ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କ ଘର ଭାଙ୍ଗିଦେଲେ

ଚନ୍ଦ୍ରଶେଖରପୁର: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ମହିଳାଙ୍କ ଘରକୁ କିଛି ଦୁର୍ବୃତ୍ତ ଭାଙ୍ଗିଦେବା ସହିତ ତାଙ୍କ ଘରେ ଥିବା କିଛି ଜିନିଷପତ୍ର ଲୁଟ୍‌ କରି ନେଇଥିବା ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ ହୋଇଛି। ନୀଳାଦ୍ରିବିହାର ମଙ୍ଗଳା ବସ୍ତିରେ ରହୁଥିବା ନଳିନୀ ମଲ୍ଲିକ(୩୫) ନାମ୍ନୀ ଜଣେ ମହିଳାଙ୍କ ସହ ସ୍ଥାନୀୟ କିଛି ଯୁବକଙ୍କ ବଚସା ଓ ଗଣ୍ଡଗୋଳ ହୋଇଥିଲା। ଯାହାକୁ ନେଇ ମହିଳା ଜଣଙ୍କ ଥାନାରେ ଅଭିଯୋଗ କରିଥିଲେ। ତେବେ ଅସାମାଜିକ ଯୁବକମାନେ ରାଗ ସୁଝାଇବାକୁ ଯାଇ ଗତକାଲି ରାତିରେ ମହିଳାଙ୍କ ପରିବାର ଲୋକ ଘରେ ଶୋଇଥିବାବେଳେ ବଳପୂର୍ବକ ସେମାନଙ୍କୁ ବାହାରକୁ ତଡ଼ିଦେଇ ସେମାନଙ୍କ ସବୁ ଜିନିଷପତ୍ର ଘର ବାହାରକୁ ଫୋପାଡ଼ି ଦେଇଥିଲେ। ପରେ ତାଙ୍କ ଘରକୁ ଭାଙ୍ଗି ଦେଇଥିଲେ। ଏନେଇ ନଳିନୀ ସ୍ଥାନୀୟ ଥାନାରେ ଅଭିଯୋଗ କରିବାପରେ ଏବେ ପୁଲିସ ଘଟଣାରେ ସାମିଲ ଥିବା କିଛି ଯୁବକଙ୍କୁ ଥାନାରେ ଅଟକ ରଖି ତଦନ୍ତ ଆରମ୍ଭ କରିଛି ବୋଲି ପ୍ରଥମେ ସୂଚନା ଦେଇଥିଲା। ତେବେ ସଂଧ୍ୟାରେ କୌଣସି ଜଣେ ସ୍ଥାନୀୟ ନେତାଙ୍କ ଫୋନ୍‌କଲ୍‌ ପାଇ ଅଭିଯୁକ୍ତଙ୍କୁ ଥାନାରୁ ଛାଡ଼ିଦେଇଥିଲା। ଅପରପକ୍ଷରେ ଥାନାରୁ ବହାରି ଦୁର୍ବୃତ୍ତମାନେ ମହିଳାଙ୍କ ପରିବାର ଲୋକଙ୍କୁ ପୁଣିଥରେ ହନ୍ତସନ୍ତ କରୁଥିବା ବେଳେ ପୁଲିସ ସେମାନଙ୍କ କଥାରେ ମୁଣ୍ଡ ଆଉ ପୂରାଇବ ନାହିଁ ବୋଲି କହିଛି। ତେଣୁ ଗରିବ ମହିଳା ଜଣଙ୍କ ନିଜ ପରିବାର ସହ ଉକ୍ତ ବସ୍ତିରେ ଭୟଭୀତ ଅବସ୍ଥାରେ ରହୁଥିବା ବେଳେ ସେମାନଙ୍କ ସୁରକ୍ଷା ନେଇ ପୁଲିସ କୌଣସି ପଦକ୍ଷେପ ନେଇନାହିଁ। ଅଭିଯୁକ୍ତମାନେ ସ୍ଥାନୀୟ ଜଣେ ପ୍ରଭାବଶାଳୀ ନେତାଙ୍କ ପାଇଁ କାମ କରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର