ ଏହାର ହିସାବ ରିଜର୍ଭ ବ୍ୟାଙ୍କ ପାଖରେ ନାହିଁ। ୟୁଟିଲିଟି ବିଲ୍ ପ୍ରଦାନ ବାବଦରେ କେତେ ଅଚଳ ନୋଟ୍ ବ୍ୟବହାର ହୋଇଛି ବୋଲି ସୂଚନା ଅଧିକାର ଆଇନ ବଳରେ ରିଜର୍ଭ ବ୍ୟାଙ୍କକୁ ତଥ୍ୟ ମଗାଯାଇଥିଲା। ହେଲେ ଏହି ତଥ୍ୟ ରିଜର୍ଭ ବ୍ୟାଙ୍କ ନିକଟରେ ନାହିଁ ବୋଲି କୁହାଯାଇଛି।
ସରକାର ଅଚଳ ଘୋଷଣା କରିଥିବା ୧୦୦୦ ଏବଂ ୫୦୦ ଟଙ୍କିଆ ନୋଟ୍ ମଧ୍ୟରୁ ୯୯.୩ ପ୍ରତିଶତ ନୋଟ୍ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରି ଆସିଛି ବୋଲି ଗତବର୍ଷ ଅଗଷ୍ଟରେ ରିଜର୍ଭ ବ୍ୟାଙ୍କ ପ୍ରକାଶ କରିଥିବା ତଥ୍ୟରେ ସୂଚନା ଦେଇଥିଲା। କଳାଟଙ୍କା ଓ ଦୁର୍ନୀତିକୁ ରୋକିବା ଲାଗି ସରକାର ହଠାତ୍ ଏଭଳି କଷ୍ଟଦାୟକ ନିଷ୍ପତ୍ତି ନେଇଥିଲେ ମଧ୍ୟ ଖୁବ୍ କମ୍ ପରିମାଣର ଅର୍ଥ ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରି ନଥିଲା। ୨୦୧୬ ନଭେମ୍ବର ୮ରେ ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ଅଚଳ ଘୋଷଣା କରାଯିବା ଦିନ ସେତେବେଳେ ପ୍ରଚଳନରେ ୧୫ ଲକ୍ଷ ୪୧ ହଜାର କୋଟି ଟଙ୍କା ରହିଥିଲା। କିନ୍ତୁ ଏହା ମଧ୍ୟରୁ ୧୫ ଲକ୍ଷ ୩୧ ହଜାର କୋଟି ଟଙ୍କା ବ୍ୟାଙ୍କିଂ ବ୍ୟବସ୍ଥାକୁ ଫେରି ଆସିଛି। କେତେ ସଂଖ୍ୟକ ଏବଂ କେତେ ମୂଲ୍ୟର ୫୦୦ ଓ ୧୦୦୦ ଟଙ୍କିଆ ନୋଟ ବଦଳ ହୋଇଛି ବୋଲି ପ୍ରଚରାଯାଇଥିବା ପ୍ରଶ୍ନର ଉତ୍ତର ମଧ୍ୟ ରିଜର୍ଭ ବ୍ୟାଙ୍କ ଦେଇନାହିଁ। ୨୦୧୬ ନଭେମ୍ବର ୨୮ରେ ଜାରି ହୋଇଥିବା ପ୍ରେସ୍ ବିବୃତିକୁ ଦେଖିବା ଲାଗି ଏଥିରେ କୁହାଯାଇଛି। ସେହି ପ୍ରେସ ବିବୃତିରେ କୁହାଯାଇଥିଲା ଯେ, ବ୍ୟାଙ୍କ ଗୁଡ଼ିକ ଅଚଳ ନୋଟ୍ ଜମା ଏବଂ ବଦଳ ବାବଦରେ ୨୦୧୬ ନଭେମ୍ବର ୧୦ରୁ ୨୦୧୬ ନଭେମ୍ବର ୨୭ ମଧ୍ୟରେ ୮ ଲକ୍ଷ ୪୪ ହଜାର ୯୮୨ କୋଟି ଟଙ୍କା ଗ୍ରହଣ କରିଛନ୍ତି। ଏଥିରୁ ବଦଳ ହୋଇଥିବା ପରିମାଣ ୩୩,୯୪୮ କୋଟି ଟଙ୍କା ହୋଇଥିବାବେଳେ ଜମା ପରିମାଣ ୮ଲକ୍ଷ ୧୧ ହଜାର ୩୩ କୋଟି ଟଙ୍କା ରହିଛି। ଉଲ୍ଲେଖଯୋଗ୍ୟ ଯେ ଅଚଳ ନୋଟ ବଦଳ ପାଇଁ ବ୍ୟାଙ୍କ ଗୁଡ଼ିକରେ ୨୦୧୬ ନଭେମ୍ବର ୨୪ ପର୍ଯ୍ୟନ୍ତ ସୁଯୋଗ ମିଳିଥିଲା ବେଳେ ୨୦୧୬ ଡିସେମ୍ବର ୩୦ ସୁଦ୍ଧା ଜମା କରିବା ସୁଯୋଗ ମିଳିଥିଲା। ସେହିଭଳି କେୱାଇସି ଲିଙ୍କ୍ ଥିବା ବୀମା ଭଳି ଉତ୍ପାଦ କ୍ରୟରେ କେତେ ଅଚଳ ନୋଟ୍ ଫେରିଛି ତାହାର ହିସାବ ମଧ୍ୟ ରିଜର୍ଭ ବ୍ୟାଙ୍କ ନିକଟରେ ନାହିଁ। ଏହି ପ୍ରଶ୍ନର ଗୋଟିଏ ଅଂଶ ରିଜର୍ଭ ବ୍ୟାଙ୍କ ଆଇଆରଡିଏଆଇ ନିକଟକୁ ପଠାଇଛି। କିନ୍ତୁ ଆଇଆରଡିଏଆଇ କହିଛି ଏଭଳି ରିପୋର୍ଟ ତାହା ନିକଟରେ ନାହିଁ।