ବିଧାୟକଙ୍କ ପୁଅଙ୍କୁ ଗିରଫ ପାଇଁ ୭ ଦିନିଆ କଣ୍ଟ

ବ୍ଲକ ସଭାପତିଙ୍କୁ ଆକ୍ରମଣ ଘଟଣା, ରାଜପଥ ଅବରୋଧ ଧମକ

ଆନନ୍ଦପୁର: ରାମଚନ୍ଦ୍ରପୁର ଅଞ୍ଚଳ ପୁଣି ଅଶାନ୍ତ ‌ହୋଇ ପଡ଼ିଛି। ଜଣେ ପୀଡ଼ିତାଙ୍କୁ କେଶ୍ ପ୍ରତ୍ୟାହାର ପାଇଁ ଧମକ ପରେ ତାଙ୍କ ଉପରେ ଆକ୍ରମଣ ହୋଇଛି। ଏହାପରେ ରବିବାର ରାତିରେ ବ୍ଳକ କଂଗ୍ରେସ ସଭାପତି ସୁବ୍ରତ ଚକ୍ରଙ୍କ ଉପରେ ଆକ୍ରମଣ ହୋଇଛି। ସବୁ ଅପରାଧିକ କାର୍ଯ୍ୟରେ ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ରଙ୍କ ହାତ ରହୁଛି। ପୁଲିସ୍ ଅପରାଧିଙ୍କ କ୍ଷେତ୍ରରେ କୋହଳ ମନୋଭାବକୁ ନେଇ କଂଗ୍ରେସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ପୁଲିସକୁ ୭ ଦିନିଆ କଣ୍ଟ ‌ଦିଆଯାଇଛି। ଏହି ସମୟ ମଧ୍ୟ‌ରେ ଗିରଫ କରା ନଗଲେ କଂଗ୍ରେସ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଶୁଣାଇଛି।

୨୭ତାରିଖ ରାତିରେ ସୁବ୍ରତ ଚକ୍ର ନିଜ ଫରଚ୍ୟୁନର ଗାଡ଼ିରେ ଶାଳଦେଇ ପଞ୍ଚାୟତର ଓଡ଼ପଡ଼ା ଗ୍ରାମରୁ ଫେରୁଥିବାବେଳେ ସାଇଁପାଳ ନିକଟରେ ତାଙ୍କଉପରେ ଆକ୍ରମଣ ହେବା ସହିତ ଗାଡ଼ି ଭଙ୍ଗାରୁଜା କରିଥିଲେ। ବିଧାୟକଙ୍କ ପୁଅ ଦେବାଶିଷ ଓ ତରୁଆଁ ସରପଞ୍ଚଙ୍କ ସମେତ ଅନ୍ୟ ଚାରିଜଣ ତାଙ୍କ ଉପରେ ଆକ୍ରମଣ କରିଥିବା ନେଇ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ କେବଳ ମାମଲା ରୁଜୁକରି ହାତବାନ୍ଧି ବସିଥିବାବେଳେ ଅଭିଯୁକ୍ତମାନେ ଖୋଲାଖୋଲିଭାବେ ବୁଲୁଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ଗତ ୧୫ତାରିଖରେ ପଦନପୁର ଗ୍ରାମର ପୀଡ଼ିତାଙ୍କ ଘର ଉପରେ ଦେବାଶିଷଙ୍କ ନେତୃତ୍ବରେ ଆକ୍ରମଣ କରାଯାଇଥିବା ମଧ୍ୟ ଥାନାରେ ଅଭିଯୋଗ ହୋଇଛି। ଦେବାଶିଷ ଅତୀତରେ ଅନେକ ଅପରାଧିକ କାର୍ଯ୍ୟକଳାପରେ ସାମିଲ ଥିବାବେଳେ ଆଗକୁ ପଞ୍ଚାୟତ ନିର୍ବାଚନ ଥିବାରୁ ସାଧାରଣ ଲୋକଙ୍କୁ ଭୟଭୀତ କରିବାପାଇଁ ପୁଣି ଅଶାନ୍ତ କରାଯାଉଛି। ଏଭଳି ପରିସ୍ଥିତିରେ ପୁଲିସ୍ ବିଧାୟକଙ୍କ ପୁଅ ବିରୋଧରେ କୌଣସି କା‌ର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ କଂଗ୍ରେସ ଶେଷରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି।

ପୂର୍ବତନ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ରତିକାନ୍ତ ବରାଳଙ୍କ ନେତୃତ୍ବରେ ଦଳୀୟ ସମର୍ଥକମାନେ ଆଜି ଆନନ୍ଦପୁର ଏସ୍‌ଡ଼ିପିଓଙ୍କ କାର୍ଯ୍ୟାଳୟକୁ ଆସି ତୁରନ୍ତ କାର୍ଯ୍ୟାନୁଷ୍ଠାନପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଆଗାମୀ ସାତଦିନ ମଧ୍ୟରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ୨୦ନମ୍ବର ଜାତୀୟ ରାଜପଥ ଅବରୋଧ କରାଯିବାକୁ ଚେତାବନୀ ଦିଆଯାଇଛି।

ଏସଡିପିଓଙ୍କ ଅନୁପସ୍ଥିତିରେ ଘସିପୁରା ଥାନା ଅଧିକାରୀ ମନୋରଞ୍ଜନ ବିଶିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏନେଇ କେନ୍ଦୁଝର ଏସପିଙ୍କୁ ମଧ୍ୟ ଅବଗତ କରାଯାଇଛି। ପୂର୍ବତନ ସରପଞ୍ଚ କଳାକର ନାୟକ, ପୂର୍ବତନ ବ୍ଳକ ସଭାପତି ଦିଲୀପ୍ କୁମାର ଜେନା, ବରିଷ୍ଠନେତା ତ୍ରିଲୋଚନ ପରିଡ଼ା, ବ୍ଳକ ଉପସଭାପତି ସୁବ୍ରତ କୁଅଁର, ଦଳୀୟନେତା ଦୈତାରୀ ମହାକୁଡ଼, ଧ୍ରୁବ ଚରଣ ଚକ୍ର, କୃଷ୍ଣଚନ୍ଦ୍ର ନାୟକ, ସୁରଥ କୁମାର ପାତ୍ର, ଭାଗ୍ୟବନ୍ତ ମହାକୁଡ଼, ପ୍ରତାପ ଚନ୍ଦ୍ର ପୁହାଣ, ମହେଶ୍ବର ପୃଷ୍ଟି, ଗୋବିନ୍ଦ ଚନ୍ଦ୍ର ମଲିକ୍, ଭାଗୀରଥି ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର