ଇସ୍ପାତ କ୍ଲଷ୍ଟର ପାଇଁ ଟାସ୍କଫୋର୍ସ ଗଠିତ

ଭୁବନେଶ୍ବର: ଯାଜପୁରର କଳିଙ୍ଗନଗର ଠାରେ ଇସ୍ପାତ କ୍ଲଷ୍ଟର ସ୍ଥାପନ କରିବାକୁ ନିଷ୍ପତ୍ତି ହୋଇଥିବା ବେଳେ କେନ୍ଦ୍ର ଇସ୍ପାତ ସଚିବ ବିନୟ କୁମାରଙ୍କ ନେତୃତ୍ବରେ ଏକ ଟାସ୍କଫୋର୍ସ ଗଠନ କରାଯାଇଛି। ସେ ଏହାର ଅଧ୍ୟକ୍ଷ ଓ ଓଡ଼ିଶାର ମୁଖ୍ୟ ସଚିବ ଅସିତ ତ୍ରିପାଠୀ ସହ ଅଧ୍ୟକ୍ଷ ରହିବେ। ଏହି ଟାସ୍କଫୋର୍ସ ଓଡ଼ିଶାକୁ ଆସିବାକୁ ଥିବା ଶିଳ୍ପ ଓ ପୁଞ୍ଜିନିବେଶକାରୀଙ୍କୁ ଚିହ୍ନଟ କରିବା କାର୍ଯ୍ୟ କରିବ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଇସ୍ପାତ ମନ୍ତ୍ରଣାଳୟର ଦାୟିତ୍ବ ନେବା ପରେ କଳିଙ୍ଗନଗର ଠାରେ ଇସ୍ପାତ କ୍ଲଷ୍ଟର ସ୍ଥାପନ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି‌ ନେଇଥିଲେ। ଏହା ଜରିଆରେ ରାଜ୍ୟ ତଥା ଦେଶରେ ଇସ୍ପାତ ଉତ୍ପାଦନ ବଢ଼ାଇବାକୁ ଲକ୍ଷ୍ୟ ରଖାଯାଇଛି। ୨୦୩୦ ସୁଦ୍ଧା ଦେଶରେ ୨୫୦ ନିୟୁତ ଟନ ଇସ୍ପାତ ଉତ୍ପାଦନ କରିବାକୁ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଇସ୍ପାତ କ୍ଲଷ୍ଟର ପାଇଁ ଏକ ଜାତୀୟ ନୀତି ପ୍ରସ୍ତୁତ ହୋଇଛି। କେନ୍ଦ୍ର ଇସ୍ପାତ ସଚିବଙ୍କ ଅଧ୍ୟକ୍ଷତାରେ ଏକ କେନ୍ଦ୍ରୀୟ ଦଳ ଯାଜପୁରର ଇସ୍ପାତ କମ୍ପ୍ଲେକ୍ସ ପରିଦର୍ଶନ କରିବା ପରେ ଦେଶର ପ୍ରଥମ ଇସ୍ପାତ କମ୍ପ୍ଲେକ୍ସକୁ କଳିଙ୍ଗନଗରରେ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

କଳିଙ୍ଗନଗରରେ ଟାଟା ଷ୍ଟିଲ, ଜିନ୍ଦଲ ଷ୍ଟିଲ ଓ ନୀଳାଚଳ ଇସ୍ପାତ ଭଳି ଅନେକ ବଡ଼ କଂପାନି ରହିଛି। ଏଠାରେ ଆନୁଷଙ୍ଗିକ ଶିଳ୍ପର ବିକାଶ ପାଇଁ ଇସ୍ପାତ କ୍ଲଷ୍ଟରର ପରିକଳ୍ପନା କରାଯାଇଛି। ଏହା ଦ୍ବାରା ଇସ୍ପାତ ଉତ୍ପାଦନ ବଢ଼ିବା ସହ ଅଧିକ ରୋଜଗାର ‌ସୃଷ୍ଟି ହୋଇପାରିବ। ଇତି ମଧ୍ୟରେ ଗାଡ଼ି ମଟର ସହାୟକ ଶିଳ୍ପ, କୃଷି ଯନ୍ତ୍ରପାତି, ସ୍ପେୟାର ପାର୍ଟସ, ନିର୍ମାଣ ସାମଗ୍ରୀ, କ୍ରେନ ଯନ୍ତ୍ରାଂଶ, କରୋଗେଟେଡ ସିଟ, ସିମେଣ୍ଟ, କାଷ୍ଟିଂ ପାଉଡର, ଫେରୋ ଆଲଏଜ, ମୋବାଇଲ ଯନ୍ତ୍ରାଂଶ ଆଦି ‌ଅନେକ ପ୍ରକାର ଶିଳ୍ପ ଲାଗି ଆସୁଥିବା ପୁଞ୍ଜିନିବେଶକାରୀଙ୍କୁ ବିସ୍ତୃତ ସୂଚନା ପ୍ରଦାନ କରିବା ଲାଗି କାର୍ଯ୍ୟକାରୀ ଗୋଷ୍ଠୀ ଗଠନ କରାଯାଇଛି। କଳିଙ୍ଗନଗର ଜମି ବ୍ୟାଙ୍କରେ କେତେ ଜମି ଅଛି ତାହାର ସୂଚନା ଦେବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର କହିଛନ୍ତି।

ସମ୍ବନ୍ଧିତ ଖବର