ତମ ନାଁ ମହମ୍ମଦ? ଆଧାରକାର୍ଡ ଦେଖାଅ?? ଏପରି କହି ଅମାନବୀୟ ଭାବେ ମାଡ଼ ମାରିବାରୁ ଚାଲିଗଲା ବୃଦ୍ଧଙ୍କ ଜୀବନ

ଭୋପାଳ: ମଧ୍ୟପ୍ରଦେଶରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ମାନସିକ ବିକୃତ ବ୍ୟକ୍ତିଙ୍କୁ ଅନ୍ୟ ଜଣେ ବ୍ୟକ୍ତି ମାଡ଼ ମାରି ମାରି ଜୀବନରୁ ମାରି ଦେଇଥିବା ଅଭିଯୋଗ ହୋଇଛି। ସେହି ସମୟର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ଭିଡିଓରେ ବ୍ୟକ୍ତି ଜଣକ ଉକ୍ତ ମାନସିକ ବିକୃତ ବ୍ୟକ୍ତିଙ୍କୁ ‘ତମେ ମହମ୍ମଦ କି?’ ବୋଲି ବାରମ୍ବାର ପ୍ରଶ୍ନ କରୁଥିବା ଦେଖିବାକୁ ମିଳିଛି।

ଏହି ଘଟଣା ପରେ ମଧ୍ୟପ୍ରଦେଶର ନିମୁଚ୍‌ ଜିଲ୍ଲାରେ ଏକ ମାମଲା ରୁଜୁ ହୋଇଛି। ଏହି ଭିଡିଓରେ ମାନସିକ ଭାବେ ଦୁର୍ବଳ ବ୍ୟକ୍ତିଙ୍କୁ ମାଡ଼ ମାରୁଥିବା ବ୍ୟକ୍ତି ଜଣକ ଦିନେଶ କୁସୱାହା ବୋଲି ଜାଣିବାକୁ ମିଳିଛି। ଦିନେଶ ହେଉଛନ୍ତି ସଂପୃକ୍ତ ଅଞ୍ଚଳକ ପୂର୍ବତନ ବିଜେପି କର୍ପୋରେଟରଙ୍କ ସ୍ବାମୀ।

ଭିଡିଓଟିରେ ଦେଖିବାକୁ ମିଳିଛି ଯେ ବୃଦ୍ଧ ଜଣକ ବସିଥିବା ବେଳେ ଉକ୍ତ ବ୍ୟକ୍ତି ଜଣକ ଆସି ପ୍ରଶ୍ନ କରିଥି‌ଲେ, ‘ତୁମ ନାଁ ମହମ୍ମଦ? ଠିକ୍‌ରେ ନାଁ କୁହ। ଆଧାରକାର୍ଡ ଦେଖାଅ।’ ଏପରି କହିବା ସହ ମୁହଁ ଓ ମୁଣ୍ଡକୁ ଲଗାତାର ମାଡ଼ ଉପରେ ମାଡ଼ ମାରି ଚାଲିଥିଲେ।

 

ପୁଲିସ୍‌ ସୂତ୍ରରୁ ଜାଣିବାକୁ ମିଳିଛି ଯେ ମୃତ ବୟସ୍କ ବ୍ୟକ୍ତି ଜଣକ ରତ୍‌ଲମ୍‌ ଜିଲ୍ଲାର ସର୍‌ସିର ଭନୱରଲାଲ୍‌ ଜୈନ୍‌। ସେ ରାଜସ୍ଥାନର ଏକ ଧାର୍ମିକ ଉତ୍ସବରେ ‌ଯୋଗ ଦେବାକୁ ଯାଇ ମେ ୧୫ ତାରିଖରେ ନିଖୋଜ ହୋଇ ଯାଇଥିଲେ। ପୁଲିସ୍‌ ଏକ ନିଖୋଜ ଅଭିଯୋଗ ଲେଖିବା ସହ ତାଙ୍କର ଏକ ଫଟୋ ଜାରି କରିଥିଲା। ଗତକାଲି ଏକ ରାସ୍ତାକଡ଼ରୁ ତାଙ୍କ ମୃତଦେହ ମିଳିଥିଲା। ମୃତ‌ଦେହ ମିଳିବା ପରେ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ଓ ତାଙ୍କର ଶେଷକୃତ୍ୟ ସଂପନ୍ନ ହୋଇଛି।

ସମ୍ବନ୍ଧିତ ଖବର