ହ୍ବାଟସ୍‌ଆପ୍‌ ଆକାଉଣ୍ଟ୍‌କୁ ସୁରକ୍ଷିତ ରଖିବା ଉପାୟ, ସେଟିଂରେ କରନ୍ତୁ ପରିବର୍ତ୍ତନ

ନୂଆଦିଲ୍ଲୀ: ହ୍ବାଟସ୍‌ଆପ୍‌ରେ ବ୍ୟକ୍ତିଗତ ତଥ୍ୟର ଗୋପନୀୟତା ଏବେ ଚର୍ଚ୍ଚାର ବିଷୟ ହୋଇଥିବା ବେଳେ ଏହି ଲୋକପ୍ରିୟ ଆପ୍‌କୁ ବ୍ୟବହାର କରୁଥିବା ଲୋକମାନେ ଏହାକୁ ନେଇ ବେଶ ଚିନ୍ତିତ ହୋଇଛନ୍ତି। ତେବେ‌ ଯେଉଁମାନେ ନିଜ ଆକାଉଣ୍ଟ୍‌କୁ ସୁରକ୍ଷିତ ରଖିବାକୁ ଚାହୁଛନ୍ତି ସେମାନେ ସେଟିଂରେ କିଛିଟା ପରିବର୍ତ୍ତନ କରି ସେହି ଲକ୍ଷ୍ୟ ହାସଲ କରିପାରିବେ। ଯଦି କୌଣସି ଗ୍ରୁପ୍‌ରେ ଅନ୍ୟମାନଙ୍କ ଦ୍ବାରା ଯୋଡ଼ି ହେବାକୁ ପସନ୍ଦ କରୁନାହାନ୍ତି ତେବେ ସେଟିଂରେ ଯାଇ ଗ୍ରୁପ୍‌ର ପ୍ରାଇଭେସି ପାଇଁ ଥିବା ବିକଳ୍ପଗୁଡ଼ିକ ମଧ୍ୟରୁ ନିଜକୁ ସୁହାଇବା ଭଳି ବିକଳ୍ପ ଚୟନ କରିପାରିବେ। ଏହା କଲେ ଆପଣଙ୍କୁ ଯେକେହି ‌ଯେକୌଣସି ଗ୍ରୁପ୍‌ରେ ଯୋଡ଼ି ପାରିବେ ନାହିଁ। ହ୍ବାଟସ୍‌ଆପ୍‌ରେ ଦୁଇ ସ୍ତରୀୟ ଭେରିଫିକେସନ୍ ବ୍ୟବସ୍ଥା‌ ରହିଛି। ଯଦି ଏହି‌ ସେଟିଂ କରିଥିବେ ଫୋନ୍ ଚୋରି ହେଲେ କିମ୍ବା ହଜିଗଲେ ଅଧିକ ଚିନ୍ତା କରିବାକୁ ପଡ଼ିବ ନାହିଁ।

କେହି ଆପଣଙ୍କ ଫୋନ୍ ନମ୍ବର ଜରିଆରେ ସେହି ଆକାଉଣ୍ଟ୍‌ ସହଜରେ ଖୋଲିପାରିବେ ନାହିଁ। ଏହି ବ୍ୟବସ୍ଥାରେ ଏକ ୬ ଅଙ୍କ ବିଶିଷ୍ଟ ପିନ୍ ଦରକାର ପଡ଼ୁଛି। ଯାହାଙ୍କ ପାଖରେ ସେହି ପିନ୍ ନଥିବ ସେ ଆକାଉଣ୍ଟ୍‌କୁ ଖୋଲିପାରିବେ ନାହିଁ। ସେଟିଂରେ ଥିବା ଆକାଉଣ୍ଟ୍‌କୁ ଯାଇ ଟୁଷ୍ଟେପ୍‌ ଭେରିଫିକେସନ୍ ସୁବିଧା ହାସଲ କରିହେବ। ନିଜ ପ୍ରୋଫାଇଲ୍‌ ଫଟୋକୁ ଲୁଚାଇବାକୁ ଚାହୁଥିଲେ ସେଟିଂରେ ଥିବା ଆକାଉଣ୍ଟ୍‌-ପ୍ରାଇଭେସିରେ ଯାଇ ପ୍ରୋଫାଇଲ୍‌ ଫଟୋକୁ ହାଇଡ୍‌ (ଲୁଚାଇ) କରିପାରିବେ। କେଉଁମାନେ ଆପଣଙ୍କ ପ୍ରୋଫାଇଲ୍‌ ଫଟୋ ଦେଖିପାରିବେ ସେହି ବିକଳ୍ପ ଆପଣ ଚୟନ କରିପାରିବେ। ହ୍ବାଟସ୍‌ଆପ୍ ଷ୍ଟାଟସ୍‌କୁ ମଧ୍ୟ ଗୋପନ ରଖାଯାଇପାରିବ। ହ୍ବାଟସ୍‌ଆପ୍‌କୁ ଫିଙ୍ଗରପ୍ରିଣ୍ଟ୍ ବିକଳ୍ପ ଜରିଆରେ ଲକ୍ ମଧ୍ୟ କରିପାରିବେ। ଆକାଉଣ୍ଟ୍‌କୁ ସୁରକ୍ଷିତ ରଖିବାର ସୁବିଧାଗୁଡ଼ିକ ସେଟିଂ-ଆକାଉଣ୍ଟ୍‌-ପ୍ରାଇଭେସିରେ ରହିଛି।

ସମ୍ବନ୍ଧିତ ଖବର