ଇପିଏଫ୍‌ଓ ବେତନ ସୀମା ୨୧ ହଜାର ଟଙ୍କାକୁ ବଢ଼ିବ, ଉପକୃତ ହେବେ ୭୫ ଲକ୍ଷ କର୍ମଚାରୀ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ସମ୍ପର୍କିତ ଏକ ବଡ଼ ଖବର ସାମ୍ନାକୁ ଆସିଛି ଯାହା ଯଦି କାର୍ଯ୍ୟକାରୀ ହେବ ତେବେ ଅଣସଂଗଠିତ କ୍ଷେତ୍ରର କୋଟି କୋଟି କର୍ମଚାରୀ ଉପକୃତ ହେବେ। ଇପିଏଫ୍‌ଓର ମାସିକ ବେତନ ସୀମାକୁ ବର୍ତ୍ତମାନର ୧୫ ହଜାର ଟଙ୍କାରୁ ବଢ଼ାଇ ୨୧ ହଜାର ଟଙ୍କା କରିବା ଲାଗି ଏକ କମିଟି ପ୍ରସ୍ତାବ ଦେଇଛି। ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଯି ଏହି ସୁପାରିସ କରିଛି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ ୭୫ ଲକ୍ଷ କର୍ମଚାରୀ ଇପିଏଫ୍ଓ ପରିସରରେ ସାମିଲ ହେବାର ସୁଯୋଗ ପାଇବେ। ଇପିଏଫ୍‌ଓ ଅଧୀନକୁ ଆସିବା ପରେ ସେମାନଙ୍କୁ ସଂଗଠନ ପ୍ରଦାନ କରୁଥିବା ସବୁ ପ୍ରକାର ସୁବିଧା ସୁଯୋଗ ମିଳିବ। ମାସିକ ବେତନ ସୀମା ବଢ଼ାଇବା ଲାଗି ଇପିଏଫ୍‌ଓ ଚାରି ବର୍ଷ ପୂର୍ବେ ଅର୍ଥ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ତା’ ଉପରେ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରିନାହିଁ।

ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ପକ୍ଷରୁ କୁହାଯାଇଛି ଯେ ସରକାର ଯଦି ଚାହ‌ିବେ ତେବେ ଲାଭ କ୍ଷତି ହିସାବକୁ ନେଇ ବେତନ ସୀମା ବୃଦ୍ଧି ପ୍ରସ୍ତାବକୁ ପରବର୍ତୀ ସମୟରେ ମଧ୍ୟ ଲାଗୁ କରିପାରିବେ। ଇପିଏଫ୍‌ଓରେ ସାମିଲ ହେବା ଲାଗି ମାସିକ ବେତନ ସୀମା ଏବେ ୧୫ ହଜାର ଟଙ୍କା ରହିଛି। ଯଦି ଏହି ସୀମା ବଢ଼ିବ ତେବେ ଲକ୍ଷ ଲକ୍ଷ ଅନ୍ୟ କର୍ମଚାରୀ ସଂଗଠନରେ ସାମିଲ ହୋଇପାରିବେ। ଶେଷ ଥର ଲାଗି ୨୦୧୪ରେ ମାସିକ ବେତନ ସୀମାକୁ ୬,୫୦୦ ଟଙ୍କାରୁ ବଢ଼ାଇ ୧୫,୦୦୦ ଟଙ୍କା କରାଯାଇଥିଲା। ଏବେ ଦରଦାମରେ ଯେଉଁଭଳି ବୃଦ୍ଧି ହେଉଛି ତାହାକୁ ଯଦି ଦୃଷ୍ଟି ଦିଆଯିବ ତେବେ ବେତନ ସୀମା ବଢ଼ାଇଲେ ବହୁ କର୍ମଚାରୀ ଉପକୃତ ହେବେ। ଇପିଏଫ୍‌ଓର ସେଣ୍ଟ୍ରାଲ୍ ବୋର୍ଡ ଅଫ୍‌ ଟ୍ର‌ଷ୍ଟିଜ୍ ଏହାକୁ ଲାଗୁ କରିବା ବିଷୟରେ ବିଚାର କରିପାରେ ବୋଲି କମିଟି କହିଛି। ବେତନ ସୀମା ବୃଦ୍ଧି ସମ୍ପର୍କରେ ନିଯୁକ୍ତିଦାତାମାନେ କହିଛନ୍ତି ଯେ ଯଦି ଏହି ନିଷ୍ପତ୍ତି ଏବେ ଲାଗୁ କରାଯିବ ତେବେ ସେମାନଙ୍କ ବାଲାନ୍ସ ସିଟ୍‌ ଉପରେ ଚାପ ବଢ଼ିବ। ଏହି ପ୍ରସ୍ତାବ ଲାଗୁ କରିବା ଲାଗି ଅଧିକ ସମୟ ଦେବାକୁ ସେମାନେ କହିଛନ୍ତି। କେବଳ ନିଯୁକ୍ତିଦାତା ନୁହେଁ ସରକାରଙ୍କ ଉପରେ ମଧ୍ୟ ବୋଝ ବଢ଼ିବ। ଏବେ ଇପିଏଫ୍‌ଓର ପେନ୍‌ସନ୍‌ ସ୍କିମ୍ ପାଇଁ ସରକାର ପ୍ରତିବର୍ଷ ୬,୭୫୦ କୋଟି ଟଙ୍କା ଦେଉଛନ୍ତି। ପ୍ରଚଳିତ ନିୟମ ଅନୁସାରେ ୨୦ରୁ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିବା ସଂସ୍ଥା ଇପିଏଫ୍‌ଓରେ ପଞ୍ଜୀକରଣ କରିବା ବାଧ୍ୟତାମୂଳକ। ସେହିପରି, ମାସିକ ୧୫ ହଜାର ଟଙ୍କାରୁ କମ୍ ବେତନ ପାଉଥିବା କର୍ମଚାରୀଙ୍କ ପାଇଁ ମଧ୍ୟ ଏହି ସ୍କିମ୍ ବାଧ୍ୟତାମୂଳକ ରହିଛି। ବେତନ ସୀମାକୁ ୨୧ ହଜାର ଟଙ୍କାକୁ ବୃଦ୍ଧି କଲେ ଅଧିକରୁ ଅଧିକ କର୍ମଚାରୀ ଇପିଏଫ୍‌ଓର ଅବସରକାଳୀନ ଯୋଜନାରେ ସାମିଲ ହେବାର ‌ସୁଯୋଗ ପାଇବେ। ଏହା ଦ୍ବାରା ବେତନ ସୀମା କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ଧାର୍ଯ୍ୟ କରିଥିବା ବେତନ ସୀମା ସହ ସମାନ ହୋଇଯିବ।

ସମ୍ବନ୍ଧିତ ଖବର