ରିଜର୍ଭ ବ୍ୟାଙ୍କ କେନ୍ଦ୍ରକୁ ଦେବ ୫୭ ହଜାର କୋଟି

ବୋର୍ଡ ବୈଠକରେ ନିଷ୍ପତ୍ତି

ମୁମ୍ବାଇ : କେନ୍ଦ୍ର ସରକାରଙ୍କୁ ଭାରତୀୟ ରିଜର୍ଭ ବ୍ୟାଙ୍କ ୭୫,୧୨୮ କୋଟି ଟଙ୍କାର ଲାଭାଂଶ ପ୍ରଦାନ କରିବ। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୋର୍ଡ ବୈଠକରେ ଆଜି ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷର ଲାଭାଂଶ ବାବଦରେ ରିଜର୍ଭ ବ୍ୟାଙ୍କ ଏହି ପାଣ୍ଠି ସରକାରଙ୍କୁ ଦେବ। ରିଜର୍ଭ ବ୍ୟାଙ୍କ ଠାରୁ ୬୦ ହଜାର କୋଟି ଟଙ୍କାର ଲାଭାଂଶ ମିଳିବ ବୋଲି ସରକାର ବଜେଟ୍‌ରେ‌ ଘୋଷଣା କରିଥିଲେ।

ଗତବର୍ଷ କେନ୍ଦ୍ର ସରକାରଙ୍କୁ ରିଜର୍ଭ ବ୍ୟାଙ୍କ ୧ ଲକ୍ଷ ୭୬ ହଜାର କୋଟି ଟଙ୍କା ହସ୍ତାନ୍ତର କରିଥିଲା। ଅବଶ୍ୟ ଅର୍ଥନୈତିକ ପୁଞ୍ଜି ଫ୍ରେମ୍‌ୱର୍କକୁ ଲାଗୁ କରାଯିବାରୁ ସେହି ବର୍ଷ ଏତେ ଅଧିକ ପାଣ୍ଠି ସରକାରଙ୍କୁ ଦିଆଯାଇଥିଲା। ୨୦୧୮-୧୯ ଆର୍ଥିକ ବର୍ଷରେ ଏହା ସରକାରଙ୍କୁ ପ୍ରଥମେ ୧,୨୩,୪୧୪ କୋଟି ଟଙ୍କା ଦେଇଥିଲା। କିନ୍ତୁ କିଛି ଦିନ ପରେ ବିମଳ ଜାଲାନ କମିଟିଙ୍କ ସୁପାରିସ ଆଧାରରେ ଆଉ ୫୨,୬୩୭ କୋଟି ଟଙ୍କା ସରକାରଙ୍କୁ ଦେବାକୁ ପଡ଼ିଥିଲା। କମିଟି ପକ୍ଷରୁ ସୁପାରିସ କରାଯାଇଥିବା ଅର୍ଥନୈତିକ ପୁଞ୍ଜି ଫ୍ରେମ୍‌ୱର୍କକୁ ଗତବର୍ଷ ରିଜର୍ଭ ବ୍ୟାଙ୍କ ବୋର୍ଡ ମଞ୍ଜୁର କରିବା ସହ ଲାଗୁ କରିଥିଲା। ସେହି ଫ୍ରେମ୍‌ୱର୍କ ଅନୁଯାୟୀ, ଜରୁରୀକାଳୀନ ବିପଦକୁ ସାମ୍ନା କରିବା ଲାଗି ରିଜର୍ଭ ବ୍ୟାଙ୍କ ନିଜ ପାଖରେ ବାଲାନ୍ସ ସିଟ୍‌ର ୫.୫-୬.୫ ପ୍ରତିଶତ ପାଣ୍ଠି ରଖିପାରିବ। ସେହି ହାରକୁ ୫.୫ ପ୍ରତିଶତରେ ରଖିବା ଲାଗି ରିଜର୍ଭ ବ୍ୟାଙ୍କ ବୋର୍ଡ ଆଜି ନିଷ୍ପତ୍ତି ନେଇଛି। ଜରୁରୀକାଳୀନ ପାଣ୍ଠିରେ ରିଜର୍ଭ ବ୍ୟାଙ୍କ ବାଲାନ୍ସ ସିଟ୍‌ର କେତେ ପ୍ରତିଶତ ରାଶି ରହିବ ତାହାକୁ ନେଇ ଅତୀତରେ ବିବାଦ ଦେଖାଦେଇଥିଲା। ସେଥିପାଇଁ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଉର୍ଜିତ ପଟେଲ୍‌ ଓ ସରକାରଙ୍କ ମଧ୍ୟରେ ମତଭେଦ ଦେଖାଦେଇଥିଲା। ସେଥିପାଇଁ ଉର୍ଜିତ ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ନିଜ ପଦରୁ ଇସ୍ତଫା ଦେଇଥିଲେ।

ରିଜର୍ଭ ବ୍ୟାଙ୍କ ବାଲାନ୍ସ ସିଟ୍‌ର ସମୀକ୍ଷା କରିବା ଲାଗି ଆଜିର ବୋର୍ଡ ବୈଠକ ଆୟୋଜନ କରାଯାଇଥିଲା। ସେହି ପ୍ରକ୍ରିୟାର ଏକ ଅଂଶ ଥିଲା ଜରୁରୀକାଳୀନ ପାଣ୍ଠିର ସୀମା ଧାର୍ଯ୍ୟ କରିବା ଯାହାକୁ ରିଜର୍ଭ ବ୍ୟାଙ୍କ ମୋଟ ବାଲାନ୍ସ ସିଟ୍‌ର ୫.୫ ପ୍ରତିଶତରେ ରଖିବ ବୋଲି ଧାର୍ଯ୍ୟ କରିଛି। ଇନୋଭେସନ୍ ହବ୍ ସ୍ଥାପନ କରିବା ଓ ଅର୍ଥନୀତିର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।

କରୋନା ମହାମାରୀ ପ୍ରଭାବରେ ଦେଶର ଆର୍ଥିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯାଇଥିବା ଭଳି ଏକ ସମୟରେ ରିଜର୍ଭ ବ୍ୟାଙ୍କ ଠାରୁ ବହୁ ମୂଲ୍ୟ ୫୭ ହଜାର କୋଟି ଟଙ୍କା ମିଳିବ। କିନ୍ତୁ, ସରକାରଙ୍କ ଚିନ୍ତା ଦୂର କରିବା ଲାଗି ସେହି ରାଶି ଯଥେଷ୍ଟ ନୁହେଁ। ଦେଶର ବିତ୍ତୀୟ ନିଅଣ୍ଟ ୬.୬୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି। ସରକାରଙ୍କ ବ୍ୟୟ ଠାରୁ ରାଜସ୍ବ ଆୟ କମ୍ ରହିବା ସ୍ଥିତିରେ ବିତ୍ତୀୟ ନିଅଣ୍ଟ ସୃଷ୍ଟି ହୁଏ। ରାଜସ୍ବ ନିଅଣ୍ଟ ଭରଣା କରିବା ଲାଗି ସରକାରଙ୍କୁ ଋଣ ଉପରେ ଅତ୍ୟଧିକ ନିର୍ଭରଶୀଳ ରହିବାକୁ ପଡ଼ିବ।

ସମ୍ବନ୍ଧିତ ଖବର