ଷ୍ଟକ୍‌ ବଜାରରେ ବଜେଟ୍‌ ଝଡ଼

ସେନ୍‌ସେକ୍ସ ଖସିଲା ୮୩୯ ପଏଣ୍ଟ୍‌, ନିବେଶକ ହରାଇଲେ ୫ ଲକ୍ଷ କୋଟି

ମୁମ୍ବାଇ: ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କ ବଜେଟ୍‌ ପ୍ରସ୍ତାବକୁ ନେଇ ନିବେଶକମାନେ ନିଜର ଅସନ୍ତୋଷ ଜାହିର କରିଛନ୍ତି। ଏହା ବମ୍ବେ ଷ୍ଟକ ବଜାର କାରବାରରୁ ସ୍ପଷ୍ଟ ହୋଇଛି। ନିବେଶକମାନେ ବିପୁଳ ପରିମାଣ ସେୟାର ବିକ୍ରି କରିଦେବାରୁ ସେନ୍‌ସେକ୍ସରେ ୮୩୯ ପଏଣ୍ଟ ହ୍ରାସ ହୋଇଛି। ଏଥି ସହିତ ନିବେଶକମାନଙ୍କ ପ୍ରାୟ ୫ ଲକ୍ଷ କୋଟି (୪ ଲକ୍ଷ ୬୦ ହଜାର କୋଟି) ଟଙ୍କାର କ୍ଷତି ହୋଇଛି। ସେନ୍‌ସେକ୍ସ ଆଜି ୮୩୯.୯୧ ପଏଣ୍ଟ୍‌ ହ୍ରାସ ପାଇ ୩୫,୦୬୬ ପଏଣ୍ଟ୍‌କୁ ଖସି ଆସିଛି। ଫଳରେ ବମ୍ବେ ଷ୍ଟକ ବଜାରର ମୋଟ ବଜାର ପୁଞ୍ଜି ପରିମାଣ ୪ ଲକ୍ଷ ୫୮ ହଜାର ୫୮୧ କୋଟି ଟଙ୍କା ହ୍ରାସ ପାଇ ୧୪୮ ଲକ୍ଷ ୫୪ ହଜାର ୪୫୨ କୋଟି ଟଙ୍କାକୁ ଖସିଆସିଛି। ୨୦୧୫ ଅଗଷ୍ଟ ୨୪ ପରେ ସେନ୍‌ସେକ୍ସରେ ଗୋଟିଏ ଦିନରେ ଏହା ସବୁଠୁ ବଡ଼ ଧରଣର ହ୍ରାସ। ୨୦୧୫ର ସେହିଦିନରେ ସେନସେକ୍ସ ୧୬୨୪ ପଏଣ୍ଟ୍‌ ହ୍ରାସ ପାଇଥିଲା। ବଜେଟ୍‌ରେ ଇକ୍ୱିଟି ଉପରେ ୧୦%ର ଦୀର୍ଘମିଆଦୀ ପୁଞ୍ଜି ଲାଭ ଟିକସ (ଏଲ୍‌ଟିସିଜି) ଲାଗୁ କରିବା ପ୍ରସ୍ତାବ ବିଷୟରେ ଘୋଷଣା କରାଯାଇଛି। ଏହାକୁ ନେଇ ନିବେଶକ ମହଲ ନିରାଶା ପ୍ରକଟ କରିଛି। ମ୍ୟୁଚୁଆଲ୍‌ ଫଣ୍ଡ୍‌ ଉପରେ ଲଗାଯାଇଥିବା ଟିକସ ମଧ୍ୟ ସେନ୍‌ସେକ୍ସ ହ୍ରାସର ଅନ୍ୟତମ କାରଣ ବୋଲି ବ୍ରୋକରେଜ୍‌ ସଂସ୍ଥାଗୁଡ଼ିକ ପକ୍ଷରୁ କୁହାଯାଇଛି। ଆଜି ଜାତୀୟ ଷ୍ଟକ ବଜାରର ନିଫ୍ଟି ମଧ୍ୟ ୨୫୬ ପଏଣ୍ଟ୍‌ ହ୍ରାସ ପାଇ ୧୦୭୬୦ ପଏଣ୍ଟ୍‌କୁ ଖସି ଆସିଛି।

ସମ୍ବନ୍ଧିତ ଖବର