ଗୋରୁ ଗାଡ଼ି ଅଟକାଇବା ପୂର୍ବରୁ ମାଡ଼

ଖଣ୍ଡଗିରି : ୧୯ ତାରିଖ ରାତିରେ ଖଣ୍ଡଗିରି ଛକରେ ଗୋରୁ ଗାଡ଼ି ଅଟକାଇବାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ମାଡ଼ ମରାଯାଇଥିବା ନେଇ ଅଭିଯୋଗ ହୋଇଛି। ଯୁବକ ଜଣଙ୍କ ହେଉଛନ୍ତି ଦିଲ୍ଲୀର ଯୋଗେନ୍ଦର ସିଂହ। ଦୁର୍ବୃତ୍ତମାନେ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ମୋବାଇଲ୍‌ ଫୋନ୍‌ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି। ଖଣ୍ଡଗିରି ଥାନା ପୁଲିସ ଏ ନେଇ ଖୋଳତାଡ୍‌ କରୁଥିବା ସୂଚନା ମିଳିଛି।

ଯୋଗେନ୍ଦରଙ୍କ କହିବା କଥା ସେ ଦିଲ୍ଲୀସ୍ଥିତ ଆନିମଲ୍‌ ବୋର୍ଡର ଜଣେ ଅବୈତନିକ କର୍ମଚାରୀ। ଓଡ଼ିଶାରେ ବେଆଇନ୍‌ ଗୋଚାଲାଣ ହେଉଥିବା ଖବର ପାଇ ସେ ଭୁବନେଶ୍ୱର ଆସିଥିଲେ। ଏବେ ସେ ଏକ ହୋଟେଲରେ ରହୁଛନ୍ତି। ରବିବାର ରାତି ପ୍ରାୟ ୧ଟା ସମୟରେ କିଛି ସ୍ଥାନୀୟ ଯୁବକଙ୍କଠାରୁ ଖବର ପାଇ ସେ ଖଣ୍ଡଗିରି ଥାନାକୁ ଆସିଥିଲେ। ଖୋର୍ଧାରୁ କିଛି ଗୋରୁ ବୋଝେଇ ଗାଡ଼ି ଖଣ୍ଡଗିରି ଛକ ଦେଇ ପାର୍‌ ହେବ ବୋଲି ତାଙ୍କୁ ଖବର ମିଳିଥିଲା। ଖବର ଦେଇଥିବା କିଛି ଯୁବକ ମଧ୍ୟ ତାଙ୍କ ସହିତ ଖଣ୍ଡଗିରି ଆସିଥିଲେ। ଯୋଗେନ୍ଦର ଥାନାରେ ଏ ବାବଦରେ ଜଣାଇଥିଲେ ଓ ତୁରନ୍ତ ଟ୍ରାଫିକ୍‌ ଛକରୁ ପିସିଆର୍‌ ପଠାଇବାକୁ କହିଥିଲେ।

ଏତିକିବେଳେ ଖୋର୍ଧାରୁ ଏକ ବୋଲେରୋରେ ଯାଉଥିବା କିଛି ଯୁବକ ସେଠାରେ ଅଟକିବା ସହ ତାଙ୍କୁ ମାର୍‌ପିଟ୍‌ କରିଥିଲେ ଓ ତାଙ୍କ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ସେତେବେଳେ ତାଙ୍କ ସହିତ ଥିବା ସ୍ଥାନୀୟ ଯୁବକ କିମ୍ବା ପୁଲିସ ତାଙ୍କୁ ସହଯୋଗ କଲେ ନାହିଁ। ଯୋଗେନ୍ଦରଙ୍କ କହିବା କଥା ତାଙ୍କୁ ମାଡ଼ ମାରିଥିବା ଯୁବକମାନେ ହିଁ ଗୋରୁ ବୁହା ଗାଡ଼ିର ସୁରକ୍ଷାକର୍ମୀ। ତେବେ ପୁଲିସ କହିବା କଥା ରାତି ୨ଟା ପର୍ଯ୍ୟନ୍ତ ଗୋଟିଏ ବି ଗୋରୁ ଗାଡ଼ି ଆସି ନଥିଲା। ଅଯଥାରେ ଯୋଗେନ୍ଦର ଉକ୍ତ ବୋଲେରୋକୁ ଅଟକାଇବାରୁ ସେମାନଙ୍କ ଭିତରେ ଠେଲାପେଲା ହୋଇଥିଲା। କିଛି ଗଣ୍ଡଗୋଳ ଘଟିନାହିଁ।

ସମ୍ବନ୍ଧିତ ଖବର