କଣ୍ଟାବାଞ୍ଜିରେ ଆଇପିଏଲ୍‌ ବେଟିଂ: ୧୧ ଲକ୍ଷ ୧୭ ହଜାର ଟଙ୍କା ଜବତ, ୩ ସଟ୍ଟା ବେପାରୀ ଗିରଫ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅଞ୍ଚଳରେ ଆଇପିଏଲ୍‌ ବେଟିଂରେ ବ୍ୟସ୍ତ ଥିବା ୩ ଜଣ ସଟ୍ଟା ବେପାରୀଙ୍କୁ ପୁଲିସ ଗିରଫ କରିଛି। ବିଶେଷ ସୂତ୍ରରୁ ସୂଚନା ମିଳିବା ପରେ ପୁଲିସ ସଟ୍ଟା ଆଡ୍ଡା ଉପରେ ଚଢ଼ାଉ କରିଥିଲା। ଆଇପିଏଲ ବେଟିଂସ୍ଥଳରୁ ପୁଲିସ ୧୧ ଲକ୍ଷ ୧୭ ହଜାର ଟଙ୍କା, ଆଇପିଏଲ ରେକଡିଂ ଥିବା ୪ଟି ଲାପଟପ୍‌ ଓ ୧୧ ଟି ମୋବାଇଲ ଜବତ କରିଛି।

କୋଲକାତାର ଇଡେନ ଗାର୍ଡେନରେ ଚେନ୍ନାଇ ସୁପର କିଙ୍ଗସ୍‌ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ମ୍ୟାଚ୍‌ ଚାଲିଥିଲା। ଷ୍ଟାଡିୟମରେ ମହେନ୍ଦ୍ର ସିଂହ ଧୋନି ଓ ଦିନେଶ କାର୍ତ୍ତିକଙ୍କ ନେତୃତ୍ୱରେ ଉଭୟ ଟିମ୍‌ ବ୍ୟସ୍ତ ଥିବା ବେଳେ ଦର୍ଶକମାନେ ମଧ୍ୟ ଉତ୍ସାହିତ ଥିଲେ। ପୁଲିସ କହିଛି, କଣ୍ଟାବାଞ୍ଜି ସହରର ବ୍ୟସ୍ତବହୁଳ ସ୍ଥାନ ଡେଲି ମାର୍କେଟରେ ଆଠ ଜଣ ଯୁବକ ବ୍ୟାଟିଂରେ ବ୍ୟସ୍ତ ଥିଲେ। ପୁଲିସର ଚଢ଼ାଉ ବେଳେ ୫ଜଣ ଘଟଣାସ୍ଥଳରୁ ଖସି ଯାଇଥିବା ବେଳେ, ପପୁ ଓରଫ ପ୍ରଦୀପ କୁମାର ଜେନା, ଦେବେନ୍ଦ୍ର ବେହେରା ଓ ଲଣ୍ଡୁ ଓରଫ ଆନନ୍ଦ କୁମାର ମହାନ୍ତି ଗିରଫ ହୋଇଛନ୍ତି। ଅନ୍ଧାରର ସୁଯୋଗ ନେଇ ଘଟଣାସ୍ଥଳରୁ ଅନ୍ୟ ୫ଜଣ ଫେରାର ହୋଇଯାଇଛନ୍ତି ।

ସମ୍ବନ୍ଧିତ ଖବର