ଗାଡ଼ି କାରଖାନାରେ ତାଲା: ମାରୁତି, ମହିନ୍ଦ୍ରା, ଫିଆଟ୍‌, ହିରୋ କାରଖାନା ବନ୍ଦ

ମୁମ୍ବାଇ: କରୋନା ଭୂତାଣୁ ଭାରତୀୟ ଅର୍ଥନୀତିର ବିଭିନ୍ନ କ୍ଷେତ୍ରକୁ ଏବେ ଖୁବ୍‌ ଜୋରରେ ପ୍ରଭାବିତ କରିବାରେ ଲାଗିଛି। ଅଟୋମୋବାଇଲ ଶିଳ୍ପ ଏଥିରୁ ବାଦ୍ ପଡ଼ିନାହିଁ। କାର୍ ଓ ବାଇକ୍ ନିର୍ମାଣ କରୁଥିବା କଂପାନିଗୁଡ଼ିକ କାରଖାନାରେ ତାଲା ପକାଇବା ଆରମ୍ଭ କରି ଦେଇଛନ୍ତି। ମାରୁତି ସୁଜୁକି, ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା, ଫିଆଟ୍‌ ଭଳି କାର୍‌ କଂପାନି ଓ ହିରୋ ଭଳି ଦୁଇ ଚକିଆ ଯାନ ନିର୍ମାତାଙ୍କ ପକ୍ଷରୁ କାରଖାନା ବନ୍ଦ କରାଯାଇଛି। କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ମାରୁତି ପକ୍ଷରୁ ଗୁରୁଗାଓଁ ଓ ମାନେସର କାରଖାନାକୁ ବନ୍ଦ କରାଯାଇଛି। ସେହିପରି, ଦେଶର ସର୍ବବୃହତ ଦୁଇ ଚକିଆ ଯାନ ନିର୍ମାତା ହିରୋ ମୋଟୋକର୍ପ ଏହାର ସମସ୍ତ କାରଖାନାକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କଂପାନିର ଭାରତ, କଲମ୍ବିଆ ଓ ବାଲାଂଦେଶରେ ଥିବା କାରଖାନାଗୁଡ଼ିକ ବନ୍ଦ ରହିବ। କର୍ମଚାରୀଙ୍କ ସୁରକ୍ଷା ଦୃଷ୍ଟିରୁ କଂପାନି ଏହି ନିଷ୍ପତ୍ତି ନେଇଛି। କଂପାନିର କେବଳ ରାଜସ୍ଥାନରେ ଥିବା ସେଣ୍ଟର ଅଫ୍‌ ଇନୋଭେସନ୍ ଆଣ୍ଡ୍‌ ଟେ‌କ୍ନୋଲୋଜି (ସିଆଇଟି) ଖୋଲା ରହିବ। ଏହି କେନ୍ଦ୍ରକୁ ଚାଲୁ ରଖିବା ଲାଗି ଯେତିକି କର୍ମଚାରୀ ଦରକାର ସେମାନଙ୍କୁ ନେଇ କାମ ଚାଲିବ। ହିରୋ ମୋଟୋକର୍ପର ଅଧ୍ୟକ୍ଷ ପୱନ ମୁଞ୍ଜଲ୍ କର୍ମଚାରୀମାନଙ୍କ ସୁରକ୍ଷାକୁ ସର୍ବାଧିକ ଗୁରୁତ୍ବ ଦେଉଛନ୍ତି। ନିଜର ଆଭିମୁଖ୍ୟ ବିଷୟରେ ସେ ଦୁଇଟି ଡିଜିଟାଲ୍ ଟାଉନ୍‌ ହଲ୍‌ ବୈଠକ ଆୟୋଜନ କରି ସୂଚନା ଦେଇସାରିଛନ୍ତି। ସ୍ଥିତି ଉପରେ ନିୟନ୍ତ୍ରଣ ରଖିବା ଲାଗି ସେ ଏକ ଟାସ୍କଫୋର୍ସ ଗଠନ କରିଛନ୍ତି। ବ୍ୟବସାୟ ଯେଭଳି ଚାଲୁ ରହିପାରିବ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ନିଶ୍ଚିତ ହୋଇପାରିବ ତାହା ଉପରେ ଏହି ଟାସ୍କଫୋର୍ସ ନଜର ରଖିବ ଏବଂ ଭିଡିଓ କନ୍‌ଫରେନ୍ସିଂ ଓ ଟେଲି କନ୍‌ଫରେନ୍ସିଂ ଜରିଆରେ ସବୁ ସୂଚନା ପ୍ରଦାନ କରିବ।

ସେହିପରି, ଆନନ୍ଦ ମହିନ୍ଦ୍ରାଙ୍କ କଂପାନି ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ଏହାର ନାଗପୁର କାରଖାନାରେ ଉତ୍ପାଦନକୁ ବନ୍ଦ କରିଥିବା ବେଳେ ଆସନ୍ତା ସୋମବାର ଠାରୁ କାଣ୍ଡିଭାଲି ଓ ଚକନରେ ଉତ୍ପାଦନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। କଂପାନି ତରଫରୁ କୁହାଯାଇଛି ଯେ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଓ କଲ୍ୟାଣକୁ ସର୍ବାଧିକ ଗୁରୁତ୍ବ ଦିଆଯାଉଛି। ‌କରୋନା ଭୂତାଣୁ ଯୋଗୁଁ ସୃଷ୍ଟି ହୋଇଥିବା ସ୍ଥିତି ଉପରେ ଆମେ ନଜର ରଖିଛୁ। ସ୍ଥିତିରେ ସୁଧାର ହେଲେ କାରଖାନାଗୁଡ଼ିକରେ କାର୍ଯ୍ୟ ପୁଣି ସ୍ବାଭାବିକ ହେବ। କଂପାନିର ଦେଶବ୍ୟାପୀ ବିଭିନ୍ନ ସ୍ଥାନରେ ଥିବା କାର୍ଯ୍ୟାଳୟଗୁଡ଼ିକରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ଘରେ ରହି କାର୍ଯ୍ୟ କରିବାକୁ କୁହାଯାଇଛି। କାର୍ଯ୍ୟାଳୟ ଓ କାରଖାନାଗୁଡ଼ିକରେ ସାମାଜିକ ଦୂରତା ବଜାୟ ରଖିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉଛି। ଅନ୍ୟତମ କାର୍‌ ନିର୍ମାତା ଫିଆଟ୍‌ କ୍ରିସଲର ଅଟୋମୋବାଇଲସ୍‌ ତରଫରୁ ଏହାର ମହାରାଷ୍ଟ୍ରର ରଞ୍ଜନଗାଓଁ ଠାରେ ଥିବା କାରଖାନାରେ ସମସ୍ତ କାର୍ଯ୍ୟକୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରିଦିଆଯାଇଛି। କର୍ମଚାରୀମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କଂପାନି ଏଭଳି ନିଷ୍ପତ୍ତି ନେଇଛି। ଏହି କଂପାନିମାନେ ଏବେ କାରଖାନା ବନ୍ଦ କରିଥିବ‌ା ବେଳେ ଆଗାମୀ ଦିନରେ ଅନ୍ୟ ପ୍ରମୁଖ ଗାଡ଼ି ନିର୍ମାତାମାନେ ମଧ୍ୟ ସେଭଳି ପଦକ୍ଷେପ ଗ୍ରହଣ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର