ମୂଲ୍ୟବୃଦ୍ଧି ପ୍ରତ୍ୟାହାର ଦାବିରେ ମୋଦୀଙ୍କୁ ଚିଠି‌ ଲେଖିଲେ ସୋନିଆ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପେଟ୍ରୋଲ ଓ ଡିଜେଲର ମୂଲ୍ୟବୃଦ୍ଧିର ପ୍ରତ୍ୟାହାର ଦାବି କରିଛନ୍ତି। ଏ ନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆଜି ଏକ ଚିଠି ଲେଖିଛନ୍ତି। କରୋନା ମହାମାରୀ ସମୟରେ ପେ‌ଟ୍ରୋଲ, ଡିଜେଲ ଦରବୃଦ୍ଧି ସଂକ୍ରାନ୍ତରେ ସରକାର ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଅସମ୍ବେଦନଶୀଳ ଏବଂ ମୁଖାର୍ମୀ। ଲୋକଙ୍କ ନିକଟରେ ବର୍ତ୍ତମାନ ଚାକିରି ଓ ଅର୍ଥ ନାହିଁ। ସେହି ସମୟରେ ସରକାର ଇନ୍ଧନ ଦର ବୃଦ୍ଧି କରି ତାଙ୍କର ଲାଭଖୋର ମନୋବୃତ୍ତି ଛଡ଼ା ଅନ୍ୟକିଛିର ପ୍ରଦର୍ଶନ କରିନାହାନ୍ତି।

ମଙ୍ଗଳବାରକୁ ମିଶାଇଲେ ତେଲ କମ୍ପାନି ଗୁଡ଼ିକ କ୍ରମାଗତଭାବେ ୧୦ ଦିନ ହେଲା ତେଲ ଦର ବଢ଼ାଇ ଚାଲିଛନ୍ତି। ଲୋକମାନେ ଅତ୍ୟନ୍ତ କଠିନ ସମୟ ଦେଇ ‌ଗତି କରୁଥିବାବେଳେ ଗତ ମାର୍ଚ୍ଚ ଆରମ୍ଭରୁ ସରକାର ତେଲ ଦର ବଢ଼ାଇ ଚାଲିଛନ୍ତି। ଏହା ତାଙ୍କୁ ଅତ୍ୟନ୍ତ ବ୍ୟଥିତ କରିଛି। ଉତ୍ପାଦ ଶୁଳ୍କ ସ‌ହିତ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରି ସରକାର ବାର୍ଷିକ ପାଖାପାଖି ୨.୬ ଲକ୍ଷ କୋଟି ଟଙ୍କା ଆଦାୟ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ସୋନିଆ ଅଭିଯୋଗ କରିଛନ୍ତି। ‌ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧିକୁ ପ୍ରତ୍ୟାହାର କରିବା ସହିତ କମ୍ ତୈଳ ମୂଲ୍ୟର ଲାଭ ନାଗରିକଙ୍କୁ ସିଧାସଳଖ ଦେବାଲାଗି ସେ ଦାବି କରିଛନ୍ତି। ନାଗରିକମାନଙ୍କୁ ଯଦି ଆତ୍ମ ନିର୍ଭର କରିବାକୁ ଚାହୁଛ ତାହେଲେ ସେମାନଙ୍କୁ ଆଗକୁ ବଢ଼ିବାର ସୁଯୋଗ ଦିଅ। ସେମାନଙ୍କର ଆଗକୁ ବଢ଼ିବାର କ୍ଷମତା ଉପରେ ଆର୍ଥିକ ବେଡ଼ି ପକାଅ ନାହିଁ ବୋଲି ସୋନିଆ କହିଛନ୍ତି। ଏଥିସହିତ ସରକାର ବର୍ତ୍ତମାନ ସମୟରେ ସମ୍ବଳକୁ ସିଧାସଳଖ ଲୋକଙ୍କୁ ହାତରେ ପ୍ରଦାନ କରନ୍ତୁ ବୋଲି ସୋନିଆ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର