ସୁନା ପାଇଖାନା ହରାଇବେ ମାଲ୍ୟା, ଲଣ୍ଡନ ଘର ଉପରେ କବ୍‌ଜା କରିବ ସ୍ବିସ୍‌ ବ୍ୟାଙ୍କ

ନୂଆଦିଲ୍ଲୀ: ଋଣ ଠକେଇ କରି ଦେଶ ଛାଡ଼ି ଚାଲିଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଲଣ୍ଡନରେ ବଡ଼ ଝଟ୍‌କା ଲାଗିଛି। ସେଠାରେ ଥିବା ତାଙ୍କର ଏକ ବିଳାସପୂର୍ଣ୍ଣ ଘର ହାତରୁ ଚାଲିଯିବା ଭଳି ସ୍ଥିତି ଉପୁଜିଛି। ଲଣ୍ଡନର କେନ୍ଦ୍ର ଭାଗରେ ଥିବା ରିଜେଣ୍ଟସ୍ ପାର୍କରେ ରହିଛି ମାଲ୍ୟାଙ୍କ ସୁନା ପାଇଖାନା ଥିବା ଘର। ସେହି ଘରକୁ ବନ୍ଧକ ରଖି ସେ ୟୁବିଏସ୍‌ ନାମକ ଏକ ସ୍ବସି୍‌ ବ୍ୟାଙ୍କରୁ ଋଣ ନେଇଥିଲେ। ଠିକ୍ ସମୟରେ ଋଣ ପରିଶୋଧ ନକରିବାକୁ ବ୍ୟାଙ୍କ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଏହି ମାମଲାର ଶୁଣାଣି କରି ବ୍ୟାଙ୍କ ସପକ୍ଷରେ କୋର୍ଟ ରାୟ ଦେଇଛନ୍ତି। ମାଲ୍ୟାଙ୍କ ଘର ଉପରେ ବ୍ୟାଙ୍କ କବ୍‌ଜା କରିପାରିବ ବୋଲି କୋର୍ଟ କହିଛନ୍ତି। ବିଳାସପୂର୍ଣ୍ଣ ଘର ହାତରୁ ଖସିଯିବାକୁ ବସିଥିବା ବେଳେ ଆଇନଗତ ଲଢ଼େଇରେ ୟୁବିଏସ୍‌ ବ୍ୟାଙ୍କର ଯେଉଁ ଖର୍ଚ ହୋଇଛି ତାହାକୁ ମଧ୍ୟ ଭରଣା କରିବାକୁ କୋର୍ଟ ମାଲ୍ୟାଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଘରଟି ମାଲ୍ୟା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ତାଙ୍କ କଂପାନି ୟୁନାଇଟେଡ୍‌ ବ୍ରିୱେରିଜ୍‌ର କର୍ପୋରେଟ୍‌ ଅତିଥିମାନଙ୍କ ରହଣୀ ପାଇଁ ବ୍ୟବହାର କରାଯାଉଛି। ଭାରତରେ ମଧ୍ୟ ମାଲ୍ୟାଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିବା କରାଯାଇଥିବା ଆବେଦନ ବିରୋଧରେ ସେ‌ ଯେଉଁ ଅପିଲ୍‌ କରିଥିଲେ ତାହାକୁ ବମ୍ବେ ହାଇକୋର୍ଟ ଖାରଜ କରିଦେଇଛନ୍ତି। ମାଲ୍ୟାଙ୍କୁ ପଳାତକ ଅପରାଧୀ ଘୋଷଣା କରିବା ପାଇଁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଆବେଦନ କରାଯାଇଛି। ଏହି ମାମଲା ହାଇକୋର୍ଟରେ ବିଚାରଧୀନ ରହିଛି। ମୋଦୀ ସରକାର ପଳାତକ ଅର୍ଥନୈତିକ ଅପରାଧୀ ବିଲ୍ ଆଣିବା ପରେ ଇଡି ପକ୍ଷରୁ ଏହି ଆବେଦନ କରାଯାଇଥିଲା। ଆଜି ଏହି ମାମଲାର ଶୁଣାଣି ବେଳେ ମାଲ୍ୟାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରିଥିଲେ ଯେ, ଋଣ ପ୍ରଦାନକାରୀଙ୍କ ବକେୟା ପରିଶୋଧ କରିବାକୁ ଆମେ ବ୍ୟଗ୍ର। ମାତ୍ର ଇଡି ପକ୍ଷରୁ ସମ୍ପତିଗୁଡ଼ିକୁ ଜବତ ରଖାଯାଇଥିବାରୁ ପାଣ୍ଠି ଯୋଗାଡ଼ ପ୍ରକ୍ରିୟା ପ୍ରଭାବିତ ହୋଇଛି। ଆଇନ ବ୍ୟବସ୍ଥା ଠାରୁ ଦୂରକୁ ପଳାୟନ କରିବାର କୌଣସି ଅଭିପ୍ରାୟ ନାହିଁ ବୋଲି ସେ କୋର୍ଟଙ୍କୁ କହିଛନ୍ତି। ବ୍ୟାଙ୍କଗୁଡ଼ିକର ୯୦୦୦ କୋଟି ଟଙ୍କାର ଋଣ ଅର୍ଥ ଠକି ଭାରତ ଛାଡ଼ି ଚାଲିଯିବା ପରେ ମାଲ୍ୟାଙ୍କ ପଛରେ ଦେଶର ସବୁ ଏଜେନ୍ସି ପଡ଼ିଯାଇଥିଲେ। ଏହା ପରେ ଭାରତରେ ଥିବା ତାଙ୍କର ଅନେକ ସମ୍ପତ୍ତି ଜବତ କରାଯାଇଛି। ଲଣ୍ଡନରେ ମଧ୍ୟ ତାଙ୍କର ଅନେକ ସମ୍ପତ୍ତି ଜବତ କରିବାକୁ କୋର୍ଟ ନିର୍ଦେଶ ଦେଇଛନ୍ତି। ତାଙ୍କର ଗୋଟିଏ ପରେ ଗୋଟିଏ ସମ୍ପତ୍ତି ଛାଡ଼ ଛଡ଼ା ହେବାରେ ଲାଗିଛି। ଅନ୍ୟ ପଟେ ତାଙ୍କୁ ପ୍ରର୍ତ୍ୟପଣ କରିବା ପାଇଁ ଲଣ୍ଡନରେ ଆଇନଗତ ଲଢ଼େଇ ଚାଲିଛି। ଏହାର ଶୁଣାଣି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ମାମଲାର ରାୟ ତାଙ୍କ ବିପକ୍ଷରେ ଯିବ ତେବେ ତାଙ୍କୁ ଭାରତରେ ଆସି ଜେଲ୍‌ରେ ବନ୍ଦୀ ଜୀବନ ବିତାଇବାକୁ ପଡ଼ିବ।ବିଗତ ଦୁଇ ବର୍ଷ ହେଲାଣି ମାଲ୍ୟା ଲଣ୍ଡନରେ ରହୁଛନ୍ତି। ନିରବ ମୋଦୀ ଓ ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟକ୍ତି ଋଣ ଠକେଇ କରି ଦେଶ ଛାଡ଼ି ଚାଲିଯିବା ପରେ ସେମାନଙ୍କୁ ଧରିବା କ୍ଷେତ୍ରରେ କୌଣସି ବଡ଼ ସଫଳତା ମିଳିନାହିଁ। କିନ୍ତୁ ମାଲ୍ୟା ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଆଇନଗତ ଲଢ଼େଇରେ ପରାଜିତ ହୋଇଚାଲିଛନ୍ତି। ତେଣୁ ତାଙ୍କୁ ଖୁବ୍‌ଶୀଘ୍ର ଭାରତର ଜେଲ୍‌ରେ ଦେଖିବାକୁ ମିଳିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର