ପୁଲଵାମା ଆକ୍ରମଣ ପଛରେ ବିଦ୍ୟୁତ୍ କର୍ମୀ

ଶ୍ରୀନଗର: ଗତ ମାସ ୧୪ ତାରିଖରେ ପୁଲଵାମାରେ ୪୧ ଯବାନଙ୍କ ମୃତ୍ୟୁର କାରଣ ସାଜିଥିବା ଆତଙ୍କବାଦୀ ଆକ୍ରମଣ ପଛରେ ଜୈସ୍-ଏ-ମହମ୍ମଦ(ଜେଇଏମ୍) ସଦସ୍ୟ ମୁଦାସିର ଅହମଦ ଖାଁ ଓରଫ ମହମ୍ମଦ ଭାଇର ପ୍ରଚ୍ଛନ୍ନ ହାତ ଥିଲା ବୋଲି ଜଣାଯାଇଛି। ୨୩ ବର୍ଷୀୟ ସ୍ନାତକ ଡିଗ୍ରିଧାରୀ ମୁଦାସିର ପେସାରେ ଜଣେ ବିଦ୍ୟୁତ୍ କର୍ମୀ। ପୁଲଵାମା ବିସ୍ଫୋରଣରେ ବ୍ୟବହୃତ ଗାଡ଼ି ଏବଂ ବିସ୍ଫୋରକ ସାମଗ୍ରୀ ସେ ହିଁ ଯୋଗାଡ଼ କରିଥିଲା ବୋଲି ସୁରକ୍ଷା ଅଧିକାରୀମାନେ ଜାଣିବାକୁ ପାଇଛନ୍ତି। ଜମ୍ମୁ କଶ୍ମୀର ଅନ୍ତର୍ଗତ ଟ୍ରାଲର ମିର୍ ମହଲା ବାସିନ୍ଦା ମୁଦାସିର୍ ଜଣେ ସାଧାରଣ ଶ୍ରମିକର ବଡ଼ପୁଅ। ସ୍ନାତକ ପରେ ସେ ବିଦ୍ୟୁତୀକରଣରେ ଏକ ବର୍ଷିକିଆ ଆଇଟିଆଇ ପାଠ୍ୟକ୍ରମ ସାରିଛି। ତେବେ ୨୦୧୭ରେ ସେ ଆତଙ୍କବାଦୀ ସଂଗଠନ ଜେଇଏମରେ ଯୋଗଦେଇ ଜଣେ ସାଧାରଣ କର୍ମୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲା। ପରେ ସଂଗଠନର ନୂର୍ ତ୍ରାଲି ସଂସ୍ପର୍ଶରେ ଆସି କଶ୍ମୀର ଉପତ୍ୟକାରେ ଜେଇଏମକୁ ସୁସଂଗଠିତ କରିବାରେ ସହାୟକ ହୋଇଥିଲା। ତେବେ ୨୦୧୭ ଡିସେମ୍ବରରେ ସୁରକ୍ଷା କର୍ମୀଙ୍କ ଦ୍ବାରା ତ୍ରାଲି ନିହତ ହେବା ପରେ ମୁଦାସିର୍ ୨୦୧୮ ଜାନୁଆରି ୧୪ରୁ ଘରୁ ସମ୍ପୂର୍ଣ୍ଣ ଗାଏବ ହୋଇଯାଇ ସଂଗଠନ ପାଇଁ ସକ୍ରିୟ ଭୂମିକା ନିଭାଇ ଆସୁଛି। ପୁଲଵାମାରେ ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଆଦିଲ ଅହମଦ ଦାର୍ ସହ ମୁଦାସିର୍ ନିୟମିତ ଯୋଗାଯୋଗରେ ରହିଥିଲା। ପୁଲଵାମା ଆକ୍ରମଣର ତଦନ୍ତ କରୁଥିବା ଏନ୍ଆଇଏ ଗତ ୨୭ ତାରିଖରେ ମୁଦାସିର ଘରେ ଚଢ଼ଉ କରି ଏହା ଜାଣିବାକୁ ପାଇଛି।

ସମ୍ବନ୍ଧିତ ଖବର