ଷ୍ଟାର୍ଟଅପ୍‌କୁ ନିନ୍ଦା ମହଙ୍ଗା ପଡ଼ିଲା: ୨୦ କୋଟିର ମାନହାନି ମକଦ୍ଦମା ରୁଜୁ, ହାଇକୋର୍ଟଙ୍କ ତାଗିଦ୍‌

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ଶିକ୍ଷା-ପ୍ରଯୁକ୍ତି କଂପାନି ବାଇଜୁସ୍‌ ମାଲିକାନାରେ ଥିବା ଷ୍ଟାର୍ଟଅପ୍ ସଂସ୍ଥା ହ୍ବାଇଟ୍‌ହାଟ୍‌ ଜୁନିଅର୍‌କୁ ସୋସିଆଲ୍ ମିଡିଆରେ ଖୋଲାଖୋଲି ଭାବେ ନିନ୍ଦା କରିବା, ଏହାର ଶିକ୍ଷକମାନଙ୍କ ବିରୋଧରେ କଟୁ ମନ୍ତବ୍ୟ ଦେବା ଏବଂ ଭିଡିଓ ପ୍ରସ୍ତୁତ କରି ୟୁଟ୍ୟୁବ୍‌ରେ ଜାରି କରିବା ଭଳି କାର୍ଯ୍ୟ ପ୍ରଦୀପ ପୁନିଆ ନାମକ ଜଣେ ବ୍ୟକ୍ତିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ହ୍ବାଇଟ୍‌ହାଟ୍‌ ଜୁନିଅର୍‌ର ପ୍ରତିଷ୍ଠାତା ତଥା ସିଇଓ କରନ ବଜାଜ ତାଙ୍କ ନାମରେ ୨୦ କୋଟି ଟଙ୍କାର ମାନହାନି ମକଦ୍ଦମା ରୁଜୁ କରିଛନ୍ତି। ଦିଲ୍ଲୀ ହାଇକୋର୍ଟ ଉକ୍ତ ମାମଲାର ଶୁଣାଣି କରି ପ୍ରଦୀପଙ୍କୁ କଡ଼ା ତାଗିଦ କରିଛନ୍ତି। ହ୍ବାଇଟ୍‌ହାଟ୍‌ ଜୁନିଅର ସମ୍ପର୍କିତ ସମସ୍ତ ଲେଖା, ଭିଡିଓ ଓ ଅନ୍ୟାନ୍ୟ ବିଷୟବସ୍ତୁ ସବୁ ପ୍ରକାର ପ୍ଲାଟଫର୍ମରୁ ତୁରନ୍ତ ହଟାଇବାକୁ ତାଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି। ପ୍ରଦୀପଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି ଯେ ଏକ ସୁସ୍ଥକର ବିତର୍କ କରିବାରେ କ’ଣ ଅସୁବିଧା ରହିଛି? ତାଙ୍କ ଶିକ୍ଷକମାନେ ଗୃହିଣୀ ବୋଲି କହି ତୁମେ ତାତ୍ସଲ୍ୟ କରିଛ?

ଏହାର ଅର୍ଥ କ’ଣ ସେମାନେ ନିରକ୍ଷର। ଏଭଳି ଅପମାନସୂଚନ ମନ୍ତବ୍ୟ ସେମାନଙ୍କ ପ୍ରତି କିଭଳି ବ୍ୟବହାର କରୁଛ ବୋଲି ପ୍ରଦୀପଙ୍କୁ କୋର୍ଟ ପ୍ରଶ୍ନ କରିଛନ୍ତି। ପ୍ରଦୀପ କେବଳ ହ୍ବାଇଟ୍‌ହାଟ୍ ଜୁନିଅରକୁ ସମାଲୋଚନା କରିବାରେ ଅଟକି ଯାଇନଥିଲେ। ସେ କଂପାନିର ଆଇନଜୀବୀଙ୍କ ନାମ ଓ ଫୋନ୍‌ ନମ୍ବରକୁ ସାର୍ଜଜନୀନ କରିଥିଲେ। ହ୍ବାଇଟ୍‌ହାଟ୍‌ ଜୁନି୍ଅର ପ୍ରତିଷ୍ଠାତାଙ୍କ ପାସ୍‌ୱାର୍ଡ ଚୋରି କରିବା ଅଭିଯୋଗ ତାଙ୍କ ନାମରେ ରହିଛି। ଛୋଟ ପିଲାମାନଙ୍କୁ କୋଡିଂ କ୍ଲାସ୍‌ ପାଇଁ ବାଧ୍ୟ କରିବା ଦ୍ବାରା ତାହାର ପ୍ରଭାବ ସେମାନଙ୍କ ଉପରେ ସାରା ଜୀବନ ରହିବ। ଏହାକୁ ସେ ଶିଶୁ ଯୌନ ଉତ୍ପୀଡ଼ନ ସହ ସେ ତୁଳନା କରିଥିଲେ। ଆଜି ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ କହିଥିଲେ ଯେ ପିଲାମାନଙ୍କ ଉପରେ ଏତେ ଚାପ ଦେବା ଠିକ୍ ନା ନାହିଁ ତାହାକୁ ନେଇ ବିତର୍କ ଜାରି ରହିଛି। ପିଲାମାନଙ୍କୁ ଏତେ ଅଧିକ ଅନ୍‌ଲାଇନ୍‌ କ୍ଳାସ୍‌ରେ ସାମିଲ କରାଯିବା ଉଚିତ ନା ନାହିଁ ତାହା ମଧ୍ୟ ବିତର୍କର ବିଷୟ। କିନ୍ତୁ ସୁସ୍ଥକର ବିତର୍କ କରିବା ଓ ଅପମାନସୂଚକ ମନ୍ତବ୍ୟ ଦେବା ଭିତରେ ଫରକ ରହିଛି। ପ୍ରଦୀପଙ୍କ ଆଇନଜୀବୀ ସ୍ବାତି ସୁକୁମାର କୋର୍ଟଙ୍କୁ ଅବଗତ କରିଥିଲେ ଯେ ହ୍ବାଇଟ୍‌ହାଟ୍‌ ଜୁନିଅର ନିଜ ପ୍ରଚାରରେ ଏଭଳି କିଛି ଶିଶୁଙ୍କ ବିଷୟରେ ଉଲ୍ଲେଖ କରିଛି ଯାହା କାଳ୍ପନିକ ନା କ’ଣ ତାହା ଜଣାପଡ଼ୁନାହିଁ। ଏହି ସଂସ୍ଥା ଲୋକମାନଙ୍କୁ ଠକିବାକୁ ଚେଷ୍ଟା କରୁଛି ବୋଲି ସେ କହିଥିଲେ। ପେସାରେ ଜଣେ ସଫଟ୍‌ଓୟାର ଇଞ୍ଜିନିୟର ଥିବା ପ୍ରଦୀପ ନିୟମିତ ଭାବେ ହ୍ବାଇଟ୍‌ହାଟ୍‌ ଜୁନିଅର୍‌କୁ ଟାର୍ଗେଟ୍ କରୁଥିଲେ। ସେଥିପାଇଁ ଅତୀତରେ ତାଙ୍କର ଦୁଇଟି ରେଡିଟ୍‌ ଆକାଉଣ୍ଟ୍‌, ଗୋଟିଏ ଟ୍ବିଟର୍‌ ଆକାଉଣ୍ଟ୍‌, ଦୁଇଟି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଓ ଗୋଟିଏ କୋରା ଆକାଉଣ୍ଟ୍‌ ବାତିଲ କରାଯାଇଥିଲା। ୟୁଟ୍ୟୁବ୍‌ରୁ ତାଙ୍କର ୧୬ଟି ଭିଡିଓ ମଧ୍ୟ ହଟାଇ ଦିଆଯାଇଛି।

ସମ୍ବନ୍ଧିତ ଖବର