ଏଣିକି ହ୍ଵାଟସ୍‌ ଆପ୍‌ ଜରିଆରେ ପାଇ ପାରିବେ ଯାତ୍ରା କରିବାକୁ ଥିବା ଟ୍ରେନ୍‌ର ଲାଇଭ୍‌ ଅପଡେଟ୍

ନୂଆଦିଲ୍ଲୀ: ଶୀତଦିନେ ଘନ କୁହୁଡି ହେତୁ ଷ୍ଟେସନ୍‌ରୁ ଟ୍ରେନ୍‌ ବିଳମ୍ବରେ ପହଞ୍ଚିବାର ଅନେକ ମାମଲା ସାମ୍ନାକୁ ଆସିଛି। ଟ୍ରେନ୍‌ ସମୟ ବିଳମ୍ବ ହେତୁ ଯାତ୍ରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି। ଯାତ୍ରୀଙ୍କୁ ଘଣ୍ଟାଘଣ୍ଟା ଧରି ଷ୍ଟେସନ୍‌ରେ ଅପେକ୍ଷା କରିବାକୁ ପଡ଼ିଥାଏ। ତେବେ ଯାତ୍ରୀଙ୍କ ଏହି ଅସୁବିଧାକୁ ଦୃଷ୍ଟିରେ ରଖି ଏକ ନୂତନ ଯୋଜନାର ଆରମ୍ଭ କରାଯାଇଛି। ଏଣିକି ଯାତ୍ରୀ ଘରେ ବସି ଯାତ୍ରା କରିବାକୁ ଥିବା ଟ୍ରେନ୍‌ର ଲାଇଭ୍‌ ଅପଡେଟ ପାଇ ପାରିବେ। ଆଉ ୧୩୯ନମ୍ବରରେ ଫୋନ୍‌ କରି କିମ୍ବା ରେଳବାଇର ଏନ୍‌ଟିଇଏସ୍‌ ସାଇଟକୁ ଯାଇ ଟ୍ରେନ୍‌ ସମ୍ପର୍କରେ କିଛି ବି ତଥ୍ୟ ପାଇଁ ପଚରାଉଚରା କରିବାକୁ ପଡ଼ିବ ନାହିଁ।

ବର୍ତ୍ତମାନ ସମୟରେ ଆପଣ ହ୍ଵାଟସ୍‌ ଆପ୍‌ ଜରିଆରେ ଟ୍ରେନ୍‌ ସମ୍ପର୍କରେ ତାଜା ସୂଚନା ପାଇ ପାରିବେ। ଏଥିପାଇଁ ଆପଣଙ୍କୁ କେବଳ ଯେଉଁ ଟ୍ରେନ୍‌ରେ ଯାତ୍ରା କରିବାର ଅଛି ସେହି ଟ୍ରେନ୍‌ ନମ୍ବରକୁ ୭୩୪୯୩୮୯୧୦୪ନମ୍ବରରେ ପଠାଇବାକୁ ପଡ଼ିବ। ଏପରି କରିବାର କିଛି ସମୟ ପରେ ଆପଣଙ୍କ ପାଖକୁ ଟ୍ରେନ୍‌ ସହିତ ଜଡ଼ିତ ଥିବା ସମସ୍ତ ତଥ୍ୟ ମିଳିଯିବ।

ରେଳବାଇ ରାଜଧାନୀ-ଶତାବ୍ଦୀ ପାଇଁ ଏସ୍‌ଏମ୍‌ଏସ୍‌ ସେବାର ବି ଆରମ୍ଭ କରାଯାଇଛି। ଏହା ଜରିଆରେ ରାଜଧାନୀ ଓ ଶତାବ୍ଦୀର ଯାତ୍ରୀଙ୍କ ପାଖକୁ ମୋବାଇଲରେ ଏସ୍‌ଏମ୍‌ଏସ୍‌ ପଠାଇ ଟ୍ରେନ୍‌ ବିଳମ୍ବରେ ଆସିବା ନେଇ ସୂଚନା ଦିଆଯାଇଥାଏ। ଏହି ସୁବିଧା ଚଳିତ ମାସରୁ ଆରମ୍ଭ ହୋଇଛି। ଏଯାବତ୍‌ ୨୩ଟି ରାଜଧାନୀ ଓ ୨୬ଟି ଶତାବ୍ଦୀ ଏକ୍ସପ୍ରେସ ଯାତ୍ରୀଙ୍କୁ ଏହି ଖାସ୍‌ ସୁବିଧା ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର