୧୫ ବର୍ଷରେ ସରକାରୀ ଚାକିରି ସଂଖ୍ୟାରେ ବଡ଼ ହ୍ରାସ

ନୂଆଦିଲ୍ଲୀ: ଦେଶରେ ଆଇଏଏସ୍‌ ଓ ଆଇପିଏସ୍‌ଙ୍କ ଅଭାବ ଥିବା ସତ୍ତ୍ବେ ୟୁପିଏସ୍‌ସି ପକ୍ଷରୁ ଗତ ସପ୍ତାହରେ ୭୧୨ଟି ପଦ ପାଇଁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି। ଗତବର୍ଷର ୭୯୬ ପଦ ତୁଳନାରେ ଏହା ୧୦% କମ୍। କେବଳ ୟୁପିଏସ୍‌ସି ନୁହେଁ, ଷ୍ଟାଫ୍‌ ସିଲେକ୍ସନ କମିସନ (ଏସ୍ଏସ୍‌ସି), ଡାକ ବିଭାଗ, ରେଳବାଇ ଓ ବ୍ୟାଙ୍କ ଚାକିରି ସଂଖ୍ୟା ମଧ୍ୟ ନିୟମିତ ଭାବେ ହ୍ରାସ ପାଉଛି। ଗତ ୧୫ ବର୍ଷ ଭିତରେ ସରକାରୀ ଚାକିରି ସଂଖ୍ୟାରେ ବଡ଼ ଧରଣର ହ୍ରାସ ଘଟିଛି।୨୦୧୪ରେ ୟୁପିଏସ୍‌ସି ପକ୍ଷରୁ ୧୩୬୪ ଫାଙ୍କା ପଦବୀ ଘୋଷଣା କରାଯାଇଥିଲା। ୨୦୨୦ରେ ତାହା ୪୭.୮% ହ୍ରାସ ପାଇଛି। ଲୋକସଭାରେ ସରକାର ଦେଇଥିବା ତଥ୍ୟରୁ ଜଣାପଡ଼ିଛି ଯେ ୨୦୧୬-୧୭ରେ ୟୁପିଏସ୍‌ସି ୬୧୦୩ ପ୍ରାର୍ଥୀଙ୍କୁ ନିଯୁକ୍ତି ଦେଇଥିଲା।

୨୦୧୯-୨୦ ସୁଦ୍ଧା ସେହି ସଂଖ୍ୟା ୩୦% ହ୍ରାସ ପାଇ ୪୩୯୯ରେ ପହଞ୍ଚିଛି। ୨୦୧୬-୨୦୨୦ ମଧ୍ୟରେ ଏସ୍‌ଏସ୍‌ସି ଦେଇଥିବା ନିଯୁକ୍ତି ପରିମାଣ ୬୮,୮୮୦ରୁ ହ୍ରାସ ପାଇ ୨୧୦୬ରେ ପହଞ୍ଚିଛି। ଅର୍ଥାତ ନିଯୁକ୍ତିରେ ୯୬% ହ୍ରାସ ଘଟିଛି। ରେଳବାଇ ନିଯୁକ୍ତି ବୋର୍ଡ (ଆର୍‌ଆର୍‌ବି) ୨୦୧୬-୧୭ରେ ୨୭,୪୨୭ ନିଯୁକ୍ତି ଦେଇଥିବା ବେଳେ ୨୦୨୦-୨୧ ସୁଦ୍ଧା ନିଯୁକ୍ତି ସଂଖ୍ୟା ୩,୮୭୩କୁ ହ୍ରାସ ପାଇଛି। ଡାକ ବିଭାଗ ୨୦୧୬-୧୭ରେ ୯୦୨୯ ନିଯୁକ୍ତି ଦେଇଥିବା ବେଳେ ୨୦୨୦-୨୧ରେ ତାହା ୧୩,୮୧୯କୁ ବୃଦ୍ଧି ପାଇଛି। କିନ୍ତୁ ୨୦୧୮-୧୯ ଓ ୨୦୧୯-୨୦ରେ ଏହା ୧୭ ହଜାରରୁ ଅଧିକ ସଂଖ୍ୟକ ନିଯୁକ୍ତି ଦେଇଥିଲା। ମୋଟ ଉପରେ ୨୦୧୬-୧୭ରେ ୟୁପିଏସ୍‌ସି, ଏସ୍‌ଏସ୍‌ଓି, ରେଳବାଇ ନିଯୁକ୍ତି ବୋର୍ଡ ଓ ଡାକ ବିଭାଗ ୧,୧୧,୪୩୯ ନିଯୁକ୍ତି ଦେଇଥିଲେ। ୨୦୨୦-୨୧ରେ ସେହି ସଂଖ୍ୟା ୧୯,୭୯୮କୁ ହ୍ରାସ ପାଇଛି।

ସମ୍ବନ୍ଧିତ ଖବର