ସେନ୍‌ସେକ୍ସରେ ୧୩୭୫ ପଏଣ୍ଟ ହ୍ରାସ, ନିବେଶକ ହରାଇଲେ ୨.୮୫ ଲକ୍ଷ କୋଟି

ମୁମ୍ବାଇ: ଗତ ସପ୍ତାହରେ ଭଲ ପ୍ରଦର୍ଶନ କରିଥିବା ବମ୍ବେ ଷ୍ଟକ ବଜାରର ସେନ୍ସେକ୍ସ ଆଜି ପୁଣି ଥରେ ୧୩୭୫ ପଏଣ୍ଟ୍ ତଳକୁ ଖସିଯାଇଛି। କରୋନା ଭୂତାଣୁ ଦ୍ବାରା ସଂକ୍ରମଣ ଲୋକଙ୍କ ସଂଖ୍ୟା ବଢ଼ିବା ଏବଂ ସାରା ବିଶ୍ବରେ ଜନଜୀବନ ଓ କାରବାର ଠପ୍ ହୋଇଯାଇଥିବାରୁ ନିବେଶକମାନଙ୍କ ମନରେ ଭୟ ସୃଷ୍ଟି ହୋଇଛି। ସେଥିପାଇଁ ନିବେଶକମାନେ ନିଜ ପାଖରେ ଥିବା ସେୟାର ବିକ୍ରି କରୁଛନ୍ତି। ସେନସେକ୍ସ ଆଜି ୧୩୭୫ ପଏଣ୍ଟ୍ ହ୍ରାସ ପାଇ ୨୮,୪୪୦ ପଏଣ୍ଟ୍‌ରେ ବନ୍ଦ ହୋଇଛି। ସେହିପରି ନ୍ୟାସନାଲ୍ ଷ୍ଟକ୍ ଏକ୍ସଚେଞ୍ଜ୍‌ର ନିଫ୍ଟି ମଧ୍ୟ ୩୭୧ ପଏଣ୍ଟ୍ ହ୍ରାସ ପାଇ ୮୨୮୯ ପଏଣ୍ଟ୍ରେ ବନ୍ଦ ହୋଇଛି। ସେନ୍ସେକ୍ସରେ ଘଟିଥିବା ହ୍ରାସ କାରଣରୁ ନିବେଶକମାନେ ଆଜି ୨.୮୫ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଭାରତୀୟ ଷ୍ଟକ ବଜାରରୁ ବିଦେଶୀ ନିବେଶକମାନଙ୍କ ପାଣ୍ଠି ଉଠାଣ ଜାରି ରହିଛି। ଆଜି ମଧ୍ୟ ବୈଦେଶିକ ସଂସ୍ଥାଗତ ନିବେଶକମାନେ ବିପୁଳ ପରିମାଣର ପାଣ୍ଠି ଷ୍ଟକ ବଜାରରୁ ପ୍ରତ୍ୟାହାର କରିଛନ୍ତି। ସେମାନେ ଭାରତର ଇକ୍ବିଟି ଓ ଡେବ୍ଟ ସେୟାରଗୁଡ଼ିକୁ ବିକ୍ରି କରିଦେଉଛନ୍ତି। ଚଳିତ ମାସରେ ବିଦେଶୀ ନିବେଶକମାନେ ଇକ୍ବିଟି ବଜାରରୁ ୫୯, ୩୭୭ କୋଟି ଟଙ୍କା ଓ ଡେବ୍ଟ ବଜାରରୁ ୫୭,୦୦୦ କୋଟି ଟଙ୍କା ପ୍ରତ୍ୟାହାର କରିସାରିଲେଣି। ମୋଟ୍ ଉପରେ ସେମାନେ ୧ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରତ୍ୟାହାର କରିଛନ୍ତି। ଯାହାର ପ୍ରଭାବରେ ମୁଦ୍ରା ବିନିମୟ ବଜାରରେ ଭାରତୀୟ ଟଙ୍କା ଦୁର୍ବଳ ହେବାରେ ଲାଗିଛି। ଆଜି ଏକ ସମୟରେ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ମୂଲ୍ୟ ୭୬ ଟଙ୍କା ପାଖାପାଖି ପହଞ୍ଚିଯାଇଥିଲା।

ଷ୍ଟକ ବଜାରରେ ମଧ୍ୟମ ଧରଣର କଂପାନିଗୁଡ଼ିକର ସୂଚକାଙ୍କ ୨.୧୩ ପ୍ରତିଶତ ହ୍ରାସ ପାଇଥିବା ବେଳେ କ୍ଷୁଦ୍ର କଂପାନିଗୁଡ଼ିକର ସୂଚକାଙ୍କ ୧.୭୫ ପ୍ରତିଶତ କମିଛି। କ୍ଷେତ୍ର ମଧ୍ୟରେ ରିଅଲ ଇଷ୍ଟେଟ୍ ଅଧିକ କ୍ଷତି ସହିଛି। ରିଅଲ ଇଷ୍ଟେଟ୍ ସୂଚକାଙ୍କ ୭ ପ୍ରତିଶତ ହ୍ରାସ ପାଇଛି। ଗୋଦରେଜ୍ ପ୍ରପଟିଜ୍ ଓ ପ୍ରେଷ୍ଟିଜ୍ ଇଷ୍ଟେଟ୍‌ର ସେୟାର ମୂଲ୍ୟ ୧୦%ରୁ ଅଧିକ ହ୍ରାସ ପାଇଛି। ଆର୍ଥିକ କଂପାନିଗୁଡ଼ିକର ପ୍ରଦର୍ଶନ ମଧ୍ୟ ଏତେଟା ଭଲ ନଥିଲା। ଶ୍ରୀରାମ ଟ୍ରାନ୍ସପୋର୍ଟ ଫାଇନାନ୍ସ ଓ ବନ୍ଧନ ବ୍ୟାଙ୍କ ଆଜି ଅଧିକ କ୍ଷତି ସହିଛନ୍ତି। ଆଇସିଆଇସିଆଇ ବ୍ୟାଙ୍କ, କୋଟାକ୍ ବ୍ୟାଙ୍କ ଓ ବଜାଜ୍ ଫାଇନାନ୍ସ ସେୟାର ମଧ୍ୟ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର