ଆଜି ଧନତେରସ୍‌: ବେପାର ୫ ହଜାର କୋଟି ଟପିବ, ୨୦ରୁ ୨୫ ପ୍ରତିଶତ ଅଧିକ କାରବାର ଆଶା

ନୂଆଦିଲ୍ଲୀ: ଆଜି ଧନତେରସ୍‌। ଏହି ଦିନକୁ ବ୍ୟବସାୟୀ ଏବଂ ଗ୍ରାହକମାନେ ଅପେକ୍ଷା କରି ରହିଥାନ୍ତି। ଆଗକୁ ବାହାଘର ସିଜନ୍ ଥିବାରୁ ବ୍ୟବସାୟୀମାନେ ଚଳିତବର୍ଷ ଧନତେରସ୍ ପାଇଁ ଅଧିକ ଉତ୍ସାହିତ ହୋଇ ପଡ଼ିଛନ୍ତି। ସୋ’ରୁମ୍‌ ଗୁଡ଼ିକ ଗ୍ରାହକଙ୍କ ପାଇଁ ପାରମ୍ପରିକ ଗହଣା ସହିତ ଅନେକ ନୂଆ ଡିଜାଇନର ଗହଣା ସମ୍ଭାର ରଖିଛନ୍ତି। ଏଥିସହିତ ମନଲୋଭା ଅଫର୍ ମଧ୍ୟ ଘୋଷଣା କରିଛନ୍ତି।

ଚଳିତବର୍ଷ ଧନତେରସ୍‌ରେ ଦେଶରେ ପ୍ରାୟ ୫ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଗହଣା ବ୍ୟବସାୟ ହେବ। ଗତବର୍ଷ ଧନତେରସ୍ ତୁଳନାରେ ଚଳିତବର୍ଷ ୨୦ରୁ ୨୫ ପ୍ରତିଶତ ଅଧିକ ବ୍ୟବସାୟ ହେବ ବୋଲି ବ୍ୟବସାୟୀମାନେ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ଗତ କିଛିଦିନ ହେଲା ସୁନା ଦର କେବଳ ଅପେକ୍ଷାକୃତଭାବେ କମ୍ ସ୍ତରରେ ନାହିଁ, ମୂଲ୍ୟ‌ ମଧ୍ୟ ପ୍ରାୟତଃ ସ୍ଥିର ରହିଛି। ତେଣୁ ଗହଣା ବିକ୍ରି ଭଲ ରହିବ ବୋଲି ଅନୁମାନ କରାଯାଉଛି। ବିଶେଷକରି କମ୍ ଓଜନର ଗହଣା ଏବଂ ସୁନା ଓ ରୁପା ମୁଦ୍ରା ଗତବର୍ଷ ଧନତେରସ ତୁଳନାରେ ୩୦ରୁ ୩୫ ପ୍ରତିଶତ ଅଧିକ ବିକ୍ରି ହେବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି। ଧନତେରସ୍‌ ଦିନ ମହାରାଷ୍ଟ୍ରରେ ସର୍ବାଧିକ ୬୫୦ କୋଟିରୁ ୭୦୦ କୋଟି, ଗୁଜରାଟରେ ୪୦୦ରୁ ୫୦୦ କୋଟିର ଗହଣା ବିକ୍ରି ହେବ ବୋଲି ମତ ଦେଇଛନ୍ତି। ବୁଧବାର ଦିଲ୍ଲୀରେ ସୁନା ଦର ୧୦ ଗ୍ରାମ ପିଛା ୧୭୭ ଟଙ୍କା ବୃଦ୍ଧି ଘଟି ୩୮,୯୩୨ ଟଙ୍କାରେ ଥିବାବେଳେ ରୁପା ମୂଲ୍ୟ କିଲୋଗ୍ରାମ ପିଛା ୨୯୦ ଟଙ୍କା ବୃଦ୍ଧି ଘଟି ୪୬,୫୬୦ ଟଙ୍କାରେ ପହଞ୍ଚିଛି।

ଗତ ୫ ବର୍ଷର ଧନତେରସ ମୂଲ୍ୟ ସହିତ ଚଳିତବର୍ଷର ସୁନା ମୂଲ୍ୟକୁ ତୁଳନା କଲେ ଜାଣିବାକୁ ମିଳେ ଯେ, ଏହି ମୂଲ୍ୟବାନ ଧାତୁର ମୂଲ୍ୟ ପ୍ରାୟ ୪୦ ପ୍ରତିଶତ ବୃଦ୍ଧି ଘଟିଛି। ୨୦୧୪ ଅକ୍ଟୋବର ୨୨ରେ ଦିଲ୍ଲୀରେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ୨୭,୯୨୫ ଟଙ୍କା ଥିବାବେଳେ ୨୦୧୬ ନଭେମ୍ବର ୯ରେ ଏହା ୨୬,୨୩୦ ଟଙ୍କା ରହିଥିଲା। ଅର୍ଥାତ୍ ଦର ସେହି ବର୍ଷକ ମଧ୍ୟରେ ପ୍ରାୟ ୬ ପ୍ରତିଶତ କମିଯାଇଥିଲା। କିନ୍ତୁ ୨୦୧୬ ଅକ୍ଟୋବର ୨୮ରେ ସୁନା ଦର ୧୬ ପ୍ରତିଶତ ବୃଦ୍ଧି ଘଟି ୩୦,୫୯୦ ଟଙ୍କାରେ ପହଞ୍ଚିଥିଲା। ୨୦୧୭ ଅକ୍ଟୋବର ୧୭ରେ ୩୦,୭୧୦ ଟଙ୍କା, ୨୦୧୮ ନଭେମ୍ବର ୫ରେ ୩୨,୬୯୦ ଟଙ୍କା ଏବଂ ଚଳିତବର୍ଷ ବୁଧବାର ସୁନା ଦର ୧୯ ପ୍ରତିଶତ ବୃଦ୍ଧି ଘଟି ୩୮,୯୩୨ ଟଙ୍କାରେ ପହଞ୍ଚିଛି। କିଛି ବ୍ୟବସାୟୀଙ୍କ କହିବାନୁଯାୟୀ, ଗତମାସରେ ସୁନା ଦର ୪୦ ହଜାର ଟଙ୍କା ଟପିଯାଇଥିଲା। କିନ୍ତୁ ଏବେ ଏହା ହ୍ରାସ ପାଇବା ସହିତ ପ୍ରାୟ ସ୍ଥିର ରହିଛି। ତେଣୁ ଗ୍ରାହକଙ୍କ ଉପରେ ଏହାର ଅନୁକୂଳ ପ୍ରଭାବ ରହିଛି। ବିଶେଷକରି ଅନେକ ଗ୍ରାହକ ସୁନା ଓ ରୁପା କ୍ରୟକୁ ନିବେଶର ଏକ ବଳିଷ୍ଠ ମାଧ୍ୟମ ବୋଲି ବିଚାର କରୁଛନ୍ତି। ସେଥିପାଇଁ ଚଳିତବର୍ଷ ଧନତେରସ୍‌ରେ ଅଧିକ ସୁନା ଓ ରୁପା ଭଳି ମୂଲ୍ୟବାନ ଧାତୁରେ ନିର୍ମିତ ଗହଣା, ମୁଦ୍ରା ଏବଂ ମୂର୍ତ୍ତି ଆଦି ବିକ୍ରି ହେବା ନେଇ ବ୍ୟବସାୟୀମାନେ ଆଶା ରଖିଛନ୍ତି।

ସମ୍ବନ୍ଧିତ ଖବର