ମନଲୋଭା ଘୋଷଣା ପ୍ରତିଦ୍ବନ୍ଦ୍ବିତାକୁ ନାପସନ୍ଦ

ଉପରାଷ୍ଟ୍ରପତିଙ୍କ ପ୍ରଶ୍ନ, ପାଣ୍ଠି କେଉଁଠୁ ଆଣିବ ଲୋକଙ୍କୁ ଜଣାଅ

ବେଙ୍ଗାଲୁରୁ: ‌ଦେଶରେ ସାଧାରଣ ନିର୍ବାଚନ ଯେତିକି ‌ପାଖେଇ ଆସୁଛି ଭୋଟର୍‌ଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରାଜନୈତିକ ଦଳ ଦ୍ବାରା ମନଲୋଭା ସ୍କିମ୍ ଓ ଯୋଜନା ଘୋଷଣା ସେତିକି ବଢ଼ିବାରେ ଲାଗିଛି। ରାଜନୈତିକ ଦଳଗୁଡ଼ିକ ଭିତରେ ଦେଖାଦେଇଥିବା ଏଭଳି ପ୍ରତିଦ୍ବନ୍ଦ୍ବିତାକୁ ଉପରାଷ୍ଟ୍ରପତି ଏମ୍ ଭେଙ୍କୟା ନାଇଡ଼ୁ ନାପସନ୍ଦ କରିଛନ୍ତି। ଏକ କାର୍ଯ୍ୟକ୍ରମରେ ଅତିଥି ଭା‌ବେ ଯୋଗ ଦେଇ ସେ କହିଛନ୍ତି ଯେ, ରାଜନୈତିକ ଦଳଗୁଡ଼ିକର ଋଣ ଛାଡ଼ ଓ ମାଗଣାରେ ବିଜୁଳି ଭଳି ମନ‌ଲୋଭା ଘୋଷଣା କେବଳ ସାମୟିକ ସମାଧାନ ମାତ୍ର। ଏହା ପ୍ରକୃତ ସମସ୍ୟାର ସମାଧାନ ନୁହେଁ। ଦେଶରେ ଆୟର ନିରନ୍ତର ଧାରା ବଜାୟ ରଖିବାକୁ ହେଲେ ଢାଞ୍ଚାଗତ ପରିବର୍ତ୍ତନର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି। ସେ କହିଲେ, ମାଗଣାରେ ବିଜୁଳିର ଅର୍ଥ ହେଉଛି ପ୍ରଥମେ ତାହା ନିଶୁଳ୍କ ମିଳିବ ଓ ପରେ ଆଉ ଆଦୌ ବିଜୁଳି ମିଳିବ ନାହିଁ। ‌ଋଣ ଛାଡ଼ ମଧ୍ୟ ସେହିଭଳି। ଏହା ସ୍ଥାୟୀ ସମାଧାନ ନୁହେଁ। ଚାଷୀଙ୍କୁ ସବୁ ଋତୁରେ ଋଣ ଦରକାର। ସେଥିପାଇଁ ଆମକୁ ଢାଞ୍ଚାଗତ ପରିବର୍ତ୍ତନ ଆଣିବାକୁ ପଡ଼ିବ। ଲୋକପ୍ରିୟ ମନଲୋଭା ନିର୍ବାଚନୀ ଘୋଷଣାଗୁଡ଼ିକ କେବଳ ସାମୟିକ ରାଜନୈତିକ ସ୍ବାର୍ଥ ପୂରଣ କରିବ। ତାହା ଦୀର୍ଘମିଆଦୀ ଭିତ୍ତିରେ ଅର୍ଥନୈତିକ ସମସ୍ୟା ସୃଷ୍ଟି କରିବ। କାରଣ, ରାଜନୈତିକ ଉଦ୍ଦେଶ୍ୟ ରଖି କରାଯାଉଥିବା ମନଲୋଭା ଘୋଷଣାଗୁଡ଼ିକରୁ ବିଶେଷ କିଛି ଲାଭ ମିଳେ ନାହିଁ ବୋଲି ସେ କହିଛନ୍ତି।

ଉପରାଷ୍ଟ୍ରପତି ଶ୍ରୀ ନାଇଡ଼ୁ କହିଛନ୍ତି ଯେ, ମନଲୋଭା ଘୋଷଣାଗୁଡ଼ିକ କେବଳ ‘ବଡ଼ ଓ ଅବାସ୍ତବ କାର୍ଯ୍ୟକ୍ରମ’ ମାତ୍ର। ଆମେ ଏକ ପରିପକ୍ବ ଗଣତନ୍ତ୍ର ଆଡ଼କୁ ଗତି କରୁଛେ। କିନ୍ତୁ ଲୋକମାନେ ଏଭଳି ପ୍ରତିଶ୍ରୁତି ଦ୍ବାରା ପ୍ରଭାବିତ ହୋଇଯାଉଛନ୍ତି ଏବଂ ଭୋଟରଙ୍କୁ ଲଲିପପ୍‌ ଧରାଇ ଦିଆଯାଉଛି। ମନଲୋଭା ଘୋଷଣା କରୁଥିବା ଦଳଗୁଡ଼ିକୁ ଏହା ଜଣାଇବାକୁ ହେବ ଯେ ସେମାନେ ଯେଉଁ ଘୋଷଣା କରୁଛନ୍ତି ସେଥିପାଇଁ ପାଣ୍ଠି କେଉଁଠାରୁ ଆଣିବେ? ଲୋକମାନଙ୍କୁ ତାହା ଦଳଗୁଡ଼ିକ ତରଫରୁ ଜଣାଇବାକୁ ପଡ଼ିବ ବୋଲି ସେ କହିଛନ୍ତି। ଏହି ଅବସରରେ ସେ ସଂସଦ ଓ ବିଧାନସଭା‌ଗୁଡ଼ିକରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସାଂସଦ ଓ ବିଧାୟକମାନଙ୍କୁ ବ୍ୟବହାରରେ ପରିବର୍ତ୍ତନ ଆଣିବାକୁ ସେ ଆହ୍ବାନ ଦେଇଛନ୍ତି। ସଂସଦ ଓ ବିଧାନସଭାରେ ଏଭଳି ବିଭ୍ରାଟ ବନ୍ଦ ହେବା ଦରକାର ବୋଲି କହିଛନ୍ତି। ଶ୍ରୀ ନାଇଡ଼ୁ କହିଛନ୍ତି ଯେ, ଗୃହରେ ବିଶୃଙ୍ଖଳା ସାଧାରଣ କଥାରେ ପରିଣତ ହୋଇଗଲାଣି। କୌଣସି ସାଂସଦ କିମ୍ବା ବିଧାୟକ ସ୍ବତନ୍ତ୍ର ଭାବେ ଏଥିପାଇଁ ଦାୟୀ ନୁହନ୍ତି। ବହୁ ସମୟରେ ଦଳର ହାଇକମାଣ୍ଡ ସେମାନଙ୍କ ନେତାମାନଙ୍କୁ ସେଭଳି ବ୍ୟବହାର କରିବାକୁ ନିର୍ଦେଶ ମଧ୍ୟ ଦେଉଛନ୍ତି। ବିରୋଧ ନାମରେ ବିଶୃଙ୍ଖଳା ସୃଷ୍ଟି କରିବାର ଯେଉଁ ପରମ୍ପରା ଚାଲିଛି ତାହା ବନ୍ଦ ହେବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର