କେନ୍ଦ୍ର ବଜେଟ ୨୦୨୦-୨୧, ସେନ୍‌ସେକ୍ସ ୯୮୭ ପଏଣ୍ଟ୍‌ ଖସିଲା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍‌ ଷ୍ଟକ ବଜାର ନିବେଶକଙ୍କୁ ନିରାଶ କରିଛି। ତାଙ୍କ ବଜେଟ୍‌ ଅଭିଭାଷଣ ଆରମ୍ଭ ହେବାର କିଛି ସମୟ ପରେ ସେନ୍‌ସେକ୍ସରେ ହ୍ରାସର ଧାରା ଆରମ୍ଭ ହୋଇଥିଲା। ସମୟ ଗଡ଼ି ଚାଲିବା ସହିତ ଏହା ଆହୁରି ତଳକୁ ଖସିଥିଲା। ବଜେଟ୍‌ ଅଭିଭାଷଣ ପଢ଼ା ଶେଷ ହେବା ପରେ ସେନ୍‌ସେକ୍ସ ଦ୍ରୁତ ଗତିରେ ତଳକୁ ଖସିଥିଲା। ଆଜି ବମ୍ବେ ଷ୍ଟକ ବଜାରରେ କାରବାର ଶେଷ ବେଳକୁ ସେନ୍‌ସେକ୍ସ ୯୮୭ ପଏଣ୍ଟ୍‌ ହ୍ରାସ ସହିତ ୩୯,୭୩୫ ପଏଣ୍ଟ୍‌ରେ ବନ୍ଦ ହୋଇଛି। ଏକ ସମୟରେ ଆଜି ସେନ୍‌ସେକ୍ସ ୧୨୭୪ ପଏଣ୍ଟ୍‌ ତଳକୁ ଖସିଯାଇଥିଲା। ସେଥିରେ ପରବର୍ତି ସମୟରେ ସାମାନ୍ୟ ସୁଧାର ଘଟିଥିଲା। ଜାତୀୟ ଷ୍ଟକ ବଜାର ନିଫ୍‌ଟିରେ ମଧ୍ୟ ସମାନ ପ୍ରତିଫଳନ ଦେଖିବାକୁ ମିଳିଛି। ନିଫ୍‌ଟି ୩୯୨ ପଏଣ୍ଟ୍‌ ଭଳି ବଡ଼ ଧରଣର ହ୍ରାସ ସହିତ ୧୧,୬୪୩ ପଏଣ୍ଟ୍‌ରେ ବନ୍ଦ ହୋଇଛି। ରିଅଲ ଇଷ୍ଟେଟ୍‌, ବ୍ୟାଙ୍କ, ଧାତବ, ଆର୍ଥିକ ସେବା, ଅଟୋମୋବାଇଲ୍‌ ଓ ସରକାରୀ ବ୍ୟାଙ୍କଗୁଡ଼ିକର ସେୟାରକୁ ନିବେଶକମାନେ ଅଧିକ ମାତ୍ରାରେ ବିକ୍ରି କରିଥିଲେ। ସେନ୍‌ସେକ୍ସରେ ଘଟିଥିବା ବଡ଼ଧରଣର ହ୍ରାସ ପାଇଁ ନିବେଶକମାନେ ଆଜି ୩ ଲକ୍ଷ ୪୬ ହଜାର କୋଟି ଟଙ୍କାର କ୍ଷତି ସହିଛନ୍ତି।

ସମ୍ବନ୍ଧିତ ଖବର