ଫେସ୍‌ବୁକ୍‌ରେ ମୋଦୀ ବିରୋଧୀ ପୋଷ୍ଟ୍‍ ସେୟାର କରିବାରୁ ଯୁବକଙ୍କୁ ପୁଲିସ କଲା ୧୭ ଘଣ୍ଟା ଜେରା

ହାଇଦ୍ରାବାଦ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଫେସ୍‌ବୁକ୍‌ରେ ଏକ ପୋଷ୍ଟ୍‍ ସେୟାର୍‌ କରିଥିବା ଅଭିଯୋଗରେ ହାଇଦ୍ରାବାଦର ଜଣେ ଯୁବକଙ୍କୁ ପୁଲିସ୍‌ ଦୀର୍ଘ ୧୭ ଘଣ୍ଟା ଧରି ଜେରା କରିଛି। ପୋଷ୍ଟ୍‍ଟି ପଦ୍ମାବତୀ ବିବାଦ ସଂପର୍କିତ ବୋଲି ଜାଣିବାକୁ ମିଳିଛି। ଅଭିଯୁକ୍ତ ଛାତ୍ର ଜଣକ ହେଉଛନ୍ତି ଅରିଫ ମହମ୍ମଦ। ବଞ୍ଜାରା ହିଲ୍‌ସର ଏହି ଯୁବକ ଜଣକ ୪ର୍ଥ ବର୍ଷ ଆଇନ ଛାତ୍ର। ମେହେନ୍ଦୀପାଟନମ୍‌ରେ ଚାଲୁଥିବା ଏକ ଉତ୍ସବରୁ ଏହି ଯୁବକଙ୍କୁ ମୁଫ୍‌ତି ପୁଲିସ୍‌ ଗିରଫ କରିବା ପରେ ଜେରା ଆରମ୍ଭ କରିଥିଲା।

ଉଲ୍ଲେଖଯୋଗ୍ୟ, ନିକଟରେ ଜଣେ ବିଜେପି ନେତା ‘ପଦ୍ମାବତୀ’ ଚଳଚ୍ଚିତ୍ରକୁ ବିରୋଧ କରି ନିର୍ଦ୍ଦେଶକ ସଂଜୟଲୀଲା ଭଂସାଲୀ ଓ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ଶିର ଛେଦନ କରିବା ପାଇଁ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲେ। ଏହା ସାରା ଦେଶରେ ବିବାଦ ସୃଷ୍ଟି କରିଥିଲା। ବିଜେପି ନେତାଙ୍କର ଏହି ବିବାଦୀୟ ଘୋଷଣାକୁ କେନ୍ଦ୍ର କରି ସୋସିଆଲ ମିଡିଆରେ ମୋଦିଙ୍କ ବିରୋଧରେ ଏକ ପୋଷ୍ଟ୍‍ ଦେଖିବାକୁ ମିଳିଥିଲା। ପୋଷ୍ଟ୍‍ଟି ଥିଲା, ‘ଏକ ଜାତୀୟ ଚ୍ୟାନେଲ୍‌ରେ ଯଦି ଜଣେ ବିଜେପି ନେତା ସୁପାରି ଘୋଷଣା କରିପାରିଲେ ତେବେ ସର୍ବସାଧାରଣରେ ସୁପରି ଘୋଷଣା କରିବା ନିଶ୍ଚିତ ନିୟମସଙ୍ଗତ। ତେଣୁ ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଉପରକୁ ଚପଲ ଫିଙ୍ଗି ପାରିବ ତାହାକୁ ୧ ଲକ୍ଷ ଟଙ୍କା ପ୍ରଦାନ କରାଯିବ।’

