ମାତାଲ ଛାତ୍ରଙ୍କ କାର୍‌ ଧକ୍କାରେ ଯୁବକ ଗୁରୁତର

ଧଉଳି: ଧଉଳି ଥାନା ଅନ୍ତର୍ଗତ ଦୟାବ୍ରିଜ୍‌ ନିକଟରେ ଆଜି ସକାଳ ପ୍ରାୟ ୬ଟା ସମୟରେ ଦ୍ରୁତବେଗରେ ଆସୁଥିବା ଏକ କାର ଧକ୍କାରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଆହତ ଏହି ଯୁବକଙ୍କ ପରିଚୟ ଜଣାପଡ଼ିନି। ସ୍ଥାନୀୟ ଲୋକ ଚିକିତ୍ସା ଲାଗି ତାଙ୍କୁ ଲୁଇସ୍‌ରୋଡ୍‌ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତି କରିଛନ୍ତି। ଯୁବକଙ୍କ ଗୋଡ଼ ଓ ଶରୀରରେ ଗଭୀର ଆଘାତ ଲାଗିଥିବା ବେଳେ ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଖବରପାଇ ଧଉଳି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଜବତ କରିଛି। ସୂଚନାନୁଯାୟୀ ପୁରୀରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏହି କାରରେ ପଟିଆସ୍ଥିତ ଏକ ପ୍ରତିଷ୍ଠିତ ଘରୋଇ କଲେଜର ୪ ଜଣ ଛାତ୍ରଛାତ୍ରୀ ଥିଲେ। ଗତ ସନ୍ଧ୍ୟାରେ ସେମାନେ ପୁରୀ ବୁଲିବାକୁ ଯାଇ ଆଜି ସକାଳେ ଫେରୁଥିଲେ। ଯୁବକ ଜଣକ ଏହି ରାସ୍ତାରେ ମର୍ଣ୍ଣିଂଓ୍ଵାର୍କରେ ଯାଉଥିବା ବେଳେ ଦ୍ରୁତବେଗରେ ଥିବା ଉକ୍ତ କାର (ଓଡ଼ି-୩୪ ବି-୫୦୬୦) ତାଙ୍କୁ ପଛରୁ ଧକ୍କା ଦେଇଥିଲା। ଏନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର