ସେଲ୍‌ ଅଧ୍ୟକ୍ଷଙ୍କୁ କରୋନା

ନୂଆଦିଲ୍ଲୀ: ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍‌ (ସେଲ୍‌) ଅଧ୍ୟକ୍ଷ ଅନିଲ କୁମାର ଚୌଧାରୀ କରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି। କେବଳ ଶ୍ରୀ ଚୌଧାରୀ ନୁହଁନ୍ତି, ସେଲ୍‌ର କର୍ପୋରେଟ୍ କାର୍ଯ୍ୟାଳୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ ଗୁଣ ବୃଦ୍ଧି ପାଇ ୨୫ରେ ପହଞ୍ଚିଛି। କରୋନାରେ ଆକ୍ରାନ୍ତ ହେବା ପରେ ଶ୍ରୀ ଚୌଧାରୀ ସଙ୍ଗରୋଧରେ ଅଛନ୍ତି। କାର୍ଯ୍ୟାଳୟରେ ଜଣେ କୋଭିଡ ପଜିଟିଭ ବ୍ୟକ୍ତି ଶ୍ରୀ ଚୌଧାରୀଙ୍କୁ ସଂସ୍ପର୍ଶରେ ଆସିବା ଯୋଗୁ ସେ ଏଥିରେ ପୀଡ଼ିତ ହୋଇଥିବା କୁହାଯାଉଛି। କର୍ପୋରେଟ୍ କାର୍ଯ୍ୟାଳୟରେ କରୋନା ପଜିଟିଭ ଚିହ୍ନଟ ହୋଇଥିବା ୨୫ ଜଣଙ୍କ ମଧ୍ୟରେ କେତେଜଣ ବରିଷ୍ଠ ଅଧିକାରୀ ମଧ୍ୟ ରହିଛନ୍ତି। ତେବେ କର୍ପୋରେଟ୍ କାର୍ଯ୍ୟାଳୟରେ ଯେଭଳି ‌କରୋନା ସଂକ୍ରମଣ ଆଉ ଅଧିକ ନବ୍ୟାପେ ସେଥିପାଇଁ ଏକାଧିକ ପଦକ୍ଷେପ ନିଆଯାଇଛି ବୋଲି ସେଲ୍‌ର ଜଣେ ପ୍ରବକ୍ତା କହିଛନ୍ତି। କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କର କୋଭିଡ ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୨୫ରୁ ୩୦ ଜଣ ପଜିଟିଭ ବାହାରି ଥିବା ସେ କହିଛନ୍ତି।

ସମ୍ବନ୍ଧିତ ଖବର