ଏ ସଂପର୍କରେ ଅଭିଯୁକ୍ତ ଅରିଫ କହନ୍ତି, ‘ମୋତେ ପୂରା ରାତି ଜେରା କରାଗଲା। ମୁଁ ପୁଲିସ୍‌କୁ ତାହା ବୁଝାଇବାକୁ ଚାହୁଁଥିଲି ଯେ ପୋଷ୍ଟ୍‍ଟି ମୁଁ ଲେଖିନାହିଁ। ମୁଁ କେବଳ ସେୟାର୍‌ କରିଛି। ଯେଉଁମାନେ ମୋତେ ଧରି ନେଇଗଲେ ସେମାନେ ପୁଲିସ୍‌ ଥିଲେ ବୋଲି ମୁଁ ପରେ ଜାଣିଲି। ଜେରା ପରେ ସେମାନେ ଯେତେବେଳେ ମୋତେ ଗଛିବୋଲି ପୁଲିସ୍‌ ଥାନାରେ ଛାଡ଼ି ଦେଲେ ସେତେବେଳେ ମୁଁ ଜାଣିବାକୁ ପାଇଲି ଯେ ସେମାନେ ପୁଲିସ୍‌ କର୍ମଚାରୀ ଥିଲେ।’

ଆପଣ ଜାଣିଥିବେ ନିଶ୍ଚୟ ଚଳଚ୍ଚତ୍ର ନିର୍ମାତା ରାମ୍‌ ସୁବ୍ରମନ୍ୟମ୍ ସୋସିଆଲ୍‌ ମିଡିଆର ଏକ ପରିଚିତ ମୁହଁ। ମୋଦିଙ୍କ ଉପରେ ଲେଖାଯାଇଥିବା ଏହି ପୋଷ୍ଟ୍‍ଟିକୁ ସୁବ୍ରମନ୍ୟମ୍ ଲେଖିଛନ୍ତି ବୋଲି ପରେ ଜାଣିବାକୁ ମିଳିଛି। ତାଙ୍କର ଫେସ୍‌ବୁକ୍‌ରେ ‘ଭଏସ୍‌ ଅଫ୍‌ ରାମ’ ନାମରେ ଏକ ପେଜ୍‌ ରହିଛ। ସେହି ପେଜ୍‌ରେ ସେ ଏହି ପୋଷ୍ଟ୍‍ଟିକୁ ଅପ୍‌ଲୋଡ କରିଥିଲେ। ଯେଉଁମାନେ ତାଙ୍କୁ ସମର୍ଥନ କରିଛନ୍ତି ସେ ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଉପରକୁ ଚପଲ ମାରିଲେ ମୁଁ ୧ ଲକ୍ଷ ଟଙ୍କା ପ୍ରଦାନ କରିବି। ଅନ୍ୟମାନେ ମଧ୍ୟ ନିଜର ସାମର୍ଥ୍ୟ ହିସାବରେ ଆହୁରି ବେଶି ରାଶି ଘୋଷଣା କରିଛନ୍ତି। ମୋତେ ଏବେ ଲାଗୁଛି କି ମୋତେ ଏମିତି କରିବାର ନ ଥିଲା। ମାତ୍ର କେତେକ ବିଜେପି ନେତା ମୋତେ ଏମିତି କରିବାକୁ ବାଧ୍ୟ କରିଛନ୍ତି।’

ଏଠାରେ ଜଣାଇ ଦେଉଛୁ କି ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସଂପର୍କରେ ଏକ ଆପତ୍ତିଜନକ ପୋଷ୍ଟ୍‍ ହ୍ଵାଟ୍‌ସଆପ୍‌ରେ ସେୟାର୍‌ କରି ଜଣେ ଯୁବକ ଗିରଫ ହୋଇଥିଲେ। ଅଭିଯୁକ୍ତ ସାକିବ ମୋଦିଙ୍କ ଫଟୋ ଉପରେ କିଛି ବିବାଦୀୟ ଟିପ୍ପଣୀ ଦେବା ପରେ ସେ ଏହି ଫଟୋକୁ ସେୟାର କରିଥିଲେ। ଏହାକୁ ନେଇ ହରିୟାଣା ଫେତେହାବାଦ ଜିଲ୍ଲା ବିଜେପି କାର୍ଯ୍ୟକର୍ତ୍ତା ମୁକେଶ କୁମାର ପୁଲିସରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗ କ୍ରମେ ନଭେମ୍ବର ୧୮ରେ ଟୋହାନା ପୁଲିସ ଟିମ୍‌ ସାକିବକୁ ଉତ୍ତରାଖଣ୍ଡର ଶାହାପୁର-କଲ୍ୟାଣପୁର ଗ୍ରାମରୁ ଗିରଫ କରିଥିଲା। ସାକିବ ଦରଜିର କାମ କରୁଥିଲା ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର