ନୂଆ ଇପିଏଫ୍‌ ନିୟମ କାର୍ଯ୍ୟକାରୀ, ୩ ମାସ ପାଇଁ ଯୋଗଦାନ ୧୦%କୁ କମିଲା

୪.୩ କୋଟି କର୍ମଚାରୀ ଓ ୬.୫ ଲକ୍ଷ ନିଯୁକ୍ତିଦାତା ଉପକୃତ ହେବେ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍‌ଓ) ପକ୍ଷରୁ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ପାଇଁ ନୂଆ ଯୋଗଦାନ ନିୟମକୁ କାର୍ଯ୍ୟକାରୀ କରାଯାଇଛି। ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି ହୋଇଛି। ନିକଟ ଅତୀତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏ ସଂକ୍ରାନ୍ତରେ ଘୋଷଣା କରିଥିଲେ। ପୂର୍ବରୁ କର୍ମଚାରୀ ଓ ନିଯୁକ୍ତିଦାତାମାନେ ମୌଳିକ ବେତନର ୧୨ ପ୍ରତିଶତ ଜମା କରୁଥିଲେ। କିନ୍ତୁ ୩ ମାସ ପାଇଁ ଏହାକୁ ୧୦ ପ୍ରତିଶତକୁ କମାଇବାକୁ ଘୋଷଣା କରାଯାଇଥିଲା। ସରକାରଙ୍କ ଏହି ନିଷ୍ପତ୍ତି ଫଳରେ କର୍ମଚାରୀମାନଙ୍କ ହାତକୁ ଅଧିକ ବେତନ ଆସିବ। ସେହିଭଳି ନିଯୁକ୍ତିଦାତାମାନେ ମଧ୍ୟ କିଛିମାତ୍ରାରେ ଆଶ୍ବସ୍ତି ପାଇବେ। ଏ ବାବଦରେ ଅର୍ଥନୀତିକୁ ଅର୍ଥାତ୍ କର୍ମଚାରୀ ଓ ନିଯୁକ୍ତିଦାତାଙ୍କ ହାତରେ ୬୭୫୦ କୋଟି ଟଙ୍କାର ଅତିରିକ୍ତ ନଗଦ ଅର୍ଥ ଉପଲବ୍ଧ ହେବ।

ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ୪.୩ କୋଟି କର୍ମଚାରୀ ଓ ୬.୫ ଲକ୍ଷ ନିଯୁକ୍ତିଦାତା ଉପକୃତ ହେବେ। ଏହା ମେ, ଜୁନ୍ ଏବଂ ଜୁଲାଇ ମାସ ପାଇଁ ଲାଗୁ ହେବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଅଧୀନରେ ଆସୁଥିବା ସମସ୍ତ ପ୍ରତିଷ୍ଠାନ (ଛାଡ଼ ପାଇଥିବା ପିଏଫ୍‌ ଟ୍ରଷ୍ଟ ସମେତ) ପାଇଁ ଏହା ପ୍ରଯୁଜ୍ୟ ହେବ। ତେବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଅଧୀନରେ ଥିବା ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଗୁଡ଼ିକ ପୂର୍ବଭଳି ୧୨ ପ୍ରତିଶତ ଯୋଗଦାନ ଜମା କରିବେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍‌ ଅଧୀନରେ ଯେଉଁ ଶ୍ରମିକମାନେ ୨୪ ପ୍ରତିଶତ ଇପିଏଫ୍‌ ଯୋଗଦାନ ପାଇଁ ଯୋଗ୍ୟ ସେମାନଙ୍କ ପାଇଁ ଏହି ହ୍ରାସ ଲାଗୁ ହେବନାହିଁ। ଉକ୍ତ ପ୍ୟାକେଜ୍ ଅଧୀନରେ ସରକାର ନିଯୁକ୍ତିଦାତାଙ୍କ ପାଇଁ ୧୨ ପ୍ରତିଶତ ଓ କର୍ମଚାରୀଙ୍କ ଇପିଏଫ୍ ବାବଦରେ ୧୨ ପ୍ରତିଶତ ରାଶି ଦେବାକୁ ଘୋଷଣା କରିଛନ୍ତି। ସରକାର ଏହାକୁ ୩ ମାସ ପାଇଁ ଅର୍ଥାତ୍ ଜୁନ୍, ଜୁଲାଇ ଓ ଅଗଷ୍ଟ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି।

ସମ୍ବନ୍ଧିତ ଖବର