ନିର୍ବାଚନ ଆୟୋଗଙ୍କ ୱେବସାଇଟ ହ୍ୟାକ କରି ଯୁବକ ବାହାର କରିଛି ୧୦,୦୦୦ ନକଲି ଭୋଟର କାର୍ଡ

ସହାରନପୁର: ଭାରତ ନିର୍ବାଚନ ଆୟୋଗଙ୍କ ୱେବସାଇଟ ହ୍ୟାକ କରିବା ଘଟଣାରେ ଉତ୍ତରପ୍ରଦେଶ ସହାରନପୁର ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି।  ଗିରଫ ଅଭିଯୁକ୍ତ ଭିପୁଲ ସାଇନି ନକୁଡ଼ ଅଞ୍ଚଳରେ ନିଜର ଏକ କମ୍ପ୍ୟୁଟର ଦୋକାନରୁ ନିର୍ବାଚନ ଆୟୋଗଙ୍କ ୱେବସାଇଟ ହ୍ୟାକ କରିଥିଲା। ଏଥିସହିତ ନିର୍ବାଚନ ଆୟୋଗରେ କାମ କରୁଥିବା ଡାଟା ଏଣ୍ଟ୍ରି ଅପରେଟରକୁ ବି ପୁଲିସ ଗିରଫ କରିଛି। ଭିପୁଲ ବିସିଏ (ବେଚଲର ଅଫ କମ୍ପ୍ୟୁଟର ଆପ୍ଲିକେସନ)ରେ ଡିଗ୍ରି କରିଥିବା ଜଣାପଡ଼ିଛି।

ଆୟୋଗଙ୍କୁ ୱେବସାଇଟରେ କିଛି ତ୍ରୁଟି ପରିଲକ୍ଷିତ ହେବାରୁ ସେମାନେ ଯାଞ୍ଚ ଏଜେନ୍ସିଙ୍କୁ ଏହାର ସୂଚନା ଦେଇଥିଲେ। ଏଜେନ୍ସି ଯାଞ୍ଚ ସମୟରେ ଅଭିଯୁକ୍ତ ଭିପୁଲ ସନ୍ଦେହ ଘେରକୁ ଆସିଥିଲା। ଏହାପରେ ଏଜେନ୍ସି ସହାରନପୁର ପୁଲିସକୁ ଭିପୁଲ ସମ୍ପର୍କରେ ସୂଚନା ଦେଇଥିଲେ।  ପୁଲିସ ଭିପୁଲର ଗତିବିଧି ଉପରେ ନଜର ରଖି ଯାଞ୍ଚକୁ ଆଗକୁ ବଢ଼ାଇଥିଲ। ପୁଲିସ ଭିପୁଲର ଘର ଉପରେ ହଠାତ ଚଢ଼ାଉ କରି ଗିରଫ କରିଥିଲା।

ପଚରାଉଚରା ସମୟରେ ସାଇନି କହିଥିଲା କି, ମଧ୍ୟପ୍ରଦେଶର ଇରଦାରେ ବସବାସ କରୁଥିବା ଅରମାନ ମଲ୍ଲିକ ପରାମର୍ଶରେ ସେ ଏପରି କାମ କରୁଥିଲା। ତିନିମାସ ମଧ୍ୟରେ ସେ ୧୦,୦୦୦ ନକଲି ଭୋଟର ପରିଚୟ ପତ୍ର ବାହାର କରିଛି।

ସହାରନପୁର ଏସଏସପି କହିଛନ୍ତି, ଯାଞ୍ଚ ସମୟରେ ଭିପୁଲ ସାଇନି ବ୍ୟାଙ୍କ ଖାତାରେ ୬୦ଲକ୍ଷ ଟଙ୍କା ମିଳିଥିଲା। ଏହାପରେ ସାଇନିର ଜମା ଖାତାରେ ନେଣ-ଦେଣ ସେବା ଉପରେ ଅଙ୍କୁଶ ଲଗା ଯାଇଥିଲା। ଭିପୁଲ ସାଇନି ଜମା ଖାତାରେ ଏତେଗୁଡ଼ିଏ ରାଶି କେଉଁଠୁ ଆସିଲା ସେନେଇ ଖୋଲତାଡ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର