ହୋଇପାରେ ଇତିହାସର ପୁନରାବୃତ୍ତି, ଏୟାର ଇଣ୍ଡିଆକୁ କିଣିପାରେ ଟାଟା

ନୂଆଦିଲ୍ଲୀ: ଆର୍ଥିକ ସ୍ତରରେ ଦୁର୍ବଳ ହୋଇପଡ଼ି ବିକ୍ରି ହେବାକୁ ଯାଉଥିବା ଏୟାର ଇଣ୍ଡିଆକୁ କିଣିବା ଲାଗି ଟାଟା ଗ୍ରୁପ୍ ଆଗ୍ରହ ଦେଖାଇଛି। ଟାଟା ଗ୍ରୁପ୍‌ର ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ କହିଛନ୍ତି ଯେ, ଏୟାର ଇଣ୍ଡିଆକୁ କିଣିବା ବିଷୟରେ ବିଚାର କରିବା ଲାଗି ମୁଁ ମୋ ଟିମ୍‌କୁ କହିବି। ନିଜର ପୁସ୍ତକ ‘ବ୍ରିଜିଟାଲ୍ ନେସନ୍‌’ର ଉନ୍ମୋଚନ ଅବସରରେ ସେ ଏହି ସୂଚନା ଦେଇଛନ୍ତି। ଯଦି କୌଣସି ନିଷ୍ପତ୍ତି ହେବ ତେବେ ତାହା ଟାଟା ସନ୍ସ ନୁହେଁ ଭିସ୍ତାରା ଦ୍ବାରା ନିଆଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏୟାର ଇଣ୍ଡିଆ ଏକଦା ଟାଟାର ମାଲିକାନାରେ ଥିଲା। ଏହି କଂପାନି ସରକାରଙ୍କ ହାତକୁ ଚାଲିଯିବା ପରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ଟାଟା ଗ୍ରୁପ୍ ଆଉ ବିମାନ ଚଳାଚଳ ବ୍ୟବସାୟକୁ ଫେରିନଥିଲା। ନିକଟରେ ଏହା ମାଲେସିଆର ଏୟାରଏସିଆ ସହ ମିଶି ଏୟ‌ାରଏସିଆ ଇଣ୍ଡିଆ ସ୍ଥାପନ କରିଥିବା ବେଳେ ସିଙ୍ଗାପୁର ଏୟାରଲାଇନ୍ସ ସହ ମିଶି ଭିସ୍ତାରା ନାମକ ବିମାନ କଂପାନି ସ୍ଥାପନ କରିଛି। ବିମାନ ଚଳାଚଳ ବ୍ୟବସାୟ ସମ୍ପର୍କରେ ଚନ୍ଦ୍ରଶେଖରନ୍ କହିଛନ୍ତି ଯେ, ଭିସ୍ତାରା ଓ ଏୟାର ଏସିଆ ବ୍ୟତୀତ ଅନ୍ୟ କୌଣସି ତୃତୀୟ ବିମାନ କଂପାନିର ପରିଚାଳନା କରିବାକୁ ଆମେ ଚାହୁନାହୁଁ। କାରଣ ଏହା ଦ୍ବାରା ସମସ୍ୟା ସୃଷ୍ଟି ହୋଇପାରେ। ତେଣୁ ଏୟାର ଇଣ୍ଡିଆକୁ ନେଇ ମୁଁ ହଁ କିମ୍ବା ନାଁ କିଛି ବି କହିବି ନାହିଁ ବୋଲି ଚନ୍ଦ୍ରଶେଖରନ୍ କହିଛନ୍ତି।

ଏୟାର ଇଣ୍ଡିଆକୁ ସମ୍ପୂର୍ଣ୍ଣ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମେ ଏହି ସରକାରୀ ବିମାନ କଂପାନିର ୨୪ ପ୍ରତିଶତ ଅଂଶଧନ ବିକ୍ରି କରିବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା। କିନ୍ତୁ ସେଥିପାଇଁ ଗ୍ରାହକ ମିଳିଲେ ନାହିଁ। ଏହା ପରେ କଂପାନି ୭୪% ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନିଆଯାଇଛି। ଯେହେତୁ ସେହି ସମୟରେ ଜେଟ୍‌ ଏୟାରୱେଜ୍‌କୁ କିଣିବା ଲାଗି ଟାଟା ଆଗ୍ରହ ଦେଖାଇଥିଲା ତେଣୁ ଏୟାର ଇଣ୍ଡିଆ ପ୍ରତି ଟାଟା ଦେଇନଥିଲା। ଚନ୍ଦ୍ରଶେଖରନ କହିଛନ୍ତି ଯେ, ବିମାନ ଚଳାଚଳ କାରବାର ପାଇଁ ଆମକୁ କିଛିଟା ବାଟ ବାହାର କରିବାକୁ ପଡ଼ିବ। ୨୦୨୫ ପର୍ଯ୍ୟନ୍ତ ଏହା କ୍ଷତିରେ ଚାଲିବ ବୋଲି ଜଣାପଡ଼ୁଛି। ଏୟାର ଇଣ୍ଡିଆକୁ ଅଧିଗ୍ରହଣ କଲେ ଟାଟା ଗ୍ରୁପ୍‌ର ବିମାନ ଚଳାଚଳ ‌ବ୍ୟବସାୟରେ ଅଭିବୃଦ୍ଧି ହେବାର ସୁଯୋଗ ସୃଷ୍ଟି ହେବ। ଏବେ ଗ୍ରୁପ୍‌ ଅଧୀନରେ ଦୁଇଟି ଯୌଥ ଉଦ୍ୟୋଗ ରହିଛି। ୨୦୧୮-୧୯ରେ ଏହି ଦୁଇ କଂପାନି ଯୋଗୁ ଟାଟାକୁ ୧୫୦୦ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଟାଟା ଟ୍ରଷ୍ଟ୍‌ସର ମୁଖ୍ୟ ରତନ ଟାଟା ଏୟାର ଇଣ୍ଡିଆକୁ କିଣିବା ଲାଗି ଆଗ୍ରହ ଦେଖାଇଛନ୍ତି। ୨୦୧୭-୧୮ରେ ଏୟାର ଇଣ୍ଡିଆ ୫୭୯୯ କୋଟି ଟଙ୍କାର କ୍ଷତି ସହିଛି। ଏହାର ଋଣ ଖାତାରେ ୫୮ ହଜାର କୋଟି ଟଙ୍କାର ବକେୟା ରହିଛି। କୌଣସି ସଂସ୍ଥା ଏୟାର ଇଣ୍ଡିଆର ଏହି ଋଣ ବୋଝ ମୁଣ୍ଡାଇବାକୁ ଚାହୁନାହାନ୍ତି।

୮୭ ବର୍ଷ ପୂର୍ବେ ଜେଆର୍‌ଡି ଟାଟା ସ୍ଥାପନ କରିଥିଲେ
ଯଦି ଏୟାର ଇଣ୍ଡିଆକୁ ଟାଟା କିଣିବ ତେବେ ଇତିହାସର ପୁନରାବୃତ୍ତି ହେବ। ଏୟାର ଇଣ୍ଡିଆକୁ ୮୭ ବର୍ଷ ପୂର୍ବେ ୧୯୩୨ରେ ‌ଜେଆର୍‌ଡି ଟାଟା ସ୍ଥାପନ କରିଥିଲେ। ସେତେବେଳେ କଂପାନିର ନାମ ଥିଲା ଟାଟା ଏୟାରଲାଇନ୍ସ। କଂପାନିର ପ୍ରଥମ ବିମାନକୁ ସେ ହିଁ କରାଚିରୁ ବମ୍ବେ ପର୍ଯ୍ୟନ୍ତ ଉଡ଼ାଇଥିଲେ। ବିମାନ ଚଳାଚଳ ଉପରେ ଅତ୍ୟଧିକ ରୁଚି ରଖୁଥିବା ଜେଆର୍‌ଡି କଂପାନିର ଖାଦ୍ୟ ମେନୁ ଠାରୁ ଆରମ୍ଭ କରି ପରଦା ପର୍ଯ୍ୟନ୍ତ ସବୁ କିଛି ଉପରେ ନଜର ରଖୁଥିଲେ। ଏୟାର ଇଣ୍ଡିଆକୁ ସେ ବିଶ୍ବସ୍ତରୀୟ କଂପାନିରେ ପରିଣତ କରିଥିଲେ। ୧୯୪୬ରେ ଟାଟା ଏୟାରଲାଇନ୍ସ ଏକ ପବ୍ଳିକ୍ ଲିମିଟେଡ୍‌ କଂପାନିରେ ପରିଣତ ହୋଇଥିଲା ଏବଂ ତାହାର ନାମ ପରିବର୍ତ୍ତନ କରି ଏୟାର ଇଣ୍ଡିଆ ରଖାଯାଇଥିଲା। ୧୯୫୩ରେ ଏୟାର ଇଣ୍ଡିଆର ଜାତୀୟକରଣ କରାଯାଇଥିଲା। ସେହି ନିଷ୍ପତ୍ତି ଗ୍ରହଣ କରିବା ‌ବେଳେ ଜେଆର୍‌ଡିଙ୍କୁ ପୂର୍ବରୁ ଅବଗତ କରାଯାଇନଥିଲା। ନେହେରୁ ସରକାରଙ୍କ ଏହି ନିଷ୍ପତ୍ତିକୁ ନେଇ ମର୍ମାହତ ହୋଇପଡ଼ିଥିଲେ ଜେଆର୍‌ଡି। କିନ୍ତୁ କଂପାନି ପ୍ରତି ନିଜର ଭଲ ପାଇବା ଏତେ ଅଧିକ ଥିଲା ଯେ ତାହାକୁ ଚଲାଇବା ପାଇଁ ଅଧ୍ୟକ୍ଷ ଭାବେ କାମ କରିବାକୁ ଦିଆଯାଇଥିବା ପ୍ରସ୍ତାବରେ ସେ ରାଜି ହୋଇଯାଇଥିଲେ। ୧୯୭୭ରେ ମୋରାରଜୀ ଦେଶାଇଙ୍କ ସରକାର ତାଙ୍କୁ ଅଧ୍ୟକ୍ଷ ପଦରୁ ବିଦା କରିଥିଲେ।

ସମ୍ବନ୍ଧିତ ଖବର