ଲାଞ୍ଚ ନେଇ ଧରାପଡ଼ିଥିବା ଆଇଏଏସ୍‌ ଅଧିକାରୀ ନିଲମ୍ବିତ

ଭୁବନେଶ୍ବର:  ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିବା ଉଦ୍ୟାନ ବିଭାଗ ନିର୍ଦ୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ସରକାର ନିଲମ୍ବିତ କରିଛନ୍ତି। ବିଲ୍‌ ପାସ୍‌ କରିବା ପାଇଁ ୧ ଲକ୍ଷ ଟଙ୍କାର ଟଙ୍କାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ। ଏହାପରେ ତାଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଭୁବନେଶ୍ବରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କୁ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିଥିଲେ। ଏହି ଘଟଣା ପରେ ରାଜ୍ୟ ସରକାର ତୁରନ୍ତ ତାଙ୍କୁ ନିଲମ୍ବିତ କରିଛନ୍ତି । ଏହି ପ୍ରସଂଗରେ ସରକାରଙ୍କ ପକ୍ଷରୁ ପ୍ରତିକ୍ରିୟାରେ କୁହାଯାଇଛି, ‘ସ୍ବଚ୍ଛତା ହେଉଛି ଏହି ସରକାରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ସ୍ତମ୍ଭ। ଦୁର୍ନୀତି କାର୍ଯ୍ୟକଳାପରେ ଲିପ୍ତ କାହାକୁ ବି ଛଡ଼ାଯିବ ନାହିଁ। ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ବିଜୟ କେତନ ଉପାଧ୍ୟକ୍ଷଙ୍କୁ ସରକାର ନିଲମ୍ବିତ କରୁଛନ୍ତି।’

ଉଲ୍ଲେଖଯୋଗ୍ୟ, ସୋମବାର ରାଜ୍ୟ ସରକାରଙ୍କ ଉଦ୍ୟାନ ବିିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ଉପାଧ୍ୟାୟ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ। ଜଣେ ଆଇଏଏସ୍‌ ଅଧିକାରୀ ଏଭଳି ଭାବେ ଧରାପଡ଼ିବା ଘଟଣା ସରକାରୀ ଅଧିକାରୀ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଛି।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରୀତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ପ୍ରାୟ ୧୦ ଦିନ ହେବ ଭିଜିଲାନ୍ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।

ସମ୍ବନ୍ଧିତ ଖବର