ଟ୍ବିଟର କିଣିବେନି କି ମସ୍କ? କମ୍ପାନି କିଣିବାକୁ ହୋଇଥିବା ଚୁକ୍ତିକୁ ‌ନେଇ ଏଭଳି ଟ୍ବିଟ କ‌ଲେ ଏଲନ ମସ୍କ

ନୂଆଦିଲ୍ଲୀ: ଟ୍ବିଟର କିଣିବେନି କି ମସ୍କ? ଏଲନ୍ ମସ୍କ କରିଥିବା ଟ୍ୱିଟ ଏବେ ଏଭଳି ଇଙ୍ଗିତ କରିଛି। ମସ୍କ କିଛି ସମୟ ପାଇଁ ଟ୍ବିଟର ଡିଲକୁ ଅଟକାଇ ଦେଇଥିବା ଜଣାପଡ଼ିଛି। ସ୍ପାମ୍ ଓ ନକଲି ଟ୍ବିଟର ଆକାଉଣ୍ଟକୁ ନେଇ ସେ ଟ୍ୱିଟର ଡିଲକୁ ଅଟକାଇଥିବା କହିଛନ୍ତି। ସେ ଅସ୍ଥାୟୀ ଭାବେ ଏହି କିଣାବିକାକୁ ସ୍ଥଗିତ ରଖାଗଲା ବୋଲି କହିଛନ୍ତି। ଗତ ମାସ ଆରମ୍ଭରେ, ମସ୍କ ୪୪ ବିଲିୟନ ଡଲାରରେ ଟ୍ୱିଟର କିଣିବା ପାଇଁ ଟ୍ବିଟର ସହ ଚୁକ୍ତି କରିଥିଲେ।

ଏବେ ମସ୍କ କରିଥିବା ଟ୍ବିଟରେ ଲେଖିଛନ୍ତି ଯେ, ସ୍ପାମ୍ କିମ୍ବା ନକଲି ଆକାଉଣ୍ଟ୍ ଗଣନା ଉପରେ ତଥ୍ୟ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇ ନ ଥିବାରୁ ଟ୍ୱିଟର ଡିଲକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ତେବେ ସେ ଏଭଳି ଟ୍ବିଟ ମଜାକରେ କରିଛନ୍ତି ନାଁ ସତରେ ଟ୍ୱିଟର ଡିଲକୁ ସାମୟିକ ସ୍ଥଗିତ ରଖିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ।

ଗତ ମାସରେ ସୋସିଆଲ ମିଡିଆ କମ୍ପାନି ଟ୍ୱିଟର ଏଲନ୍ ମସ୍କକୁ ୪୪ ବିଲିୟନ ଡଲାରରେ ନିଜର ପ୍ରତି ସେୟାର ବିକ୍ରି କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ମସ୍କଙ୍କ ହାତକୁ ଟ୍ବିଟର ଯିବା ପରେ ସୋସିଆଲ ମିଡିଆ କମ୍ପାନି ଟ୍ୱିଟରର ସେୟାର ୨୦% ହ୍ରାସ ପାଇଛି। ଟ୍ୱିଟର ଏହି ବିଷୟରେ କୌଣସି ମନ୍ତବ୍ୟ ଦେଇନାହିଁ।

ଏଲନ୍ ମସ୍କ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲାର ସିଇଓ ଅଟନ୍ତି। ପ୍ଲାଟଫର୍ମରୁ ସ୍ପାମ୍ ଓ ନକଲି ଟ୍ବିଟର ଆକାଉଣ୍ଟକୁ ହଟାଇବା ତାଙ୍କର ପ୍ରଥମ ପ୍ରାଥମିକତା ହେବ ବୋଲି ସେ ଟ୍ବିଟର କିଣିବା ପରେ କହିଥିଲେ। ହେଲେ ଏବେ ସେହି କାରଣ ପାଇଁ ହିଁ ସେ ଟ୍ୱିଟର ଡିଲକୁ ସାମୟିକ ସ୍ଥଗିତ ରଖିଛନ୍ତି ବୋଲି ଆକଳନ କରାଯାଉଛି।

ସମ୍ବନ୍ଧିତ ଖବର