ମହିନ୍ଦ୍ରା ପରେ ସୁଜୁକି ଅଟକାଇଲା ପୁଞ୍ଜିନିବେଶ

ନୂଆଦିଲ୍ଲୀ : ଗାଡ଼ି ବଜାରରେ ଲାଗି ରହିଥିବା ମାନ୍ଦାବସ୍ଥା ଏହି କ୍ଷେତ୍ରର ପୁଞ୍ଜିନିବେଶକୁ ପ୍ରଭାବିତ କରିବା ଆରମ୍ଭ କରିଛି। କିଛି ଦିନ ତଳେ ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏହାର ୧୦୦୦ କୋଟି ଟଙ୍କାର ପ୍ରସ୍ତାବିତ ପୁଞ୍ଜିନିବେଶକୁ ଅଟକାଇ ଦେଇଥିଲା। ଏବେ ସୁଜୁକି ମୋଟର ଇଣ୍ଡିଆ ଏହାର ପୁଞ୍ଜିନିବେଶ ଅଟକାଇବା ବିଷୟରେ ଘୋଷଣା କରିଛି। କଂପାନି ଏହି ନିବେଶ ଦୁଇ ଚକିଆ ଯାନ‌ କ୍ଷେତ୍ରରେ କରିବାର ଥିଲା।

ଦୁଇଟି କାରଣ ଯୋଗୁ ସୁଜୁକି ମୋଟର ଇଣ୍ଡିଆ ପୁଞ୍ଜିନିବେଶ ଅଟକାଇଛି। ପ୍ରଥମଟି ହେଉଛି ଗାଡ଼ି ବଜାର ମାନ୍ଦାବସ୍ଥା ଓ ଦ୍ବିତୀୟ କାରଣଟି ହେଉଛି ୨୦୨୦ ଏପ୍ରିଲ୍‌ରୁ ଲାଗୁ ହେବାକୁ ଯାଉଥିବା ନୂଆ ବିଏସ୍‌-୬ ନିୟମ। ବିଦ୍ୟୁତ ଯାନକୁ ନେଇ ମଧ୍ୟ ଭାରତରେ କୌଣସି ସ୍ପଷ୍ଟ ଚିତ୍ର ମିଳୁନଥିବା ପୁଞ୍ଜିନିବେଶ ଅଟକିବାର ଅନ୍ୟତମ କାରଣ ବୋଲି କଂପାନି କହିଛି। ଏହି ସବୁ ବିଷୟକୁ ବିଚାରକୁ ନେଇ ନୂତନ ପୁଞ୍ଜିନିବେଶ କରିବା ପୂର୍ବରୁ ସୁଜୁକି ମୋଟର କଂପାନିର ମୂଳ ମାଲିକ ଜାପାନର ସୁଜୁକି ଆଉ କିଛି ଦିନ ସ୍ଥିତି ଉପରେ ନଜର ରଖିବାକୁ ଅଧିକ ଉଚିତ ମଣିଛି।

ଭାରତରେ ସୁଜୁକି ହେଉଛି ଏକ ମାତ୍ର ଦୁଇ ଚକିଆ ଯାନ ବିକ୍ରି କରୁଥିବା କଂପାନି ଯାହାର ବିକ୍ରି ବଢ଼ୁଛି। ଅନ୍ୟ ସବୁ କଂପାନିର ବିକ୍ରି କମିଛି। ଏହା ସତ୍ତ୍ବେ କଂପାନି ନୂତନ ପୁଞ୍ଜିନିବେଶକୁ ଅଟକାଇବା ଭଲ ସଙ୍କେତ ନୁହେଁ ବୋଲି ବଜାର ବିଶେଷଜ୍ଞମାନେ କହୁଛନ୍ତି।

ସମ୍ବନ୍ଧିତ ଖବର