ହଲ୍‌ମାର୍କ ନଥିବା ଗହଣା ବିକ୍ରି ବନ୍ଦ ହେବ

ନୂଆଦିଲ୍ଲୀ: ସୁନା ଗହଣାର ବିଆଇଏସ୍‌ ହଲ୍‌ମାର୍କିଂକୁ ବାଧ୍ୟତାମୂଳକ କରିବା ସଂକ୍ରାନ୍ତ ପ୍ରସ୍ତାବକୁ ବାଣିଜ୍ୟ ମନ୍ତ୍ରଣାଳୟ ମଞ୍ଜୁରି ପ୍ରଦାନ କରିଛି। ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାସ୍‌ୱାନ ଏହି ସୂଚନା ଦେଇଛନ୍ତି। ଖୁବ୍‌ଶୀଘ୍ର ଦେଶରେ ହଲ୍‌ମାର୍କ ନଥିବା ଗହଣା ବିକ୍ରି ବନ୍ଦ ହେବାକୁ ଯାଉଛି। ବିଶ୍ବ ବ୍ୟାପାର ସଂଗଠନ (ଡବ୍ଲୁଟିଓ) ପକ୍ଷରୁ ଅନୁମତି ମିଳିବା ପରେ ଏହି ବ୍ୟବସ୍ଥାକୁ ଲାଗୁ କରାଯିବ।

ଡବ୍ଲୁଟିଓ ନିୟମ କହୁଛି, ଏଭଳି କୌଣସି ନିଷ୍ପତ୍ତି ନେବା ପୂର୍ବରୁ ତାହାକୁ ଅବଗତ କରାଇବା ନିହାତି ଜରୁରୀ। ଏହି ପ୍ରକ୍ରିୟା ଦୁଇ ମାସ ଭିତରେ ଶେଷ ହୋଇଯିବ। ହଲ୍‌ମାର୍କ ହେଉଛି ସୁନା ଗହଣାର ଶୁଦ୍ଧତାର ପ୍ରମାଣ। ବର୍ତ୍ତମାନ ହଲମାର୍କିଂକୁ ଇଚ୍ଛାଧୀନ ଭାବେ ଲାଗୁ କରାଯାଇଛି। କିଛି ମାସ ଭିତରେ ଏହା ବାଧ୍ୟତାମୂଳକ ହୋଇଯିବ। ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌) ପାଖରେ ହଲମାର୍କିଂ ପ୍ରଦାନ କରିବାର ପ୍ରଶାସନିକ କ୍ଷମତା ରହିଛି। ତିନି ପ୍ରକାର ସୁନା-୧୪ କ୍ୟାରେଟ୍‌, ୧୮ କ୍ୟାରେଟ୍ ଓ ୨୨ କ୍ୟାରେଟ୍‌ ସୁନା ପାଇଁ ଏହା ହଲମାର୍କିଂ ମାନକ ନିର୍ଦ୍ଧାରଣ କରିଛି। ଉଲ୍ଲେଖଯୋଗ୍ୟ, ଦେଶରେ ବର୍ତ୍ତମାନ ପାଖାପାଖି ୮୦୦ ହଲମାର୍କିଂ କେନ୍ଦ୍ର ରହିଛି। ଦେଶରେ ବିକ୍ରି ହେଉଛି ମାତ୍ର ୪୦% ଗହଣାରେ ହଲମାର୍କିଂ ରହିଛି।

ସମ୍ବନ୍ଧିତ ଖବର