ସେୟାର ବଜାର ହଲ୍‌ଚଲ୍‌ ଉପରେ ନଜର

ଆବଶ୍ୟକ ହେଲେ ପଦକ୍ଷେପ ନେବ ରିଜର୍ଭ ବ୍ୟାଙ୍କ

ମୁମ୍ବାଇ: ସେୟାର ବଜାରରେ ଗତ ସପ୍ତାହରୁ ଦେଖାଦେଇଥିବା ହଲ୍‌ଚଲ୍‌ ଉପରେ ଭାରତୀୟ ରିଜର୍ଭ ବ୍ୟାଙ୍କ ତୀକ୍ଷ୍ଣ ନଜର ରଖିଛି। ଯଦି ସ୍ଥିତି ଆହୁରି ବିଗିଡ଼ିବ ତେବେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଭାରତୀୟ ପ୍ରତିଭୂମି ଓ ବିନିମୟ ବୋର୍ଡ (ସେବି)ର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସେୟାର ବଜାର କାରବାର ଉପରେ ରିଜର୍ଭ ବ୍ୟାଙ୍କ ନଜର ରଖିଛି।
ଗତ ଶୁକ୍ରବାର ଷ୍ଟକ ବଜାରରେ କାରବାର ବେଳେ ହଠାତ୍‌ ସେନସେକ୍ସ ୧୦୦ ପଏଣ୍ଟ୍‌ ତଳକୁ ଖସିଯାଇଥିଲା। ଦିନସାରା ପାଖାପାଖି ୧୫୦୦ ପଏଣ୍ଟ୍‌ର ଉପରତଳ ହୋଇଥିଲା। ଏହାର ପୂର୍ବ ଦୁଇ ଦିନ ମଧ୍ୟ ବମ୍ବେ ଷ୍ଟକ ବଜାରର ସେନସେକ୍ସରେ ହ୍ରାସ ହୋଇଥିଲା। ତିନି ଦିନ ଭିତରେ ନିବେଶକମାନେ ୫.୬ ଲକ୍ଷ କୋଟି ଟଙ୍କାର କ୍ଷତି ସହିଛନ୍ତି। ଚଳିତ ମାସରେ ବିଦେଶୀ ନିବେଶକମାନେ ସେୟାର ବଜାରରୁ ୧୫,୩୬୫ କୋଟି ଟଙ୍କା ପ୍ରତ୍ୟାହାର କରିନେଇଛନ୍ତି। ଭାରତୀୟ ଷ୍ଟକ ବଜାରରେ ଏଭଳି ସ୍ଥିତି ବହୁତ କମ୍‌ ଦେଖିବାକୁ ମିଳେ। ଜୁଲାଇ ଓ ଅଗଷ୍ଟରେ ବିଦେଶୀ ନିବେଶକମାନେ ଭାରତୀୟ ସେୟାର ବଜାରରେ ବିପୁଳ ପରିମାଣର ନିବେଶ କରିଥିଲେ। କିନ୍ତୁ ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଓ ରପ୍ତାନି ତୁଳନାରେ ଆମଦାନି ବହୁତ ବଢ଼ିଯିବାରୁ ଅର୍ଥନୀତିର ଦୃଢ଼ତାକୁ ନେଇ ନିବେଶକଙ୍କ ମନରେ ଭୟ ସୃଷ୍ଟି ହୋଇଛି। ଆଗକୁ ଆହୁରି ଅଧିକ କ୍ଷତି ସହିବାକୁ ପଡ଼ିପାରେ ବୋଲି ଭାବି ନିବେଶକମାନେ ବିଭିନ୍ନ କଂପାନିର ସେୟାର ବିକ୍ରି କରିଦେଉଛନ୍ତି। ସେଥିପାଇଁ ସେୟାର ବଜାର ସୂଚକାଙ୍କର ହ୍ରାସର ଧାରା ଜାରି ରହିଛି।

ସମ୍ବନ୍ଧିତ ଖବର