ଇଣ୍ଡିଆନ୍‌ ବ୍ୟାଙ୍କ ୩୫ ଲକ୍ଷ ଡକାୟତି ମାମଲା

୧୦ଜଣଙ୍କୁ ଉଠାଇଲା ସ୍ପେସାଲ ସ୍କ୍ବାଡ୍‌

ଭୁବନେଶ୍ବର: ନିଆଳି ଇଣ୍ଡିଆନ୍‌ ବ୍ୟାଙ୍କ କର୍ମଚାରୀଙ୍କଠାରୁ ୩୫ଲକ୍ଷ ଟଙ୍କା ଡକାୟତି ଘଟଣାରେ ସ୍ପେସାଲ୍‌ ସ୍କ୍ବାଡ୍‌ ବୁଧବାର ରାତିରେ ୧୦ସନ୍ଦିଗ୍ଧଙ୍କୁ ଉଠାଇ ନେଇଛି। ଏହି ସନ୍ଦିଗ୍ଧମାନେ ଗୋବିନ୍ଦପୁର, ନିଆଳି, ବାଲିଅନ୍ତା ଓ କଟକ ସଦର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି। ଘଟଣା ସମୟରେ ସେଠାରେ ଆକ୍ଟିଭ୍‌ ଥିବା ମୋବାଇଲ ନମ୍ବରରୁ ଏହି ପଦକ୍ଷେପ ନିଆଯାଇଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ଅଟକ ଥିବା ଏହି ସନ୍ଦିଗ୍ଧମାନଙ୍କ ମୋବାଇଲ ନମ୍ବରକୁ ଆସିଥିବା ଓ ଯାଇଥିବା ଫୋନ୍‌ କଲ୍‌ରେ ହିଁ ଅସଲ ରହସ୍ୟ ରହିଛି। ଏହା ସହିତ ସିସିଟିଭିରେ ଠାବ ହୋଇଥିବା ଇନୋଭା ଗାଡ଼ିକୁ ପିଛା କରି ଏହି ସନ୍ଦିଗ୍ଧଙ୍କମାନଙ୍କ ମଧ୍ୟରୁ କେ‌ତେକଙ୍କ ପାଖରେ ସ୍ପେସାଲ ସ୍କ୍ବାଡ୍‌ ପହଞ୍ଚିଥିବା କୁହାଯାଉଛି। ଖୁବ୍‌ଶୀଘ୍ର ଏହି ଘଟଣାର ରହସ୍ୟ ଉନ୍ମୋଚନ ହେବାକୁ ଯାଉଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଉଲ୍ଲେଖଯୋଗ୍ୟ, ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଧୀନ ନଖରା ଖାରବେଳ ଇଷ୍ଟେଟ ନିକଟ ନିଛାଟିଆ ଶ୍ମଶାନ ପଡ଼ିଆରେ ୧୪ ତାରିଖ ସନ୍ଧ୍ୟା ୫ଟା ବେଳେ ଡକାୟତି ହୋଇଥିଲା। ନିଆଳି ଇଣ୍ଡିଆନ୍‌ ବ୍ୟାଙ୍କ୍‌ ଶାଖାରୁ ୩ ଜଣ କର୍ମଚାରୀ ଏକ ଓଲା କାର୍‌ରେ ୩୫ ଲକ୍ଷ ଟଙ୍କା ସହିଦ ନଗର ମୁଖ୍ୟ ଶାଖାରେ ଜମା କରିବା ପାଇଁ ଆସିବା ବେଳେ ୭ରୁ ୮ ଜଣ ଡକାୟତ ତାଙ୍କୁ ଏକ ଇନୋଭାରେ ପିଛା କରି ସାଇଡ୍‌ ମାରିଥିଲେ। ଭାରସାମ୍ୟ ହରାଇ ଓଲା ଚାଳକ ଗାଡ଼ିକୁ ଏକ କଚ୍ଚା ରାସ୍ତାରେ ପ୍ରାୟ ୧ରୁ ଦେଢ଼ କିଲୋମିଟର ପର୍ଯ୍ୟନ୍ତ ଏହି ଶ୍ମଶାନ ପଡ଼ିଆ ପର୍ଯ୍ୟନ୍ତ ନେଇ ଆସିଥିଲେ। ସେଠାରେ ଡକାୟତମାନେ ୩୫ ଲକ୍ଷ ନେଇ ଫେରାର ହୋଇ ଯାଇଥିଲେ।

ସମ୍ବନ୍ଧିତ ଖବର