ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତାଙ୍କ ଇସ୍ତଫା

ନୂଆଦିଲ୍ଲୀ : ଦେଶର ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂତ୍ତି ସୁବ୍ରମଣିଅନ୍‌ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଏହି ପଦରେ ସେ ତିନି ବର୍ଷ କାର୍ଯ୍ୟ କରିଛନ୍ତି। ପାଠପଢ଼ା କ୍ଷେତ୍ରକୁ ଫେରିବା ଲାଗି ଅର୍ଥନୈତିକ ପରାମର୍ଶଦାତା ପଦରୁ ଇସ୍ତଫା ଦେଉଛି। ଦେଶ ପ୍ରତି ସେବା ପ୍ରଦାନ କରିବା ଲାଗି ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ସେ କହିଛନ୍ତି। ମହାମାରୀ ସମୟରେ ଦେଶର ଅର୍ଥନୈତିକ ନୀତି ନିର୍ଧାରଣ କରିବାରେ ସେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ। ଅର୍ଥନୀତିରେ ଦ୍ରୁତ ସୁଧାର ହେବ ବୋଲି ସେ ସବୁବେଳେ କହୁଥିଲେ। ଦ୍ବିତୀୟ ଲହର ପରେ ଯେଉଁଭଳି ସୁଧାର ହୋଇଛି ତାହା ତାଙ୍କ ଆକଳନକୁ ସତ ପ୍ରମାଣିତ କରିଛି। ‌ଭାରତ ସରକାରଙ୍କ ପାଇଁ କାମ କରିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମର୍ଥନ ମିଳିଥିଲା ଏବଂ ହୃଦୟରୁ ସେ ଜଣେ ବୁଦ୍ଧିଜୀବୀ ବୋଲି ସୁବ୍ରମଣିଅନ୍ କହିଛନ୍ତି। ୨୦୧୮ ଡିସେମ୍ବର ୭ରେ ସେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଥିଲେ। ଏହି ପଦରେ କାର୍ଯ୍ୟ କରୁଥିବା ଅରବିନ୍ଦ ସୁବ୍ରମଣିଅନ୍ ନିଜ କାର୍ଯ୍ୟକାର ଶେଷ ହେବା ପୂର୍ବରୁ ଇସ୍ତଫା ଦେଇଥିଲେ। ପରିବାର ପ୍ରତି ସମୟ ଦେବା ଲାଗି ଅରବିନ୍ଦ ଇସ୍ତଫା ଦେଇଥିଲେ। ତାଙ୍କ ଭଳି ସୁବ୍ରମଣିଅନ୍ ମଧ୍ୟ କାର୍ଯ୍ୟକାଳ ଶେଷ ହେବାକୁ ପୂର୍ବରୁ ପଦ ଛାଡ଼ିଥିଲେ। ଆଇଆଇଟି, ଆଇଆଇଏମ୍‌ରେ ପାଠ ପଢ଼ିଥିବା ଏବଂ ଆମେରିକାର ସିକାଗୋର ବୁଥ୍‌ ସ୍କୁଲ୍‌ରୁ ପିଏଚ୍‌ଡି ହାସଲ କରିଥିବା ସୁବ୍ରମଣିଅନଙ୍କ ବ୍ୟାଙ୍କ, କର୍ପୋରେଟ୍ ପ୍ରଶାସନ ଓ ଅର୍ଥନୈତିକ ନୀତି ଉପରେ ଗଭୀର ଜ୍ଞାନ ରହିଛି। ଏହି କ୍ଷେତ୍ରରେ ବିଶ୍ବର କିଛି ହାତଗଣତି ବିଶେଷଜ୍ଞଙ୍କ ମଧ୍ୟରେ ତାଙ୍କ ନାମ ରହିଛି।

ସମ୍ବନ୍ଧିତ ଖବର