ସରକାରଙ୍କ ପାଖରେ ନାହିଁ କ୍ରିପ୍ଟୋକରେନ୍ସି ତଥ୍ୟ
ନୂଆଦିଲ୍ଲୀ: ବିଟ୍କଏନ୍ ଭଳି କ୍ରିପ୍ଟୋକରେନ୍ସି ଲାଗି ଦେଶରେ କେତେ ଏକ୍ସଚେଞ୍ଜ ରହିଛି ଓ କେତେ ଲୋକ ଏଭଳି ଡିଜିଟାଲ୍ ମୁଦ୍ରା ବ୍ୟବହାର କରୁଛନ୍ତି ତାହାର କୌଣସି ତଥ୍ୟ ସରକାରଙ୍କ ପାଖରେ ନାହିଁ। ବିହାରର ଉପ ମୁଖ୍ୟମନ୍ତ୍ରୀ ସୁଶିଲ ମୋଦୀଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ରାଜ୍ୟସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଦେଶରେ କେତୋଟି କ୍ରିପ୍ଟୋକରେନ୍ସି ଏକ୍ସଚେଞ୍ଜ୍ ଅଛି ତାହାର ସୂଚନା ସରକାରଙ୍କ ପାଖରେ ନାହିଁ। କ୍ରିପ୍ଟୋକରେନ୍ସିକୁ ଡ୍ରଗ୍ସ ଚୋରାଚାଲାଣ କିମ୍ବା ମନି ଲଣ୍ଡରିଂ ପାଇଁ ବ୍ୟବହାର କରାଯାଉଛି ନା ନାହିଁ ତାହାର ମଧ୍ୟ କୌଣସି ତଥ୍ୟ ନାହିଁ ବୋଲି ସେ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କ୍ରିପ୍ଟୋକରେନ୍ସି ବା ଡିଜିଟାଲ୍ ମୁଦ୍ରାକୁ ନେଇ ସରକାରଙ୍କ ସ୍ଥିତି ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରୁନାହିଁ। ଅତୀତରେ ସରକାର କହିଥିଲେ ଯେ ଏଭଳି ମୁଦ୍ରାକୁ ଡ୍ରଗ୍ସ ଚୋରାଚାଲାଣ ଓ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର କରାଯିବାର ଆଶଙ୍କା ରହିଛି। ସରକାର ସବୁ ପ୍ରକାର କ୍ରିପ୍ଟୋକରେନ୍ସିକୁ ନିଷିଦ୍ଧ କରିଥିଲେ। ମାତ୍ର ଗତବର୍ଷ ସେହି ନିୟମକୁ ପୁଣି କୋହଳ କରିଛନ୍ତି। କିନ୍ତୁ କ୍ରିପ୍ଟୋକରେନ୍ସି ଚିନ୍ତାଧାରାକୁ ରାଜସ୍ବ ବିଭାଗ ଓ ରିଜର୍ଭ ବ୍ୟାଙ୍କ ତରଫରୁ ଏପର୍ଯ୍ୟନ୍ତ ସବୁଜ ସଙ୍କେତ ମିଳୁନାହିଁ। ସେଥିପାଇଁ ବଜେଟ୍ ଅଧିବେଶନରେ ଉପସ୍ଥାପନ ହେବା ଲାଗି ପ୍ରସ୍ତୁତ ହୋଇ ରହିଥିବା କ୍ରିପ୍ଟୋକରେନ୍ସି ବିଲ୍କୁ ସରକାର ସଂସଦରେ ଉପସ୍ଥାପନ କରିପାରୁନାହାନ୍ତି। ଶିଳ୍ପ ଜଗତର କିଛି ଅଂଶୀଦାର ଏହି ବିଲ୍ ଉପରେ ଆପତ୍ତି ଉଠାଇଛନ୍ତି। ସଂସଦର ଚଳିତ ମୌସୁମୀ ଅଧିବେଶନରେ ଏହି ବିଲ୍ ଉପସ୍ଥାପନ ହେବାର ସମ୍ଭାବନା ମଧ୍ୟ ନାହିଁ। କାରଣ ଉପସ୍ଥାପିତ ହେବାକୁ ଥିବା ବିଲ୍ଗୁଡ଼ିକର ତାଲିକାରେ ଏହାର ନାମ ନାହିଁ। ଏକ ଆନୁମାନିକ ହିସାବରୁ ଜଣାପଡ଼ିଛି ଯେ ପ୍ରାୟ ଦେଢ଼ କୋଟି ଭାରତୀୟ କ୍ରିପ୍ଟୋକରେନ୍ସିରେ ୧୫୦୦୦ କୋଟଇ ଟଙ୍କା ନିବେଶ କରିଛନ୍ତି। କ୍ରିପ୍ଟୋକରେନ୍ସି ଓ ବ୍ଲକ୍ଚେନ୍ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ସଂସ୍ଥାଗୁଡ଼ିକ ଜରିଆରେ ଏହି ନିବେଶ ହୋଇଛି।