ଗେମ୍‌ ପାଇଁ ମୋବାଇଲ୍‌ରେ ଜାଗା ନାହିଁ

ନ୍ୟୁୟର୍କ: ଯୁବବର୍ଗ ସେମାନଙ୍କ ସ୍ମାର୍ଟଫୋନ୍‌ରେ ଗେମ୍‌ ଖେଳିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଏ କ୍ଷେତ୍ରରେ ବଡ଼ ସମସ୍ୟା ଦେଖାଦେଇଛି। ତାହାହେଲା ଫୋନ୍‌ରେ ଗେମ୍‌ ସାଇତି ରଖିବା ପାଇଁ ସ୍ଥାନ (ଷ୍ଟୋରେଜ୍‌ ସ୍ପେସ) ରହୁନାହିଁ। ଗୁଗୁଲ, ଆପଲ ଏବଂ ମାଇକ୍ରୋସଫ୍ଟ ଅନଲାଇନରେ ଯେ‌ତିକି ଷ୍ଟୋରେଜ୍‌ ଯୋଗାଇ ଦେଉଛନ୍ତି ତାହା ଯଥେଷ୍ଟ ହେଉନାହିଁ। ଆମେରିକାଠାରୁ ଆରମ୍ଭ କରି ଜାପାନ ପର୍ଯ୍ୟନ୍ତ ଦେଶର ମୋବାଇଲ ଗେମ୍‌ ଷ୍ଟୁଡ଼ିଓ ଗୁଡ଼ିକ ମୋବାଇଲ ଗେମ୍‌ପ୍ରିୟ ବ୍ୟକ୍ତିମାନଙ୍କୁ ସେମାନଙ୍କ ଗେମ୍‌ ପ୍ରତି ଆକୃଷ୍ଟ କରିବା ଲାଗି ପ୍ରତିଯୋଗିତା ଚଳାଇଛନ୍ତି। କିନ୍ତୁ ଷ୍ଟୋରେଜ ସ୍ପେସ ଅଭାବଜନିତ ସମସ୍ୟାକୁ ସେତେଟା ଗୁରୁତ୍ବ ଦେଇନାହାନ୍ତି। ଅଧିକାଂଶ ଗେମ୍‌ ପାଇଁ ଦରକାର ହେଉଥିବା ସ୍ଥାନ ଏତେ ଅଧିକ ହେଉଛି ଯେ ବହୁ ଲୋକପ୍ରିୟ ଗେମ୍‌କୁ ଲୋକମାନେ ଫୋନ୍‌ରେ ରଖିପାରୁନାହାନ୍ତି। ଗେମ୍‌ରେ ଦିନକୁ ଦିନ ନୂଆ ନୂଆ ଫିଚର ସାମିଲ କରାଯାଉଛି। ଏଥିପାଇଁ ଏହାର ‌ଷ୍ଟୋରେଜ୍‌ ଆକାର ବଢ଼ିଯାଉଛି।

ଆଗାମୀ ଦିନରେ ସୋନି ମୋବାଇଲ ଗେମିଂ ଉପରେ ଅଧିକ ଧ୍ୟାନ ଦେବାକୁ ଯାଉଥିବାରୁ ସମସ୍ୟା ଆହୁରି ବଢ଼ିପାରେ। ନୂଆ ନୂଆ ମୋବାଇଲ ଗେମ୍‌ର ଆପ୍‌ ସାଇଜ୍‌ ବଢ଼ୁଥିବାରୁ ଗେମରଙ୍କ ପାଇଁ ଅସୁବିଧା ସୃଷ୍ଟି ହେଉଛି। ଯଦିଓ ଗେମ୍‌ ପ୍ରତି ଲୋକମାନେ ଆଗ୍ରହ ଦେଖାଉଛନ୍ତି ତଥାପି ସେମାନଙ୍କ ଫୋନରେ ଜାଗା ନଥିବାରୁ ତାହାକୁ ସେଭ୍‌ କରିପାରୁନାହାନ୍ତି ବୋଲି ଜାପାନୀ କମ୍ପାନି ଗ୍ରି’ର ବରିଷ୍ଠ ଅଧିକାରୀ ୟୋଶିହିଦେ କୋଇଜୁମି କହିଛନ୍ତି। ସେ କମ୍ପାନିର ନୂଆ ଗେମ୍‌ ହେଭେନ ବର୍ଣ୍ଣସ୍‌ ରେଡ୍‌ର ମାର୍କେଟିଂ ନେତୃତ୍ବ ନେଇଛନ୍ତି। ସୋନି ଏହାର ପ୍ଲେଷ୍ଟେସନ ଫ୍ରାଞ୍ଚାଇଜକୁ ମୋବାଇଲ ପ୍ଲାଟଫର୍ମକୁ ଆଣିବା ଲାଗି ଯୋଜନା ରଖିଥିବାବେଳେ ପ୍ରତିଯୋଗୀ କମ୍ପାନି ମାଇକ୍ରୋସଫ୍ଟ ମଧ୍ୟ ଏକ୍ସବକ୍ସ ମୋବାଇଲ ଗେମିଂ ଷ୍ଟୋର ନିର୍ମାଣ କରୁଛି। ତେବେ ଏହା ମୋବାଇଲରେ ଉପଲବ୍ଧ ହେଉଥିବା ଗେମିଂ କମ୍ପାନିଙ୍କ ବ୍ୟବସାୟ ମଡ଼େଲ ଉପରେ ଚାପ ସୃଷ୍ଟି କରିବ।

ସମ୍ବନ୍ଧିତ ଖବର