ବ୍ୟବସାୟୀଙ୍କୁ ବୋମାମାଡ଼ ମାମଲା, ଆଉ ୨ ଗିରଫ

ଭୁବନେଶ୍ବର: ସାଲିଆସାହି ତାରିଣୀନଗରରେ ଜଣେ ବ୍ୟବସାୟୀଙ୍କୁ ବୋମାମାଡ଼ ଘଟଣାରେ ଆଜି ନୂଆପଲ୍ଲୀ ଥାନା ପୁଲିସ ଆଉ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ, ସାଲିଆସାହି ଅଞ୍ଚଳର ରାକେଶ କୁମାର ତରାଇ(୧୯) ଓ ସିଆର୍‌ପି ମୁଣ୍ଡାସାହି ଅଞ୍ଚଳର ଅଲ୍ଲୀ ଆବ୍ରାହମ(୨୬)। ପୂର୍ବରୁ ଏହି ଘଟଣାରେ ପୁଲିସ ଟଙ୍କପାଣି ରୋଡ୍‌ ସାଇମନ୍ଦିର ଅଞ୍ଚଳର ମହାଦେବ ଓରଫ ମଙ୍ଗୁ(୨୧), ଜଗତସିଂହପୁର ଜିଲ୍ଲା ଏରସମା ଅଞ୍ଚଳର ଆଶିଷ କୁମାର ନାୟକ ଓରଫ କୁନୁ(୨୨) ଏବଂ ସାଲିଆସହି ବାଜପେୟୀନଗର ଅଞ୍ଚଳର କୈଳାସ ସାହୁ(୪୩)ଙ୍କୁ ଗିରଫ କରିଥିଲା। ପ୍ରକାଶ ଥାଉ କି, ସାଲିଆସାହି ଅଞ୍ଚଳର ବିଶ୍ବନାଥ ପ୍ରଧାନଙ୍କ ସହ କୁଖ୍ୟାତ ଅପରାଧୀ ମନ୍ଦର ସାହୁ ଓରଫ ଟିକିର ଦୀର୍ଘ ଦିନ ହେବ ବିବାଦ ଲାଗି ରହିଥିଲା। କିଛିଦିନ ତଳେ ମନ୍ଦର ଗିରଫ ହୋଇ ଜେଲ୍‌ ଯାଇଛି। ସେ ଗିରଫ ହେବା ପଛରେ ବିଶ୍ବନାଥଙ୍କ ହାତ ଥିବା ସନ୍ଦେହ କରି ତାଙ୍କୁ ରାସ୍ତାରୁ ହଟାଇବା ପାଇଁ ଯୋଜନା ହୋଇଥିଲା। ଗତ ୨୧ ତାରିଖ ରାତିରେ ବିଶ୍ବନାଥ ଜାଭିୟର ଛକରୁ ଚା’ ପିଇ ଫେରିବା ବେଳେ କୁନୁ ତାଙ୍କ ଉପରକୁ ବୋମାମାଡ଼ କରିଥିଲା।

ସମ୍ବନ୍ଧିତ ଖବର