ପଞ୍ଚକୁଲା: ତିନିଦିନ ହେବ ଘରୁ କେଉଁଆଡେ ଚାଲି ଯାଇଥିବା ଜଣେ ନାବାଳକର ମୃତଦେହ ସେକ୍ଟର-୨୮ରେ ଥିବା ଏକ ଗାଡ଼ରୁ ରହସ୍ୟଜନକ ଭାବେ ଉଦ୍ଧାର କରାଯାଇଛି। ଏହି ନାବାଳକର ମୁଣ୍ଡ ଗାତ ଭିତରେ ଥିବା ବେଳେ ଗୋଡ଼ ବାହାରେ ଥିବାର ଦେଖିବାକୁ ମିଳିଥିଲା। ଏହି ଦୃଶ୍ୟକୁ ଦେଖି ସନ୍ଦେହ କରାଯାଉଛି ଯେ ନାବାଳକୁ କେହି ଗାତ ଭିତରେ ପୁରାଇ ହତ୍ୟା କରିବାକୁ ଉଦ୍ୟମ କରୁଥିଲା ବୋଧ ହୁଏ। ଏନେଇ ସ୍ଥାନୀୟଲୋକ ପୁଲିସକୁ ଖବର ଦେଇଥିଲେ ଖବର ପାଇ ପୁଲିସ ଓ ଫରେନ୍ସିକ୍ ଏକ୍ସପର୍ଟ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନାଯୋଗ୍ୟ, ସବୁଦିନ ଭଳି ଗତ ସୋମବାର ଦିନ ୧୪ବର୍ଷର ନାବାଳକ ଖେଳିବା ପାଇଁ ଘରୁ ବାହାରକୁ ଯାଇଥିଲା। ସନ୍ଧ୍ୟା ହୋଇଥିଲେ ହେଁ ସେ ଘରକୁ ଆଉ ଫେରି ନ ଥିଲା। ବାପା-ମାଆ ପୁଅର ଫେରିବା ବାଟକୁ ଚାହିଁ ଚାହିଁ ରାତି ପାହି ଯାଇଥିଲା। ପୁଅକୁ ଯେତେ ଖୋଜିଥିଲେ ବି କୌଣସି ସୂଚନା ମିଳି ପାରି ନ ଥିଲା। ମଙ୍ଗଳବାର ସନ୍ଧ୍ୟାରେ ଜଣେ ପିଲା ରାସ୍ତା ପାର୍ଶ୍ୱରେ ଯାଉଥିବା ସମୟରେ ଦେଖିବାକୁ ପାଇଲା କେହି ଜଣେ ଏକ ଗାତ ଭିତରେ ପଶି ରହିଛି। ତୁରନ୍ତ ସେ ଏ ନେଇ ପୁଲିସକୁ ଖବର ଦେଇଥିଲା। ପୁଲିସ ଏହାପରେ ଜେସିବି ଡକାଇ ଗାତକୁ ଖୋଳି ନାବାଳକକୁ ବାହାର କରିଥିଲା। ପିଲାର ମୁହଁରୁ ରକ୍ତ ବାହାରୁଥିଲା ଓ ତାର ହାତ ପାଖରେ ମୋବାଇଲ ପଡ଼ିଥିବାର ଦେଖିବାକୁ ମିଳିଥିଲା।
ସମ୍ପୂର୍ଣ୍ଣ ମାମଲାକୁ ନେଇ ଏସଏଚଓ ଚଣ୍ଡିମନ୍ଦିର ମହମୁଦ ଖାନ୍ କହନ୍ତି, ପ୍ରଥମେ ଏହାକୁ ହତ୍ୟା ଘଟଣା ବୋଲି କୁହାଯାଉଥିଲା। କିନ୍ତୁ ଫରେନସିକ୍ ଯାଞ୍ଚ ପରେ ପିଲାର ମୃତ୍ୟୁ ଶ୍ୱାସରୁଦ୍ଧ ହେବା ହେତୁ ହୋଇଥିବା ଜଣାପଡ଼ିଛି। ତେବେ ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି।