ମୁର୍ଶିଦାବାଦରେ ଆର୍‌ଏସ୍‌ଏସ୍‌ କର୍ମୀ, ତାଙ୍କ ପତ୍ନୀ ଏବଂ ପୁଅଙ୍କୁ ହତ୍ୟା

କୋଲ୍‌କାତା: ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ବୁଧବାର ଦିନ ଜଣେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର କର୍ମୀ, ତାଙ୍କ ପତ୍ନୀ ଏବଂ ସେମାନଙ୍କର ଛଅ ବର୍ଷିୟ ପୁଅକୁ ହତ୍ୟା କରାଯାଇଛି।

ମୃତ ଆର୍‌ଏସ୍‌ଏସ୍‌ କର୍ମୀଜଣକ ହେଉଛନ୍ତି ସ୍କୁଲ୍‌ ଶିକ୍ଷକ ବନ୍ଧୁ ପ୍ରକାଶ ପାଲ। ତାଙ୍କ ପତ୍ନୀଙ୍କ ନାମ ବିୟୁଟି ମଣ୍ଡଳ ପାଲ୍‌ ଏବଂ ପୁତ୍ର ଅଙ୍ଗନ ବନ୍ଧୁ। ବିୟୁଟି ଆଠ ମାସ ହେବ ଅନ୍ତଃସତ୍ତ୍ୱା ଥିଲେ ଓ ସେମାନଙ୍କର ଆଉ ଗୋଟିଏ ପିଲା ହୋଇ ଥାଆନ୍ତା। ବନ୍ଧୁ ପ୍ରକାଶ ଗୋସାଇଁଗ୍ରାମ ସାହାପଡ଼ା ପ୍ରାଇମେରି ସ୍କୁଲ୍‌ରେ ଶିକ୍ଷକତା କରୁଥିଲେ।

Image Source: NDTV

ଏଇ ତିନି ସଦସ୍ୟବିଶିଷ୍ଟ ପରିବାର ମୁର୍ଶିଦାବାଦର ଜିଆଗଞ୍ଜ ଅଞ୍ଚଳରେ ବସବାସ କରୁଥିଲେ। ତାଙ୍କ ଘରୁ ମରଣାନ୍ତକ ଚିତ୍କାର ଶୁଣି ପଡ଼ୋଶୀମାନେ ପୁଲିସକୁ ସୂଚନା ଦେଇଥିଲେ।

ତୀକ୍ଷ୍ଣ ଅସ୍ତ୍ର ଯୋଗେ ଅଜ୍ଞାତ ଆତତାୟୀମାନେ ସେମାନଙ୍କୁ ହତ୍ୟା କରିଛନ୍ତି। ହତ୍ୟାର କାରଣ ଜଣାପଡ଼ି ନାହିଁ।

ବ୍ୟବହୃତ ଅସ୍ତ୍ର ସେମାନଙ୍କ ଶବ ପାଖରେ ପଡ଼ିଥିବା ଦେଖାଯାଇଥିଲା। ନରହତ୍ୟା ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର