ଋଣ ସୁଧହାର କମାଇଲା ଷ୍ଟେଟ ବ୍ୟାଙ୍କ ; ଗୃହ, ଯାନବାହାନ ଋଣ ଶସ୍ତା ହେବା ସମ୍ଭାବନା

ମୁମ୍ବାଇ : ଦେଶର ବୃହତ୍ତମ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ଷ୍ଟେଟ ବ୍ୟାଙ୍କ ନିଜର ଋଣ ସୁଧହାର ୧୫ ବେସିସ ପଏଣ୍ଟ ପର୍ଯ୍ୟନ୍ତ ହ୍ରାସ କରିଛି । ଏହା ଫଳରେ ଗୃହ ଓ ଯାନବାହାନ ଋଣ ଶସ୍ତା ହେବାର ସମ୍ଭାବନା ରହିଛି । ତେବେ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ସବୁ ସଂଚୟ ଜମା ଖାତାରେ ଦିଆଯାଉଥିବା ସୁଧହାରକୁ ୩ ପ୍ରତିଶତକୁ ହ୍ରାସ କରାଯାଇଛି ।

ବୁଧବାରଦିନ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ ବ୍ୟାଙ୍କ ବିଭିନ୍ନ ମିଆଦ ପାଇଁ ନିଜର ସର୍ବନିମ୍ନ ଋଣସୁଧହାର ଏମସିଏଲଆର ୧୫ ବେସିସ ପଏଣ୍ଟ ବା ୦.୧୫ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ କରିଛି । ଏକ ବର୍ଷର ଏମସିଏଲଆର ୧୦ ବେସିସ ପଏଣ୍ଟ ହ୍ରାସ ପାଇ ୭.୭୫ ପ୍ରତିଶତକୁ କମିଯାଇଛି । ଏହା ଫଳରେ ଗୃହଋଣ ସମେତ ଅନ୍ୟ ଋଣ ସୁଧହାର କମିବ । ଏହି ନୂତନ ହାର ମାର୍ଚ୍ଚ ୧୦ରୁ ଲାଗୁ ହେବ । ଚଳିତ ଆର୍ଥକ ବର୍ଷରେ ଷ୍ଟେଟ ବ୍ୟାଙ୍କର ଏହା ୧୦ ମ ସୁଧହାର ହ୍ରାସ ।

ଷ୍ଟେଟ ବ୍ୟାଙ୍କ ଗତ ଫେବ୍ରୁଆରୀ ମାସରେ ମଧ୍ୟ ଋଣ ଓ ଜମା ସୁଧହାର ହ୍ରାସ କରିଥିଲା । ବ୍ୟାଙ୍କ ନିଜର ସର୍ବନିମ୍ନ ଋଣସୁଧହାର ଏମସିଏଲଆର ୫ ବେସିସ ପଏଣ୍ଟ ବା ୦.୦୫ ପ୍ରତିଶତ ହ୍ରାସ କରିଥିଲା । ସେହିପରି ଷ୍ଟେଟ ବ୍ୟାଙ୍କ ପକ୍ଷରୁ ଫିକ୍ସ ଡିପୋଜିଟ ବା ସ୍ଥାୟୀ ଜମା ଉପରେ ସୁଧହାର ୧୦ରୁ ୫୦ ବେସିସ ପଏଣ୍ଟ (୦.୧% ରୁ ୦.୫% )ପର୍ଯ୍ୟନ୍ତ ହ୍ରାସ କରିଥିଲା ।

ସମ୍ବନ୍ଧିତ ଖବର