ଶକ୍ତିକାନ୍ତଙ୍କୁ ଦୁର୍ନୀତିଗ୍ରସ୍ତ କହିଲେ ସୁବ୍ରମଣ୍ୟନ୍

ହାଇଦ୍ରାବାଦ: ବିଜେପି ନେତା ସୁବ୍ରମଣ୍ୟନ୍ ସ୍ବାମୀ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କୁ ଦୁର୍ନୀତିଗ୍ରସ୍ତ ଆଖ୍ୟା ଦେଇଛନ୍ତି। ଶ୍ରୀ ଦାସ ଦୁର୍ନୀତିରେ ଲିପ୍ତ ଥିଲେ। ରିଜର୍ଭ ବ୍ୟାଙ୍କର ମୁଖ୍ୟ ଭାବେ ତାଙ୍କୁ ନିଯୁକ୍ତି ଦିଆଯିବା ଆଶ୍ଚର୍ଯ୍ୟକର ବିଷୟ। ତେବେ ସେ ଦୁର୍ନୀତି ନେଇ ଯେଉଁ ଅଭିଯୋଗ ଆଣିଛନ୍ତି ସେ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦେଇ ନାହାନ୍ତି। ସେ କହିଛନ୍ତି, ନୂଆ ଗଭର୍ଣ୍ଣର ଅତ୍ୟନ୍ତ ଦୁର୍ନୀତିଗ୍ରସ୍ତ। ଅର୍ଥ ମନ୍ତ୍ରାଳୟରୁ ସେ ତାଙ୍କୁ ବିଦା କରାଇଥିଲେ। ଦୁର୍ନୀତି ପାଇଁ ଅର୍ଥ ମନ୍ତ୍ରାଳୟରୁ ବିଦା ହୋଇଥିବା ଜଣେ ବ୍ୟକ୍ତିଙ୍କୁ କିଭଳି ଗଭର୍ଣ୍ଣର ନିଯୁକ୍ତି ଦିଆଗଲା ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି। ଇଣ୍ଡିଆନ୍ ସ୍କୁଲ ଅଫ୍ ବିଜ୍‌ନେସ୍‌ର ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଶ୍ରୀ ସ୍ବାମୀ ଏହା କହିଛନ୍ତି। ତେବେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କିଏ ହେବା ଉଚିତ ବୋଲି ସାମ୍ବାଦିକମାନେ ପଚାରିବାରୁ ସେ ଆଇଆଇଏମ୍ ବାଙ୍ଗାଲୋରର ପ୍ରଫେସର ଆର. ବୈଦ୍ୟନାଥନ୍‌ଙ୍କ ନାମ କହିଥିଲେ। ଉଲ୍ଲେଖଯୋଗ୍ୟ ଯେ, ଅତୀତରେ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ମଧ୍ୟ ଶ୍ରୀ ସ୍ବାମୀ ସମାଲୋଚନା କରିଥିଲେ।

ସମ୍ବନ୍ଧିତ ଖବର