ଟିପିସିଓଡିଏଲ୍‌ର ପାୱାର ସିଷ୍ଟମ୍ କଣ୍ଟ୍ରୋଲ ସେଣ୍ଟର୍‌ ଉଦ୍‌ଘାଟିତ

ଭୁବନେଶ୍ବର: ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିସିଓଡିଏଲ୍‌) ପକ୍ଷରୁ ଭୁବନେଶ୍ବରଠାରେ ଆଜି ପାୱାର ସିଷ୍ଟମ୍ କ‌ଣ୍ଟ୍ରୋଲ ସେଣ୍ଟର (ପିଏସ୍‌ସିସି) ଉଦ୍‌ଘାଟିତ ହୋଇଛି। ରାଜ୍ୟ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ଏହି ଅତ୍ୟାଧୁନିକ ବ୍ୟବସ୍ଥାକୁ ଉଦ୍‌ଘାଟନ କରିଛନ୍ତି। ଉକ୍ତ କେନ୍ଦ୍ର ଦ୍ବାରା ଟାଟା ପାୱାର ବିଜୁଳି ବଣ୍ଟନ ପାଇଁ ଲାଇସେନ୍ସ ପାଇଥିବା ଅଞ୍ଚଳରେ ରିଅଲ୍‌ ଟାଇମ୍‌ ପାୱାର ମ୍ୟାନେଜମେଣ୍ଟ କରିବାରେ ସମର୍ଥ ହେବ। ଏଥିସହିତ ଲୋଡ୍ ଆକଳନ, ଇ-ସେଫ୍‌ଟି ଓ ଆଉଟେଜ୍ ପଦ୍ଧତି, ଆଉଟେଜ୍‌ ପରିଚାଳନା, ରାଜ୍ୟ ଲୋଡ୍‌ ‌ଡିସପାଚ୍ କେନ୍ଦ୍ର ସହିତ ପରିଚାଳନା ମାନଦଣ୍ଡର ରିପୋର୍ଟିଂ ଏବଂ ବିଶ୍ଳେଷଣ ଆଦି ଏଠାରେ ହୋଇପାରିବ। ଓଡ଼ିଶା ଗ୍ରିଡ୍ କୋଡ୍‌ ୨୦୧୫ ଅନୁଯାୟୀ ଟିପିସିଓଡିଏଲ୍‌ ପକ୍ଷରୁ ଏହି କେନ୍ଦ୍ର ସ୍ଥାପନ କରାଯାଇଛି। ଉକ୍ତ କେନ୍ଦ୍ର ଦ୍ବାରା ଟିପିସିଓଡିଏଲ ଅଞ୍ଚଳରେ ଗ୍ରାହକଙ୍କୁ ଆଗାମୀ ଦିନରେ ବିଦ୍ୟୁତ ଯୋଗାଣ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ଶକ୍ତି ସଚିବ ଶ୍ରୀ ଧଳ ଏହି ଅବସରରେ ଦୃଢ଼ ଆଶା ପୋଷଣ କରିଥିଲେ। ସେହିଭଳି ଗ୍ରାହକଙ୍କୁ ନିରାପଦ ଏବଂ ଉନ୍ନତମାନର ବିଦ୍ୟୁତ ଯୋଗାଇବା ପାଇଁ କମ୍ପାନି ପ୍ରତିଶ୍ରୁତିବଦ୍ଧ ରହିଛି ବୋଲି ଟିପିସିଓଡିଏଲର ସିଇଓ ସେନବାଗମ୍ ମନ୍ଥିରାମ୍ କହିଛନ୍ତି। ପିଏସ୍‌ସିସି ସ୍ଥାପନ ଫଳରେ କମ୍ପାନି ନିରନ୍ତରଭାବେ ଏହାର ସେବା ପ୍ରଦାନର ଅନୁଧ୍ୟାନ କରିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ପୂର୍ବର ସେସୁ ଅଞ୍ଚଳରେ ବିଜୁଳି ଯୋଗାଇ ଦେବା ପାଇଁ ଟାଟା ପାୱାର ଓ ରାଜ୍ୟ ସରକାର ମିଳିତଭାବେ ଟିପିସିଓଡିଏଲ୍‌ ଗଠନ କରିଛନ୍ତି। ଚଳିତମାସ ପହିଲାରୁ ନୂଆ କମ୍ପାନି ଏଠାରେ କାର୍ଯ୍ୟଭାର ହାତକୁ ନେଇଛି।

ସମ୍ବନ୍ଧିତ ଖବର